ସର୍ବପୁରାତନ ଦଳକୁ ପୂରିଲା ୧୩୪ ବର୍ଷ
ନୂଆଦିଲ୍ଲୀ : ଭାରତର ଏକମାତ୍ର ସର୍ବପୁରାତନ ଦଳ ଭାରତୀୟ ଜାତୀୟ କଂଗ୍ରେସକୁ ଆଜି ୧୩୪ ବର୍ଷ ପୂରଣ ହୋଇଛି। ଏହି ଅବସରରେ ସାରା ଭାରତବର୍ଷରେ ତୃଣମୂଳ ସ୍ତର ଆରମ୍ଭ କରି ସର୍ବୋଚ୍ଚ ସ୍ତର ଦଳ ତା’ର ୧୩୪ ତମ ପ୍ରତିଷ୍ଠା ଦିବସ ପାଳନ କରିଛି। କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପାର୍ଟି ମୁଖ୍ୟାଳୟରେ ଦଳର ପତାକା ଉତ୍ତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ମୋତିଲାଲ୍ ଭୋରା, ଏ.କେ. ଆଣ୍ଟୋନୀ ପ୍ରମୁଖ ଉପସ୍ଥିତ ଥିଲେ। ସେପଟେ ପ୍ରତିଷ୍ଠା ଦିବସ ଅବସରରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସ୍ଥାପନା ଦିବସରେ କଂଗ୍ରେସ ପକ୍ଷରୁ ଦେଶବ୍ୟାପି ସମ୍ବିଧାନ ବଚାଓ, ଭାରତ ବଚାଓ ରାଲି ଆୟୋଜିତ ହେଉଛି। ସୂଚନାଯୋଗ୍ୟ, ୧୮୮୫ରେ ଦାଦାଭାଇ ନାରୋଜୀ, ଏ.ଓ. ହ୍ୟୁମ୍ ଏବଂ ଦିନଶା ବାଚାଙ୍କ ପ୍ରୟାସରେ କଂଗ୍ରେସ ଦଳର ପ୍ରତିଷ୍ଠା କରାଯାଇଥିଲା। ୧୯୪୭ରେ ଦେଶ ସ୍ବାଧୀନ ହେବା ପରେ କଂଗ୍ରେସ ବୃହତ ରାଜନୈତିକ ଦଳ ଭାବେ ଏହାର କାର୍ଯ୍ୟ ଆରମ୍ଭ କରିଥିଲା।


