ବେଳାଭୂମିରେ ଏ ଯାଏ ହେଲାନି ବିଶ୍ରାମଗାର :ଅକ୍ଟୋବର ଆସିଲେ ଅସ୍ତରଙ୍ଗ ବାସୀଙ୍କ ଛାତି ଥରେ
କାକଟପୁର /ଅସ୍ତରଙ୍ଗ :(ଶୁଭାଶିଷ ଖଣ୍ଡୁଆଳ ):-ଲଘୁଚାପ ଜନିତ ବର୍ଷା ସାଙ୍ଗକୁ ତୁହାକୁ ତୁହା ବର୍ଷା ସମୟରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ପୀରଜାହାନିଆ ରେ ପର୍ଯ୍ୟଟକ ଅସୁବିଧା ସମ୍ମୁଖୀନ ହେଉଛନ୍ତି।ଅନ୍ୟ ପଟେ ସମୁଦ୍ର ଅଶାନ୍ତ ଥିବା ବେଳେ ସମୁଦ୍ରକୂଳିଆ ଅଧିବାସୀଙ୍କ ମନରେ ଭୟ ସଂଚାର ହୋଇଛି। ସମୁଦ୍ର ଲଘୁଚାପ ହେତୁ ଅଶାନ୍ତ ହୋଇପଡିଛି। ଅସ୍ତରଙ୍ଗ ସ୍ଥିତ ବଙ୍ଗୋପସାଗର ଉପକୂଳରେ ସମୁଦ୍ର ଫୁଲି ଉଠିବା ସହିତ ଉଚ୍ଚ ଢେଉ କୂଳରେ ମାଡ଼ ହେଉଛି। ଅସ୍ତରଙ୍ଗ ଏକ ବାତ୍ୟା ପ୍ରବଣ ଅଞ୍ଚଳ ଭାବେ ସମଗ୍ର ରାଜ୍ୟରେ ଜଣାଶୁଣା। ଯେତେବେଳେ ବାତ୍ୟା ଆସେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳ ସମେତ ଉପକୂଳ ଅଞ୍ଚଳର ଜନଜୀବନ ବିପର୍ଯ୍ୟସ୍ତ ହେବାର ଅନେକ ନଜିର ରହିଛି। ମହାବାତ୍ୟାର ସେହି କରାଳ ରୂପ ଏ ପର୍ଯ୍ୟନ୍ତ ଅସ୍ତରଙ୍ଗ ଅଞ୍ଚଳବାସୀ ମନରୁ ଲିଭି ନାହିଁ। ଅକ୍ଟୋବର ମାସ ଆରମ୍ଭ ହେଲେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବାସୀଙ୍କ ମହାବାତ୍ୟା କଥା ମନେ ପଡ଼ିଯାଏ। ଅକ୍ଟୋବର ମାସରେ ବଙ୍ଗୋପସାଗର ରେ ଲଘୁଚାପ ସୃଷ୍ଟି ହୋଇ ବର୍ଷା ଜାରି ହେଲେ ମହାବାତ୍ୟା କୁ ମନେ ପକାଇ ଦେଇଥାଏ। ବାତ୍ୟାର ଆଶଙ୍କା ନ ଥିଲେ ମଧ୍ୟ ବର୍ତମାନର ପରିସ୍ଥିତିକୁ ଦେଖି ବାତ୍ୟାର ପରିବେଶ ଅସ୍ତରଙ୍ଗ ବାସୀଙ୍କ ମନକୁ ଆନ୍ଦୋଳିତ କରିଥାଏ। ବାତ୍ୟା ହେଲେ ଅସ୍ତରଙ୍ଗ ବାସୀ କି ପ୍ରକାର ସ୍ଥିତିର ସମ୍ମୁଖୀନ ହେବେ। ସେ ନେଇ ଲୋକେ ଆତଙ୍କିତ ହୋଇ ପଡିଛନ୍ତି। ବିଶେଷ କରି ଅସ୍ତରଙ୍ଗ ସମୁଦ୍ର ତଟରେ ରହୁଥିବା ମସ୍ଚ୍ୟଜୀବି ଓ ସମୁଦ୍ର ନିକଟବର୍ତ୍ତୀ ବାସିନ୍ଧା ମାନେ ବାତ୍ୟାକୁ ନେଇ ଆତଙ୍କିତ ହେଉଥିବା ବେଳେ ଅସ୍ତରଙ୍ଗ ବ୍ଲକ ବିଭିନ୍ନ ସ୍ଥାନରେ ବାତ୍ୟା ଆଶ୍ରୟସ୍ଥଳୀ ଭୂତକୋଠି ପାଲଟିଥିବା ବେଳେ ଦୂରଦୁରାନ୍ତ ପର୍ଯ୍ୟଟକ ପୀରଜାହାନିଆ ବୁଲିବାକୁ ଆସୁଥିଲେ ମଧ୍ୟ ବର୍ଷା ରକ୍ଷା ପାଇଁ ଏକ ବିଶ୍ରାମସ୍ଥଳୀ ମଧ୍ୟ ନାହିଁ। ମିଳିଥିବା ତଥ୍ୟ ଅନୁସାରେ ୧୯୯୯ମସିହା ଅକ୍ଟୋବର ୨୯ତାରିଖ ରେ ମହାବାତ୍ୟା ହୋଇଥିଲା। ଅସ୍ତରଙ୍ଗ ବ୍ଲକ ସମେତ ବିଭିନ୍ନ ଗ୍ରାମ ଓ ନିକଟସ୍ଥ ବ୍ଲକ ଅଂଚଳର ବ୍ୟାପକ କ୍ଷୟକ୍ଷତି ଘଟିଥିଲା।ପୀରଜାହାନିଆ ଅଞ୍ଚଳ ବାସିନ୍ଦା ସର୍ବେଶ୍ୱର ବିଶ୍ୱାଳ କହିଛନ୍ତି ରାଜ୍ୟର କୋଣ ଅନୁକୋଣ ରୁ ପୀର ଜାହାନିଆ ବେଳାଭୂମି ବୁଲିବାକୁ ଆସିଥିବା ବେଳେ ବିଶ୍ରାମସ୍ଥଳୀ ନଥିବାରୁ ଅଚାନକ ବର୍ଷା ହେଲେ ଅସୁବିଧା ସମ୍ମୁଖୀନ ହେଉଛନ୍ତି। ତେଣୁ ବର୍ଷା ଦାଉରୁ ହେଉ କି ପ୍ରାକୃତିକ ଦୁର୍ବିପାକ ରୁ ହେଉ ସେଥିରୁ ରକ୍ଷା ପାଇବା ପାଇଁ ଆଶ୍ରୟସ୍ଥଳୀ ନିର୍ମାଣ କରିବାକୁ ଶ୍ରୀ ବିଶ୍ୱାଳ କହିଛନ୍ତି।


