ନକଟିଗୁଡାର ଆକର୍ଷଣ ସାଜିବ ଜୟପୁରର ହାୱା ମହଲ ମଣ୍ଡପ ୧୫ ବର୍ଷରେ ପଦାର୍ପଣ
କଳାହାଣ୍ଡି,(ଚିତ୍ତରଞ୍ଜନ ବିଷି): ମା’ ଦୁର୍ଗାଙ୍କ ଆଗମନରେ କଳାହାଣ୍ଡି ଜିଲା ଭବାନୀପାଟଣା ସହର ଚଳ ଚଞ୍ଚଳ ହୋଇ ଉଠିଛି।ଏପରି ସ୍ଥଳେ ସହରର ନକଟିଗୁଡା ପୂଜା ମଣ୍ଡପ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥାଏ। ପ୍ରତିବର୍ଷ ଏଠାକାର ପୂଜା କମିଟି ପକ୍ଷରୁ ନିଆରା ମଣ୍ଡପ ତିଆରି କରି ପଶ୍ଚିମ ଓଡିଶାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏଠାରେ ବିଭିନ୍ନ ରୂପରେ ସୁନ୍ଦର ଓ ସୁଉଚ୍ଚ ଆକର୍ଷଣୀୟ ପୂଜା ମଣ୍ଡପ ପ୍ରସ୍ତୁତ କରାଯାଏ। ଯାହାକି ଜିଲାର ହଜାର ହଜାର ଭକ୍ତଙ୍କ ମନ ମୋହିଥାଏ। ଚଳିତବର୍ଷ ନକଟିଗୁଡା ପୂଜା କମିଟି ପକ୍ଷରୁ ଢେଙ୍କାନାଳ,କଟକ କାରିଗରମାନଙ୍କ ଦ୍ବାରା ରାଜସ୍ଥାନ ଜୟପୁରର ହାୱା ମହଲ ଆକୃତିରେ ପୂଜା ମଣ୍ଡପ ନିର୍ମାଣ କରାଯାଇଛି। ଏଥର ନକଟିଗୁଡା ସାର୍ବଜନୀନ ଦୁର୍ଗା ପୂଜା ୧୫ ବର୍ଷରେ ପଦାର୍ପଣ କରିଛି। ୨୦୧୧ ମସିହାରେ ନକଟିଗୁଡାରେ ସାର୍ବଜନୀନ ଦୁର୍ଗାପୂଜା ଆରମ୍ଭ ହୋଇଥିଲା। ଉକ୍ତ ବର୍ଷ ପୁରୀ ଶ୍ରୀମନ୍ଦିର ଆକୃତିର ମଣ୍ଡପ ନିର୍ମାଣ କରାଯାଇଥିଲା। ୨୦୧୨ ରେ ଚେନାଇ ଆଇପ୍ପା ମନ୍ଦିର,୨୦୧୩ ରେ ତିରୁପତି ଵାଲାଜୀ ମନ୍ଦିର, ୨୦୧୪ ରେ କର୍ଣ୍ଣାଟକ ବିଧାନସଭା,୨୦୧୫ ରେ ଅକ୍ଷରଧାମ ମନ୍ଦିର,୨୦୧୬ ରେ କୋଣାର୍କ ସୂର୍ଯ୍ୟ ମନ୍ଦିର, ୨୦୧୭ରେ ଋଷିକେଶ ମନ୍ଦିର, ୨୦୧୮ରେ ବୃନ୍ଦାବନ ଚନ୍ଦ୍ରୋଦୟା ମନ୍ଦିର,୨୦୧୯ରେ ଭୁବନେଶ୍ବର ରାମମନ୍ଦିର ସଦୃଶ ପୂଜା ମଣ୍ଡପର ରୂପ ଦିଆଯାଇଥିଲା। କୋଭିଡ ସମୟରେ କେବଳ ମା’ଜଗତ ଜନନୀଙ୍କ ବିଧି ପୂଜା କରାଯାଇଥିଲା।ପରେ ୨୦୨୨ ରେ ରାଷ୍ଟ୍ରପତି ଭବନ, ୨୦୨୩ ରେ ଋଷିଆର ହର୍ମିଟେଜ ମ୍ୟୁଜିୟମ ଓ ୨୦୨୪ରେ ଦିଲ୍ଲୀର ଲାଲକିଲ୍ଲା ମଣ୍ଡପ ଆକାରର ତୋରଣ କରାଯାଇଥିଲା।
ଚଳିତ ବର୍ଷ ନକଟିଗୁଡାରେ ରାଜସ୍ଥାନ ଜୟପୁରର ହାୱା ମହଲ ଆକୃତିର ପୂଜା ମଣ୍ଡପ ପ୍ରସ୍ତୁତ ହୋଇଛି। ଯାହାକି ପ୍ରାୟ ୧୧୫ ଫୁଟ ଲମ୍ବ ଓ ୬୨ ଫୁଟ ଉଚ୍ଚତା ବିଶିଷ୍ଟ । ଏହି ପୂଜା ମଣ୍ଡପ ନିର୍ମାଣରେ ଢେଙ୍କାନାଳ,କଟକ ଓ ସ୍ଥାନୀୟ କୁଶଳୀ କାରିଗର ଦିନରାତି ଏକକରି ଏହା ପ୍ରସ୍ତୁତ କରୁଛନ୍ତି।ପୂଜା ମଣ୍ଡପର ପ୍ରବେଶପଥ ମା’ ମାଣିକେଶ୍ଵରୀଙ୍କ ଦ୍ଵାର ମୁହଁ ଓ ମଣ୍ଡପ ନିକଟରେ ମାଣିକେଶ୍ଵରୀ ମନ୍ଦିର ସଦୃଶ ଆକୃତି ନିର୍ମାଣ ହୋଇଛି। ଏହାସହ କୋଲକାତାର ମୂର୍ତ୍ତି କାରିଗର ଓ ମନୋରଞ୍ଜନ ଲାଇଟ୍ସ ପକ୍ଷରୁ ପୂଜାକୁ ଆକର୍ଷଣ କରିବା ପାଇଁ ଫୁଲ ଦମରେ ଲାଗିଛନ୍ତି। ଚଳିତବର୍ଷ ମଧ୍ୟ ଏହି ପୂଜା ମଣ୍ଡପ ମୁଖ୍ୟ ଆକର୍ଷଣ ହେବ ବୋଲି ଆଶା ରଖିଛନ୍ତି ପୂଜା କମିଟି କର୍ମକର୍ତ୍ତା। ପୂଜା ସମୟ ମଧ୍ୟରେ ମା’ ମାଣିକେଶ୍ଵରୀଙ୍କ ବିଶ୍ୱବିଖ୍ୟାତ ଛତରଯାତ୍ରା ପାଇଁ ଭବାନୀପାଟଣା ସହରରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ। ସେହି ସମୟରେ ପୂଜା ମଣ୍ଡପ ଭକ୍ତମାନଙ୍କ ଆକର୍ଷଣ ପାଲଟିଥାଏ। ଚଳିତବର୍ଷ ମଧ୍ୟ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବା ଆଶା କରାଯାଉଛି। ଭକ୍ତମାନଙ୍କ ମନରେ ଉତ୍ସାହ ଉଦ୍ଦୀପନା ସହ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିବା ଓ ମନୋରଞ୍ଜନର ଖୋରାକ ଯୋଗାଇବା ପାଇଁ ଆମେ ପ୍ରୟାସ କରୁଛୁ ବୋଲି ନକଟିଗୁଡା
ଦୁର୍ଗାପୂଜା କମିଟିର ସଭାପତି ସାମନ୍ତ ଖମାରୀ, ସମ୍ପାଦକ ସୁକାନ୍ତ ବିଶି ଓ କୋଷାଧ୍ୟକ୍ଷ ବିରେନ୍ଦ୍ର ଖମାରୀ ପ୍ରକାଶ କରିଛନ୍ତି। ରବିବାର ଏଠାରେ କଳସ ଯାତ୍ରା ହୋଇଥିବାବେଳେ ସୋମବାର ଠାରୁ ମା’ଙ୍କ ପୂଜା ଆରମ୍ଭ ହୋଇଛି। ଯାହାକି ଆସନ୍ତା ଅକ୍ଟୋବର ୨ ତାରିଖ ପ୍ରଯ୍ୟନ୍ତ ଚାଲିବ।୩ ତାରିଖ ବିସର୍ଜନ ରହିଛି। ୨ରେ ଲାଖମରା ଓ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହେବ। ରାବଣ ପୋଡି ଉତ୍ସବ ଏଥର ମୁଖ୍ୟ ଆକର୍ଷଣ ଉତ୍ସବ ହେବ ବୋଲି ଜଣାପଡିଛି।
ଏଥର ପୂଜାରେ କର୍ତ୍ତା ଭାବେ ନରେନ୍ଦ୍ର କୁମାର ଦାଶ ଓ ସହଧର୍ମିଣୀ ରଶ୍ମି ପ୍ରଭା ଦାଶ ଦାୟିତ୍ବ ତୁଲାଉଥିବାବେଳେ ସମ୍ବଲପୁର ବ୍ରାହ୍ମଣ ସମାଜର ମୁଖ୍ୟ ପୂଜକ ଗିରିଶ ଚନ୍ଦ୍ର ହୋତା ସହ ୫ ଜଣ ଦାୟିତ୍ବ ତୁଲାଉଛନ୍ତି। ପୂଜା ମଣ୍ଡପ ନିକଟରେ ମିନାବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦାଣ୍ଡିଆ ଓ ମହିଳା ଦଣ୍ଡନୃତ୍ୟ ପ୍ରମୁଖ ରହିଛି । ଚଳିତ ବର୍ଷ ବ୍ୟୟ ଅଟକଳ ପ୍ରାୟ ୨୫ଲକ୍ଷରୁ ଅଧିକ ରହିଛି। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୦ଟି ସିସିଟିଭି, ଉଭୟ ପୁରୁଷ ଓ
ମହିଳାଙ୍କ ନିମନ୍ତେ ଶୌଚାଳୟ ଓ ସାଇକେଲ ଷ୍ଟାଣ୍ଡ ବ୍ୟବସ୍ଥା କରାଯିବା ବୋଲି ଆୟୋଜକ କମିଟି ସଭାପତି ସାମନ୍ତ ଖମାରୀ ସୂଚନା ଦେଇଛନ୍ତି।