ଏନଏସଏସ ୟୁନିଟ-୨ ପକ୍ଷରୁ ବୃକ୍ଷ ରୋପଣ ସ୍ୱତନ୍ତ୍ର ଶିବିର
ବୁଗୁଡା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପିପୁଲସ କଲେଜର ଜାତୀୟ ସେବା ଯୋଜନା, ୟୁନିଟ-୨ (ମହିଳା) ପକ୍ଷରୁ ସେପ୍ଟେମ୍ବର ୦୪ ତାରିଖ ଠାରୁ ସେପ୍ଟେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପୀ ବୃକ୍ଷ ରୋପଣ ସ୍ୱତନ୍ତ୍ର ଶିବିର, ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ସସ୍ମିତା ସାମନ୍ତରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେଉଅଛି। ପ୍ରଥମ ଦିନର ଉଦଘାଟନୀ କାର୍ଯ୍ୟକ୍ରମରେ ଭାଇସ ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଅଧ୍ୟକ୍ଷତା କରିବା ସହ ଉଦଘାଟନ କରିଥିଲେ। ଅତିଥି ଭାବେ ଆଇକିୟୁଏସି ସଂଯୋଜକ ଅଧ୍ୟାପକ ସୁଶାନ୍ତ କୁମାର ସାହୁ ଓ ଏନଏସଏସ ୟୁନିଟ-୧ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ରବୀନ୍ଦ୍ର ନାଥ ପୋଲାଇ ଯୋଗଦେଇଥିଲେ। ପ୍ରାରମ୍ଭରେ ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ସସ୍ମିତା ସାମନ୍ତରା ସାତ ଦିନିଆ ଏନଏସଏସ ଶିବିର ବିଷୟରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ। ଅତିଥି ବୃନ୍ଦ ସେବା ଓ ବୃକ୍ଷ ରୋପଣର ଉପକାରିତ ନେଇ ଉପସ୍ଥିତ ୫୦ ଜଣ ଏନଏସଏସ ୟୁନିଟ-୨ ର ସ୍ୱେଚ୍ଛାସେବୀ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ଦ୍ଵିତୀୟ ଦିନରେ ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ସସ୍ମିତା ସାମନ୍ତରାଙ୍କ ତତ୍ତ୍ୱାବଧାନରେ ସ୍ୱେଚ୍ଛାସେବୀ ବୃନ୍ଦ ପ୍ରାୟ ୫୦ ଚାରା ରୋପଣ କରିଥିଲେ। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଭାଇସ ପ୍ରିନ୍ସପାଲ ଶ୍ରୀ ନାୟକ, ୟୁନିଟ-୧ ପ୍ରୋଗ୍ରାମ ଅଫିସର ଶ୍ରୀ ପୋଲାଇ ଓ ବନ ବିଭାଗ କର୍ମଚାରୀ ବୃନ୍ଦ ଯୋଗଦେଇ ସ୍ୱେଚ୍ଛାସେବୀଙ୍କୁ ଉତ୍ସାହିତ କରିଥିଲେ। ଅବଶିଷ୍ଟ ପାଞ୍ଚ ଦିନରେ ଆହୁରି ୨୦୦ ଚାରା ରୋପଣସହ ବୃକ୍ଷ ରୋପଣର ଉପକାରୀତା ନେଇ ସଚେତନ କାରାଯିବ ବୋଲି ପ୍ରୋଗ୍ରାମ ଅଫିସର ମତ ପ୍ରଦାନ କରିଛନ୍ତି।


