ଜିଲ୍ଲା ଯୋଜନା କମିଟି ବୈଠକ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ଜିଲ୍ଲା ଯୋଜନା କମିଟିର ବୈଠକ ଶୁକ୍ରବାର ପୂର୍ବାହ୍ନ ୯ଘଟିକା ସମୟରେ ସ୍ଥାନୀୟ ଜିଲ୍ଳା ପରିଷଦ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କମିଟିର ଅଧ୍ୟକ୍ଷ ତଥା ମାନ୍ୟବର ଭୋଗରାଇ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ଦାସ ଏଥିରେ ଅଧ୍ୟକ୍ଷତା କରିବା ସହିତ ଜିଲ୍ଲାର ବିକାଶ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲାପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତୀ ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଜିଲ୍ଲାର ବିଭିନ୍ନ୍ନ ଅଂଚଳରେ ଖର୍ଚ୍ଚ ପାଇଁ ୨୪ଟି ବିଭାଗ ପକ୍ଷରୁ ପ୍ରାୟ ୨୨୪୦କୋଟି ଟଙ୍କାର ଯୋଜନା ଅଟକଳ ପ୍ରସ୍ତୁତ ହୋଇଥିବା ନେଇ ବୈଠକରେ ସୂଚନା ଦିଆଯିବା ସହିତ ଏ ସଂପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ମାନ୍ୟବର କେନ୍ଦ୍ର ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ, ମତ୍ସ୍ୟ ସମ୍ପଦ, ପ୍ରାଣୀଧନ ଓ ଦୁଗ୍ଦପ୍ରକ୍ରିୟାକରଣ ରାଷ୍ଟ୍ର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ମାନ୍ୟବର ରେମୁଣା ବିଧାୟକ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ପରିଡା,ମାନ୍ୟବର ନୀଳଗିରି ବିଧାୟକ ଶ୍ରୀଯୁକ୍ତ ସୁକାନ୍ତ କୁମାର ନାୟକ, ମାନ୍ୟବର ସୋର ବିଧାୟକ ଶ୍ରୀଯୁକ୍ତ ପର୍ଶୁରାମ ଧଡା, ମାନ୍ୟବର ଜଳେଶ୍ୱର ବିଧାୟକ ଶ୍ରୀଯୁକ୍ତ ଅଶ୍ୱିନୀ ପାତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିବେଦିତା ମହାନ୍ତି, ଜିଲ୍ଲା ଯୋଜନା ବୋର୍ଡ ଉପାଧ୍ୟକ୍ଷା ଶ୍ରୀମତୀ ସୁବାସିନୀ ବିଶ୍ୱାଳ, ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ନାୟକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ରାମଚନ୍ଦ୍ର ଜେନା, ଭଦ୍ରକର ମାନ୍ୟବର ସାଂସଦଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଅଶ୍ୱିନୀ ମହାପାତ୍ରଙ୍କ ସମେତ ଜିଲ୍ଲା ପରିଷଦର ସଦସ୍ୟ-ସଦସ୍ୟା, ବିଭିନ୍ନ ବ୍ଲକର ବି.ଡି.ଓ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଏଥିରେ ଯୋଗ ଦେଇ ବିଭିନ୍ନ କ୍ଷେତ୍ର ଲାଗି ପ୍ରସ୍ତୁତ ହୋଇଥିବା ଯୋଜନାର ଅଟକଳ ଏବଂ ବିଗତ ବର୍ଷମାନଙ୍କରେ ଖର୍ଚ୍ଚ ହୋଇଥିବା ଅନୁଦାନ ସମ୍ପର୍କରେ ଆଲୋଚନା କରିଥିଲେ । ନିଜ ନିଜ ନିର୍ବାଚନମଣ୍ଡଳୀର ବିକାଶ ପାଇଁ ମାନ୍ୟବର ବିଧାୟକମାନେ ବୈଠକରେ ପ୍ରସ୍ତାବ ରଖିଥିଲେ । ବିଶେଷ କରି କୃଷି କ୍ଷେତ୍ରରେ ହେଉଥିବା ବିଭିନ୍ନ ଯୋଜନାର ସୁ‘ଳ ଚାଷୀ ମାନଙ୍କ ନିକଟରେ ପହଂଚାଇବା, ସମଗ୍ର ଶିକ୍ଷା ଅଭିଯାନର କାର୍ଯ୍ୟକାରିତା, ସମବାୟ, ପଶୁପାଳନ, ମତ୍ସ୍ୟ ଚାଷ, ଗ୍ରାମୀଣ ଆବାସ ଯୋଜନାରେ ହିତାଧିକାରୀମାନଙ୍କୁ ଧାର୍ଯ୍ୟ ସମୟରେ ପ୍ରୋତ୍ସାହନ ରାଶି ପ୍ରଦାନ, ସାଂସଦ ଏବଂ ବିଧାୟକ ପାଣ୍ଠିର ସୁବିନିଯୋଗ, ଜିଲ୍ଲାରେ ଜାରି ରହିଥିବା ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, ଜଳସେଚନ ପ୍ରକଳ୍ପଗୁଡିକୁ କାର୍ଯ୍ୟକ୍ଷମ କରିବା, ବିଦ୍ୟୁତକରଣ ଯୋଜନାର ସୁ‘ଳ ହିତାଧିକାରୀଙ୍କ ନିକଟରେ ପହଂଚାଇବା, ହସ୍ତତନ୍ତ ଏବଂ କ୍ଷୁଦ୍ର ଶିଳ୍ପର ବିକାଶ, ପାନୀୟ ଜଳ ଯୋଗାଣ, ସମାଜ ମଙ୍ଗଳ ବିଭାଗ ଦ୍ୱାରା ଯୋଜନା କାର୍ଯ୍ୟକାରୀ କରିବା ଲାଗି ପଦକ୍ଷେପ ନିଆଯିବା ସହିତ ବିଭିନ୍ନ ପ୍ରତିବନ୍ଧକକୁ କିଭଳି ଦୂର କରାଯାଇପାରିବ ସେ ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଥିଲା । ସେହିପରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରସ୍ତାବିତ ବିଭିନ୍ନ ପ୍ରକଳ୍ପ, ସହର ବିକାଶ, ପରିମଳ, ମହିଳା ଏବଂ ଶିଶୁ ବିକାଶ, ସଂସ୍କୃତି, ଜଙ୍ଗଲ ସୁରକ୍ଷା ପ୍ରଭୃତି ବିଭାଗର ପ୍ରସ୍ତୁତ ଯୋଜନା ସମ୍ପର୍କରେ ସଦସ୍ୟମାନେ ଆଲୋଚନା କରିଥିଲେ । ଗୃହର ନିର୍ଦ୍ଦେଶ କ୍ରମେ ବିଭାଗୀୟ ଅଧିକାରୀମାନେ ନିଜ ନିଜ ବିଭାଗ ଦ୍ୱାରା ଜିଲ୍ଲାରେ କରାଯିବାକୁ ଥିବା ପ୍ରକଳ୍ପ ତଥା କାର୍ଯ୍ୟକ୍ରମର ତଥ୍ୟ ଉପସ୍ଥାପନ କରିଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ରାମଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ