ଚିକିତ୍ସା ପାଇଁ ରାଜ୍ୟ ସରକାର ଓ ବଦାନ୍ୟ ବ୍ୟକ୍ତିଙ୍କୁ ସାହାଯ୍ୟ ଦେବାକୁ ନିବେଦନ
ପୋଲସରା (ଅନୀଲ କୁମାର ମହାରଣା): କର୍ଣ୍ଣାଟକ ରାଜ୍ୟର ବାଙ୍ଗାଲୋର ସହର ନାରାୟଣ କେୟର ମଜୁମଦାର ସା ମେଡିକାଲ ସେଣ୍ଟରରେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ବାଲିଛାଇ ପଞ୍ଚାୟତର ନୂଆଁ ଗାଁ ଗ୍ରାମର ଭଜରାମ ସାହୁଙ୍କ ଝିଅ କିରଣ ସାହୁ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । କିରଣଙ୍କ ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ କାମ ନ କରିବା ଯୋଗୁଁ ତାଙ୍କ ଭାଇ ଓ ଗ୍ରାମ ଲୋକେ ୩୧/୦୮/୨୫ ତାରିଖରେ ମଜୁମଦାର ସା ମେଡିକାଲ ସେଣ୍ଟରରେ ଭର୍ତ୍ତି କରିଥିଲେ। ଭଜରାମ ସାହୁଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବା ଯୋଗୁଁ ୨୧ ବର୍ଷର ଝିଅ କିରଣ ରୋଜଗାର କରିବା ପାଇଁ ବାଙ୍ଗାଲୋର ସହରକୁ ଯାଇ ସେଠାରେ ଏକ ଘରୋଇ କମ୍ପାନୀରେ ଚାକିରି କରି ଦୁଇ ପଇସା ଘରକୁ ଦେଲେ ଘର ଚଳୁଥିଲା। ଏତିକି ବେଳେ ତାଙ୍କର ଅବସ୍ଥା ଗୁରୁତର ହୋଇଥିବାରୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି ହୋଇ ଦୈନିକ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ଯୋଗୁଁ ପରିବାର ଅସୁବିଧାରେ ପଡ଼ିଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କୁ ସାହାଯ୍ୟ କରିବା ପାଇଁ ପରିବାର ଓ ଗ୍ରାମବାସୀ ନିବେଦନ କରିଛନ୍ତି। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଳିକ ମହୋଦୟ ସରକାରୀ ସହାୟତା ପାଇଁ ଉଦ୍ୟମ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି। ଏହାସହିତ ବଦାନ୍ୟ ବ୍ୟକ୍ତି ବୃନ୍ଦ ସହାୟତା ପ୍ରଦାନ କରିବା ପାଇଁ ମଧ୍ଯ ନିବେଦନ କରିଛନ୍ତି।


