ଆସିକା ପୋଲିସ ପକ୍ଷରୁ “ଅପରେସନ୍‍ ଅଗ୍ନି” ଅଭିଯାନ

ଆସିକା (ୱାଇଏନ୍‍ଏସ୍‍) :ରାଜ୍ୟ ପୋଲିସ ମୁଖ୍ୟାଳୟ ଓ ଗଞ୍ଜାମ ଜିଲ୍ଲା ପୋଲିସ ପ୍ରଶାସନର ନିର୍ଦ୍ଦେଶକ୍ରମେ ଆସିକା ଥାନା ପରିସରଭୁକ୍ତ ଅଞ୍ଚଳରେ ବେଆଇନ ବାଣ କାରବାରକୁ ରୋକିବା ପାଇଁ ଚାଲିଥିବା ଅପରେସନ୍‍ ଅଗ୍ନି ଅଭିଯାନକୁ ସଚେତନ ନାଗରିକ ଓ ବୁଦ୍ଧିଜୀବୀ ମହଲରେ ସ୍ୱାଗତ ଓ ଉଚ୍ଚ ପ୍ରଶଂସା କରାଯାଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ଥାନା ପରିସରଭୁକ୍ତ ଅଞ୍ଚଳରେ ଚୋରା ବାଣ କାରବାର ରୋକିବା ପାଇଁ ଆକ୍ସନ୍‍ ମୁଡକୁ ଓହ୍ଲାଇଛି ଆସିକା ପୋଲିସ । ଆସିକା ଏନ୍‍ଏସି ପରିସରଭୁକ୍ତ ଖମ୍ବେଶ୍ୱରୀପାଟଣା ଅଞ୍ଚଳରେ ଏକ ଘର ମଧ୍ୟରେ ବିପୁଳ ପରିମାଣର ବାଣ ମହଜୁଦ ଥିବା ସଂକ୍ରାନ୍ତରେ କୌଣସି ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇ ଆସିକା ଥାନା ଅଧିକାରୀ କୁଳମଣି ସେଠୀଙ୍କ ପରାମର୍ଶକ୍ରମେ ଏକ ଟିମ୍‍ ଅତର୍କିତ ଚଢାଉ କରି ପ୍ରାୟ ଲକ୍ଷାଧିକ ଟଙ୍କାର ବାଣ ଜବତ କରିବା ସାଙ୍ଗକୁ ଘଟଣା ସଂକ୍ରାନ୍ତରେ ୫୮୭/୨୦୨୫ରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି । ଏହି ବେଆଇନ ବାଣ ମହଜୁଦ କାରବାରରେ ସଂପୃକ୍ତ ଥିବା ଜଣେ ଯୁବକଙ୍କୁ ପୋଲିସ ପଚରାଉଚରା କରିବା ସାଙ୍ଗକୁ ବ୍ୟକ୍ତିଗତ ମୁଚାଲିକାରେ ଛଡାଯାଇଛି ବୋଲି ଥାନା ଅଧିକାରୀ କୁଳମଣି ସେଠୀ ସୂଚନା ଦେଇଛନ୍ତି । ଆସିକା ଥାନା ପରିସରଭୁକ୍ତ ଅଞ୍ଚଳରେ ବେଆଇନ ବାଣ ପ୍ରସ୍ତୁତି ଓ ବାଣ ବିକ୍ରୀ କରୁଥିବା ବ୍ୟବସାୟୀଙ୍କ ଉପରେ ପୋଲିସ ସ୍ୱତନ୍ତ୍ର ଓ ତୀକ୍ଷଣ ନଜର ରଖିଥିବାରୁ ଚୋରା ବାଣମାଫିଆଙ୍କ ମଧ୍ୟରେ ଛନକା ପଶିଯାଇଥିବା ସଚେତନ ନାଗରିକ ମହଲରେ ଚର୍ଚ୍ଚ ହେଉଛି । ଆଲୋକର ପର୍ବ ଦୀପାବଳୀରେ ସବୁଜ ବାଣ ଫୁଟାଇବା ପାଇଁ ସଚେତନ କରାଯାଉଥିବା ଜଣାପଡିଛି । ଅପରସେନ୍‍ ଅଗ୍ନି ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମରେ ଗତ ସେପ୍ଟେମ୍ବର ମାସ ୨୫ ତାରିଖ ଦିନ ଆସିକା ପୋଲିସ ମିନି ଶିବକାଶୀ ରୂପେ ପରିଚିତ ଥିବା ନଳବଣ୍ଟା ଗ୍ରାମ ଉପରେ ଚଢାଉ କରି ପ୍ରଚୁର ପରିମାଣର ବାଣ ଜବତ କରିବା ସାଙ୍ଗକୁ ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ବେଳେ ବର୍ତ୍ତମାନ ପୁଣି ଖମ୍ବେଶ୍ୱରୀପାଟଣା ଅଞ୍ଚଳର ଏକ ଘରେ ଚଢାଉ କରି ପ୍ରାୟ ଲକ୍ଷାଧିକ ଟଙ୍କାର ବାଣ ଜବତ କରିବା ଘଟଣାକୁ ନେଇ ସାଧାରଣରେ ପୋଲିସର ପଦକ୍ଷେପକୁ ସ୍ୱାଗତ କରାଯାଉଥିବା ଲକ୍ଷ୍ୟ କରାଯାଉଛି । ଆଉମାତ୍ର ଦିନ କେଇଟା ପରେ ପାଳିତ ହେବାକୁ ଥିବା ଆଲୋକର ପର୍ବ ଦୀପାବଳୀ ଅବସରରେ ଆସିକା ଅଞ୍ଚଳର କେତେକ ମୁନାଫ୍‍ଖୋର ବ୍ୟବସାୟୀ ଲୁଚାଛପାରେ ବାଣ ବ୍ୟବସାୟ କରୁଥିବା ମଧ୍ୟ ଆଲୋଚିତ ହେଉଛି । ଜନସାଧାରଣଙ୍କ ଜୀବନ ଓ ସଂପତ୍ତିର ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଆସିକା ପୋଲିସ ପକ୍ଷରୁ ଚାଲିଥିବା ଅପରେସନ୍‍ ଅଗ୍ନି ଅଭିଯାନ ଏକ ସ୍ୱାଗତଯୋଗ୍ୟ ପ୍ରୟାସ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି । ଆଲୋକର ପର୍ବ ଦୀପାବଳୀକୁ ଦୃଷ୍ଟିରେ ରଖି ବେଆଇନ ଭାବେ ବାଣ ପ୍ରସ୍ତୁତି ଓ ଆତସବାଜି ବିକ୍ରୀ, ବିଷ୍ଫୋରକ ମହଜୁଦ, ବିନା ଅନୁମତିରେ ପରିବହନକୁ ରୋକିବା ଲକ୍ଷ୍ୟରେ ଆସିକା ପୋଲିସ ଅପରେସନ୍‍ ଅଗ୍ନି ଅଭିଯାନ ଜାରି ରଖିଥିବା ଜଣାପଡିଛି । ଦୀପାବଳୀ ସମୟରେ ଆସିକା ଅଞ୍ଚଳରେ ଲକ୍ଷ ଲକ୍ଷ ଟଙ୍କାର ଆତସବାଜି ବିକ୍ରୀ ହୋଇଥାଏ । ସର୍ବସାଧାରଣରେ ଆବଶ୍ୟକୀୟ ଭିତ୍ତିଭୂମୀ ଓ ସୁରକ୍ଷା ବ୍ୟବସ୍ଥାକୁ ସର୍ବାଧିକ ଗୁରୁତ୍ୱ ଦେଇ ଆତସବାଜି ବିକ୍ରୀ ପାଇଁ ନୀତିନିୟମ ଅନୁଯାୟୀ ଆବେଦନ କରିଥିବା ବହୁ ବ୍ୟବସାୟୀଙ୍କୁ ପ୍ରଶାସନ ପକ୍ଷରୁ ଅସ୍ଥାୟୀ ଭାବେ ଲାଇସେନ୍ସ ପ୍ରଦାନ କରାଯାଇଥାଏ । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର କେତେକ ବାଣ ବ୍ୟବସାୟୀ ଅଧିକ ଲାଭ ପାଇବା ଆଶା ଓ ବିଭିନ୍ନ କିସମର ଆତସବାଜି ଗ୍ରାହକଙ୍କୁ ଯୋଗାଇଦେବା ଲକ୍ଷ୍ୟରେ ପ୍ରଚୁର ପରିମାଣର ବାଣ ଆଣି କେତେକ ଗୁପ୍ତ ଗୋଦାମରେ ମହଜୁଦ ରଖିଥିବା ମଧ୍ୟ ସାଧାରଣରେ ଚର୍ଚ୍ଚା ହେଉଥିବା ଲକ୍ଷ୍ୟ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ