ଜୀବିକା ହରାଇଲେ ଦଳିତ ମହିଳା

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ରାଜକନିକା ଥାନାଧିକାରୀଙ୍କ ପାଖରୁ ନିରାଶ ହେବା ପରେ ଆରକ୍ଷୀ ଅଧୀକ୍ଷକଙ୍କୁ ଗୁହାରି କରିଥିଲେ ଦୁଇଜଣ ଦଳିତ ମହିଳା। କିନ୍ତୁ ସେଠାରୁ ମଧ୍ୟ ସେମାନଙ୍କୁ ନିରାଶ ହେବାକୁ ପଡିଛି। ସଂପୃକ୍ତ ଉଭୟ ଦଳିତ ପିଡିତା ମହିଳା ଦୁଇଜଣ କହିଛନ୍ତି ଯେ କେନ୍ଦ୍ରାପଡା ଏସପି ହେଉଛନ୍ତି ଦଳିତ ବିରୋଧି। କାରଣ ଏସପି ତାଙ୍କ ଗୁହାରୀ ଶୁଣି ତାହାର କୈାଣସି ପ୍ରତିକାର ନକରିବାରୁ ତାଙ୍କୁ ଜୀବିକା ହରାଇବାକୁ ପଡିଛି। ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ଥାନା ଅଧିନ ପେଗରପଡା ଗ୍ରାମର ସ୍ୱର୍ଗତ ଋଷି ମଲିକଙ୍କ ପତ୍ନୀ ଦଳିତ ବିଧବା ମହିଳା ମଲ୍ଲି ମଲିକ ନିଜ ସ୍ଥିତିବାନ ଜମି ଉପରେ ଏକ କେବିନ ପକାଇ ସେହି ଗ୍ରାମର ରମାକାନ୍ତ ମଲିକଙ୍କ ପତ୍ନୀ ଝରଣା ମଲିକଙ୍କୁ ଭଡାସୁତ୍ରରେ ଦେଇଥିଲେ। ଝରଣା ସେହି କେବିନରେ ଏକ ଛୋଟ ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ। ଗତ ଜୁଲାଇମାସ ୨୫ତାରିଖରେ ସେହି ଗ୍ରାମର ସୁମନ୍ତ ମଲିକ ଓ ତାଙ୍କ ବାପା ଝରଣାଙ୍କ ଦୋକାନରୁ ଚୋରି କରୁଥିବାର ଖବର ପାଇ ଝରଣା ମଲ୍ଲିଙ୍କୁ ଡାକି ଘଟଣାସ୍ଥଳରେ ପହଞ୍ଚି ସବୁ ଦେଖିବା ପରେ ସେହି ଗ୍ରାମର ସମାଜସେବୀ ସନ୍ଧ୍ୟାରାଣୀ ପଲାଇଙ୍କୁ ସାଙ୍ଗରେ ନେଇ ରାଜକନିକା ଥାନାଧିକାରୀଙ୍କୁ ଭେଟି ଲିଖିତ ଅଭିଯୋଗ ଦେଇଥିଲେ। ସେହି ଅଭିଯୋଗକୁ ଦେଖି ଥାନାଧିକାରୀ ସଞ୍ଜୟ ମଲିକ ହଠାତ ରାଗିଯାଇ ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମିଛ କେଶ ଦେଇ ହାଜତରେ ଭର୍ତ୍ତି କରିଦେବାକୁ ଧମକ ଦେଇଥିଲେ। ଏସମସ୍ତ ଘଟଣା ସେଠାରେ ଉପସ୍ଥିତ ଥିବା ପେଗରପଡା ଗ୍ରାମର ସୈାମ୍ୟରଞ୍ଜନ ପଲାଇ ସଙ୍ଗେ ସଙ୍ଗେ ଫୋନ ଯୋଗେ ବିଜେପି ନେତ୍ରୀ ସୁଜାତା ବାରିକଙ୍କୁ ଜଣାଇଥିଲେ। ଫଳରେ ବିଜେପି ନେତ୍ରୀ ଶ୍ରୀମତୀ ବାରିକ ଟେଲିଫୋନ ଯୋଗେ ଥାନାଧିକାରୀ ଶ୍ରୀ ମଲିକଙ୍କୁ କହିଲେ ଯେ ସାଧାରଣ ଲୋକଙ୍କ ପାଇଁ ଥାନା। ସେମାନଙ୍କ ଅଭିଯୋଗ ରଖି ଘଟଣାର ତଦନ୍ତ କରାଯାଉ। ଏଥିରେ ଥାନାଧିକାରୀ ଶ୍ରୀ ମଲିକ ବିଜେପି ନେତ୍ରୀ ଶ୍ରୀମତୀ ବାରିକଙ୍କୁ ଗାଳିଗୁଲଜ କରିବା ଆରମ୍ଭ କରି ଫୋନ କାଟିଦେବା ପରେ ମଧ୍ୟ ଅଭିଯୋଗକାରୀଙ୍କ ସମେତ ସେଠାରେ ଉପସ୍ଥିତ ଥିବା ଲୋକମାନଙ୍କ ସମ୍ମୁଖରେ ଶ୍ରୀମତୀ ବାରିକଙ୍କୁ ଅତ୍ୟନ୍ତ କୁତ୍ସିତ କଦାକାର ଭାଷା ପ୍ରୟୋଗ କରି ଗାଳିଗୁଲଜ କରିଥିଲେ। ଏଥିସହିତ ସେଠାରେ ଉପସ୍ଥିତ ଥିବା ସନ୍ଧ୍ୟାରାଣୀ ପଲାଇ, ମଲି ମଲିକ ଓ ଝରଣା ମଲିକଙ୍କୁ ମଧ୍ୟ ଅତ୍ୟନ୍ତ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଥାନାରେ ଘୋଷାଡି ଲଙ୍ଗଳା କରି କେଶ ଦେଇ ଭିତର କରିଦେବି ବୋଲି ଧମକ ଦେଇଥିଲେ। ଏସମସ୍ତ ଘଟଣାର ଭିଡିଓ ରେକଡିଂ କରୁଥିବା ସନ୍ଧ୍ୟାରାଣୀଙ୍କ ମୋବାଇଲୁ ସେସବୁ କାଟିଦେବା ସହ ଗାଳିଗୁଲଜ କରିଥିଲେ। ଏହି ଘଟଣା ନିଜ ଆଖିରେ ଦେଖିଥିବା ସମ୍ପର୍କରେ ନହୁଣି ଗ୍ରାମର ଅଶ୍ୱିନୀ ବାରିକ ସାକ୍ଷୀ ଦେବାରୁ ତାକୁ ଥାନାଧିକାରୀ ଶ୍ରୀ ମଲିକ ଗୁଣ୍ଡା ଲଗାଇ ମାଡମାରି ତା’ର ମୁଣ୍ଡ ଫଟାଇ ଦେଲେ। ଏଥିସହିତ ଥାନାଧିକାରୀ ଅଶ୍ୱିନୀଙ୍କ ନାମରେ ଏସସି/ଏସଟି ଆଟ୍ରୋସିଟି ଆଇନରେ ମିଥ୍ୟା କେଶ ରୁଜୁ କରିଛନ୍ତି। ଏହାବ୍ୟତିତ ଥାନା ଅଧିକାରୀ ସମାଜସେବୀ ସନ୍ଧ୍ୟାରାଣୀ ପଲାଇ ଓ ରାଜକନିକାରେ ଉପସ୍ଥିତ ନଥିବା ବିଜେପି ନେତ୍ରୀ ଶ୍ରୀମତୀ ବାରିକଙ୍କ ନାମରେ ମଧ୍ୟ ମିଥ୍ୟା ମାମଲା ରୁଜୁ କରିଛନ୍ତି। ଏସମ୍ପର୍କରେ ଶ୍ରୀମତୀ ବାରିକ ରାଜ୍ୟ ଗୃହ ବିଭାଗ ସଚିବଙ୍କ ନିକଟରେ ଲିଖିତ ଅଭିଯୋଗ କରିବାରୁ କେନ୍ଦ୍ରାପଡା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଧାକର ସାହୁଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ। ଅତିରିକ୍ତ ଏସପି ଶ୍ରୀ ସାହୁ ଗତ ଜୁଲାଇମାସ ୨୬ତାରିଖରେ ତଦନ୍ତ ପାଇଁ ରାଜକନିକା ଥାନାକୁ ଗଲେ। ଥାନାର ସି.ସି.ଟିଭି ଫୁଟେଜକୁ ଥାନାଧିକାରୀ ନଷ୍ଟ କରିଦେଇଥିବା ବେଳେ ଥାନାଧିକାରୀଙ୍କ ବ୍ୟବହାର ଅତ୍ୟନ୍ତ ଖରାପ ବୋଲି ଲୋକମାନେ ସାକ୍ଷ୍ୟ ପ୍ରଦାନ କରିଥିଲେ ବି ଘଟଣା ଘଟିବାର ଏକମାସରୁ ଉର୍ଦ୍ଧ୍ୱ ସମୟ ପରେ ମଧ୍ୟ କୈାଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ଥାନାକୁ ନ୍ୟାୟ ପାଇବା ଆଶାରେ ଯାଇଥିବା ସାଧାରଣ ଦଳିତ ମହିଳାଙ୍କ ସମେତ ସମାଜସେବୀ ଏବଂ ବିଜେପି ଦଳର ଜଣେ ନେତ୍ରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଧମକଚମକ ଦେଇଥିବା ଥାନାଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରିବର୍ତ୍ତେ ଅଭିଯୋଗକାରୀଙ୍କ ସମେତ ତାଙ୍କୁ ସାହାଯ୍ୟ ଓ ସହଯୋଗ କରୁଥିବା ସମସ୍ତଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରିଦେଲା ରାଜକନିକା ଥାନା ପୋଲିସ। ଏଭଳି ଘଟଣା ରାଜକନିକା ଥାନାରେ ବାରମ୍ବାର ଘଟି ଚାଲିଛି। ଥାନାକୁ ଯିବାକୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେଲାଣି। ଜଣେ ଥାନାଧିକାରୀ କାହାର ବାହୁ ଛାୟା ତଳେ ରହି ସାଧାରଣ ଲୋକଙ୍କୁ ଏଭଳି ବ୍ୟବହାର କରୁଛନ୍ତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିସହିତ ଦୋକାନରୁ ଚୋରୀ ହୋଇଥିବା ଅଭିଯୋଗ ନେଇ ଥାନାକୁ ଯାଇଥିବା ଦଳିତ ଗରିବ ମହିଳା ମଲ୍ଲି ମଲିକ ଓ ଝରଣା ମଲିକ ଥାନାରୁତ ନ୍ୟାୟ ପାଇଲେନି ପରନ୍ତୁ ସେମାନେ ନିଜର ଜୀବିକା ହରାଇ ବସିଲେ। ଏସମ୍ପର୍କରେ ପିଡିତା ଝରଣା ମଲିକ ଓ ମଲ୍ଲି ମଲିକ କେନ୍ଦ୍ରାପଡା ଏସପି ଓ ଜିଲ୍ଲାପାଳଙ୍କ ନିକଟରେ ବାରମ୍ବର ଅଭିଯୋଗ କରି ନିରାଶ ହେବା ପରେ କେନ୍ଦ୍ରାପଡା ଏସପି ଦଳିତ ବିରୋଧି ବୋଲି ଅଭିଯୋଗ କରିବା ସହିତ ଆସନ୍ତା ୧୮ତାରିଖରେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବେ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ