ନିଆଳି ମାଧବରୁ ଶ୍ରୀ କ୍ଷେତ୍ର ଶ୍ରୀ ଜଗନ୍ନାଥଙ୍କ ପୋଢୁଁଆ ଭାର ଯାତ୍ରା
ସନ୍ତୋଷ କୁମାର ଦାଶ
ପୁରୀ ଶ୍ରୀ ମନ୍ଦିର ରେ ଓଡ଼ିଆ ଜାତି ର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥ ମାନବୀୟ ଲୀଳା କରୁଛନ୍ତି। ମାର୍ଗଶିର ମାସ ର ଅଷ୍ଟମୀ ତିଥିରେ ଓଡ଼ିଆ ପରିବାର ର ଜ୍ୟେଷ୍ଠ ସନ୍ତାନ ମାମୁଁ ଘର ପକ୍ଷରୁ ପୋଢୁଁଆ ହେବା ବିଧି ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରା ରେ ରହିଆସିଛି। ଓଡ଼ିଆ ଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥ ବା ଏଥିରୁ ବାଦ ପଡ଼ିବେ କିପରି ? ଶ୍ରୀ ଜଗନ୍ନାଥ ଙ୍କ ମାମୁଁ ଘର ( ମଉଳା ଘର) ଭାବେ ପରିଚିତ ପ୍ରାଚୀ ଉପତ୍ୟକା ମାଧବ ଗ୍ରାମ ର ଦୂର୍ଗାମାଧବ ମନ୍ଦିର ରୁ ବଡ଼ଠାକୁର ଶ୍ରୀ ବଳଭଦ୍ର, ଶ୍ରୀ ଜଗନ୍ନାଥ, ଦେବୀ ସୁଭଦ୍ରା ଙ୍କ ପାଇଁ ପୋଢୁଁଆ ଭାର ଯାଇଥାଏ। ଭାର ରେ ତୁଳସୀ, ପାଟବସ୍ତ୍ର, ନଡ଼ିଆ, ବିଭିନ୍ନ ଫଳ ମୂଳ, ଚନ୍ଦନ କାଠ, ଗୁଆଘିଅ, ବିଭିନ୍ନ ପ୍ରକାରର ପିଠା, ଗୀତ ଗୋବିନ୍ଦ ଖଣ୍ଡୁଆ ସବୁ ନେଇ ମାଧବ ଓ ଶ୍ରୀ ଜଗନ୍ନାଥ ପ୍ରେମୀ ଭକ୍ତ ମାନେ ଏକ ବିରାଟ ଶୋଭାଯାତ୍ରା ରେ ପ୍ରାଚୀ ଉପତ୍ୟକା ମାଧବ ମନ୍ଦିର ରୁ ବାହାରି ପୁରୀ ଶ୍ରୀ କ୍ଷେତ୍ର ଯାଇଥାନ୍ତି। ଶ୍ରୀ ଗୁଣ୍ଡିଚା ମନ୍ଦିର ଠାରୁ ଶ୍ରୀ ମନ୍ଦିର ପର୍ୟ୍ୟନ୍ତ ବଡ଼ଦାଣ୍ଡ ରେ ଅନୁଷ୍ଠିତ ହୋଇଥାଏ ପୋଢୁଁଆ ଭାର ଶୋଭାଯାତ୍ରା। ହରିବୋଲ, ହୁଳହୁଳି, ନାମ ସଙ୍କୀର୍ତ୍ତନ ଓ ଜୟ ଜଗନ୍ନାଥ ଧ୍ଵନୀ ରେ ପ୍ରକମ୍ପିତ ହୋଇପଡ଼େ ଶ୍ରୀ କ୍ଷେତ୍ର ର ବଡ଼ ଦାଣ୍ଡ। ମାଧବ ମନ୍ଦିର ର ସେବକ, ମାଧବ ପ୍ରେମୀ ମାନେ ସାଙ୍ଗରେ ନେଇଥିବା ଭାର ସାମ୍ରଗୀ ସବୁକୁ ଶ୍ରୀ ମନ୍ଦିର ପ୍ରଶାସନ କୁ ପ୍ରଦାନ କରିଥାନ୍ତି। ଶ୍ରୀ ଜଗନ୍ନାଥ ଙ୍କ ମାମୁଁ ଘର ପ୍ରାଚୀ ଉପତ୍ୟକା ର ଦୂର୍ଗା ମାଧବ ମନ୍ଦିର ରୁ ଅତୀତ ରେ ଶ୍ରୀ ବିଗ୍ରହ ମାନଙ୍କ ପାଇଁ ପୋଢୁଁଆ ଭାର ଯାଉଥିବା ସମ୍ପର୍କ ରେ ଅନେକ ଗବେଷକ ମାନେ ମତ ପ୍ରକାଶ କରିଛନ୍ତି।ଏହି ପରମ୍ପରା ବହୁ ପୂର୍ବରୁ ପ୍ରଚଳିତ ଥିଲା । କିନ୍ତୁ କାଳକ୍ରମେ ଏହା ବନ୍ଦ ହୋଇ ଯାଇଥିଲା । ସ୍ଥାନୀୟ ବୁଦ୍ଧିଜୀବୀ, ମାଧବ ଙ୍କ ସେବକ, ମାଧବ ପ୍ରେମୀ ମାନଙ୍କ ପ୍ରଚେଷ୍ଟାରେ ଏହି ପରମ୍ପରାକୁ ପୁନଃ ଉଜ୍ଜୀବିତ କରାଯାଇ ପାରିଛି। ପ୍ରାଚୀନ କିମ୍ୱଦନ୍ତୀ, ଜନଶ୍ରୁତି ଓ ପୁରାତନ ତଥ୍ୟ ଅନୁସାରେ ଶ୍ରୀ ଦୂର୍ଗା ମାଧବ ପୀଠ ମହାପ୍ରଭୁ ଙ୍କ ମଉଳାଘର । ବହୁ ପ୍ରାଚୀନ ଦଲିଲରୁ ମଧ୍ୟ ଏ ସଂପର୍କରେ ସୂଚନା ମିଳେ।ମାଧବ ଠାକୁର ଙ୍କ ପୁଷ୍ପାଳକ ସେବାୟତ ଙ୍କ ଘରୁ ୧୮୬୦ ରେ ଗଜପତିଙ୍କ ଦ୍ବାରା ଜାରି ସନନ୍ଦର କିୟଦଂଶ ପ୍ରାପ୍ତ ହୋଇଛି। ଏଥିରେ ଥିବା ତଥ୍ୟ ଅନୁସାରେ, ପୂର୍ବରୁ କୋଠଭୋଗ ମଠ ଶ୍ରୀମନ୍ଦିରକୁ ପୋଢୁଁଆ ଅଷ୍ଟମୀ ର ଆବଶ୍ୟକ ଦ୍ରବ୍ୟ, ସାମଗ୍ରୀ ଯୋଗାଉଥିଲେ। ମାଧବ ଙ୍କ ଛତିଶା ନିଯୋଗ ରେ ଯେଉଁମାନେ ‘ଗୋସ୍ବାମୀ’ ଅନ୍ତର୍ଭୁକ୍ତ। ସେମାନେ ପୁରୀ କୋଠ ଭୋଗ ମଠର ମଧ୍ୟ ମାର୍ପତଦାର ଥିଲେ। ସେତେବେଳ ର ରାଜା ରାଜୁଡ଼ା ସମୟରେ ପ୍ରାଚୀ ଉପତ୍ୟକାରୁ ଆଦାୟ ଖଜଣା ( କର) କୁ ମାଧବପୀଠ ରୁ ମାର୍ଗଶୀର କୃଷ୍ଣ ସପ୍ତମୀରେ ଶ୍ରୀଜିଉ ଙ୍କ ଉଦ୍ଦେଶ୍ୟରେ ଶ୍ରୀନଅରକୁ ପଠାଯାଉଥିଲା । ଶ୍ରୀ ଦୁର୍ଗା ମାଧବ ଙ୍କ ପ୍ରପର୍ଟି ରେଜିଷ୍ଟରରେ ଉଲ୍ଲଖିତ ତଥ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ମାମୁଁ ଘର ବିଷୟରେ ବିବରଣୀ ଅଛି। ଦେବୋତ୍ତର ବିଭାଗ କମିସନର ଙ୍କ କାର୍ଯ୍ୟାଳୟରୁ ୨୭.୦୭.୧୯୮୧ ରେ ମାଧବର ମ୍ୟାନେଜିଂ ଟ୍ରଷ୍ଟି ଜଗନ୍ନାଥ ପୁଷ୍ପାଳକ ଗ୍ରହଣ କରିଥିବା ବିବରଣୀ ରେ ଏହି ସୂଚନା ଅଛି। ୨୦ ପୃଷ୍ଠା ସମ୍ବଳିତ ଏହି ନଥିର ସପ୍ତମ ପୃଷ୍ଠା କ୍ରମିକ ନଂ- ୦୭ ରେ ଏ ସଂପର୍କିତ ବିସ୍ତୃତ ତଥ୍ୟ ରହିଛି। ସେହି ଅନୁସାରେ ଦୁର୍ଗା ମାଧବ ଙ୍କ ନାମାନୁସାରେ ଗ୍ରାମର ନାମ ମାଧବ ରଖାଗଲା। ଶ୍ରୀ ଜଗନ୍ନାଥ ଙ୍କର ନବକଳେବର ବେଳେ ଦଇତା ସେବକ ମାନେ ମା ମଙ୍ଗଳାଙ୍କ ନିକଟରେ ଅଧିଆପଡ଼ି ଦାରୁ ର ସୂଚନା ପାଇବା ପରେ ଦୁର୍ଗାମାଧବ ଙ୍କର ଆଜ୍ଞାମାଳ ନେଇ ଜଗତର ନାଥ ଜଗନ୍ନାଥଙ୍କର ଦାରୁ କଟାଯାଉଥିଲା ବୋଲି ଉଲ୍ଲେଖ ରହିଛି।ଏହି ତଥ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ମଉଳା ସଂପର୍କକୁ ଉଜ୍ଜୀବିତ କରିଥାଏ। ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ମାମୁଁ ଘର ଓ ପ୍ରଥମାଷ୍ଟମୀ ନୀତିକୁ ନେଇ ଏକ ତଥ୍ୟଭିତ୍ତିକ ଦଲିଲ ହେଉଛି ଶ୍ରୀମାଧବାନନ୍ଦ ଜିଉଙ୍କ ଦୈନିକ ନୀତି ବିବରଣୀ। ୧୮୬୦ ଛାମୁ ସନନ୍ଦ ମୁତାବକ ଲିଖିତ ଦୈନିକ ବିବରଣୀର ଲେଖା ଶ୍ରୀଜଗନ୍ନାଥ ଙ୍କ ମାମୁଁ ଘର ଓ ପୋଢୁଆଁ ଭାର ସମ୍ପର୍କ ରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସନ୍ନିବେଶିତ ହୋଇଛି। ଶ୍ରୀମାଧବାନନ୍ଦ ଜିଉଙ୍କ ଦୈନିକ ନୀତି ବିବରଣୀରେ ପ୍ରଥମାଷ୍ଟମୀ ଦିନ ବ୍ୟବହୃତ ନୀତିଦ୍ରବ୍ୟର ସବିଶେଷ ଉଲ୍ଲେଖ ରହିଛି। ସେସବୁ ମଧ୍ୟରେ ଅଛି, ୨ ସେର ଏଣ୍ଡୁରୀ ଚାଉଳ, କାକରା ନିମନ୍ତେ ପାଏ ଚାଉଳ ଚୁନା, ଅଧସେର ବିରି, ଗୁଡ, ଘିଅ, ୨ଟା ନଡ଼ିଆ ଓ ୧ଟା ସିରୋପା। ଏହା ମାଧବ ପୀଠରେ ଆବଶ୍ୟକ ନୀତି ଦ୍ରବ୍ୟର ତାଲିକା ହୋଇଥିବାବେଳେ ଏହା ତଳକୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ପ୍ରଥମାଷ୍ଟମୀ ପାଇଁ ଉଦ୍ଦିଷ୍ଟ ଜମିଜମା ଖଞ୍ଜା ସଂପର୍କରେ ଉଲ୍ଲେଖ ଅଛି। ପ୍ରଖ୍ୟାତ ପ୍ରାଚୀ ଗବେଷକ ଶ୍ୟାମସୁନ୍ଦର ତ୍ରିପାଠୀଙ୍କ ଲିଖିତ ‘ବୁଦ୍ଧିଜିମ୍ ଆଣ୍ଡ୍ ଅଦର୍ ରିଲିଜିଅସ୍ କଲ୍ଟସ୍ ଅଫ୍ ସାଉଥ୍ ଇଣ୍ଡିଆ’ରେ ଏକ ବିରଳ ତଥ୍ୟ ରହିଛି। ଏଥିରୁ ଜାଣିବାକୁ ମିଳିଛି ଯେ ,ପ୍ରାଚୀ ଅଞ୍ଚଳର ଆରାଧ୍ୟ ଠାକୁର ଶ୍ରୀମାଧବାନନ୍ଦ ଜୀଉଙ୍କ ମନ୍ଦିର ରେ ପୁରୀ ଶ୍ରୀ ମନ୍ଦିର ପରି ଛତିଶା ନିଯୋଗ ଓ ମାଦଳାପାଞ୍ଜି ଥିଲା। ଏହି ମନ୍ଦିର ଶ୍ରୀଜଗନ୍ନାଥ ଙ୍କ ମଉଳାଘର। ମାଦଳା ପାଞ୍ଜିଠାରୁ ବହୁ ପୂର୍ବରୁ ରଚିତ ହୋଇଥିବା ‘ପ୍ରାଚୀ ମାହାତ୍ମ୍ୟ’ ରେ ମଧ୍ଯ ପ୍ରାଚୀ ଉପତ୍ୟକା ର ଦୂର୍ଗା ମାଧବ ମନ୍ଦିର ଶ୍ରୀଜଗନ୍ନାଥ ଙ୍କ ମାମୁଁ ଘର ବୋଲି ବର୍ଣ୍ଣିତ ହୋଇଛି। ମାଧବ ମନ୍ଦିରର ମାଦଳା ପାଞ୍ଜି ଅନୁସାରେ ଦୂର୍ଗା ମାଧବ ଙ୍କୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମାମୁଁ ଭାବରେ ପରିଚିତି ପ୍ରଦାନ କରିଛି। ଅତୀତ ରେ ମାଧବ ମନ୍ଦିର ରୁ ପ୍ରତିବର୍ଷ ଚତୁର୍ଦ୍ଧା ବିଗ୍ରହ ମାନଙ୍କ ପାଇଁ ପୋଢୁଁଆ ଭାର ଯାଉଥିଲା। କୌଣସି କାରଣରୁ ଏହି ପ୍ରଥା ବନ୍ଦ ହୋଇ ଯାଇଥିଲା। ତେବେ ଗତ ୨୦୧୯ ମସିହାରୁ ଏହି ପରମ୍ପରା ର ପୁନଃପ୍ରଚଳନ ହୋଇଆସୁଛି। ଯାହା ଏକ ଖୁସି ର ଖବର। ଏହି ପ୍ରଥା ଦ୍ୱାରା ପ୍ରାଚୀ ଉପତ୍ୟକା ଓ ପୁରୀ ଶ୍ରୀ ମନ୍ଦିର ସହିତ ରହି ଆସିଥିବା ସୁସମ୍ପର୍କ ଅଧିକ ନିବିଡ଼ ହୋଇ ପାରିଛି। ଏହି ପ୍ରଥା କୁ ରାଜ୍ୟ ସରକାର ଓ ପୁରୀ ଶ୍ରୀ ମନ୍ଦିର ପ୍ରଶାସନ ସିକୃତୀ ପ୍ରଦାନ କଲେ ଶ୍ରୀ ଜଗନ୍ନାଥ ଙ୍କ ପୋଢୁଁଆ ଭାର ଯାତ୍ରା ଶ୍ରୀ ଜଗନ୍ନାଥ ସଂସ୍କୃତି ର ଏକ ସୁନ୍ଦର ପରମ୍ପରା ଭାବେ ସିକୃତୀ ପାଇପାରନ୍ତା। ଜୟ ଜଗନ୍ନାଥ ସ୍ଵାମୀ। ଜୟ ଶ୍ରୀ ଦୂର୍ଗା ମାଧବ।
ତୁଳସୀପୁର। ପୁରୀ
୯୪୩୯୩୬୧୮୮୮


