ପୋଲସରା କଲେଜରେ ’ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ’
ପୋଲସରା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନଏସଏସ) ପୁରୁଷ ଓ ମହିଳା ୟୁନିଟ ପକ୍ଷରୁ “ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ” ଉପଲକ୍ଷେ ତମାଖୁ ସେବନ ମୁକ୍ତ ପାଇଁ ସଚେତନତା କାର୍ଯ୍ୟକ୍ରମ ୧୮/୧୧/୨୫ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। କଲେଜର ପ୍ରିନ୍ସିପାଲ ଡକ୍ଟର ଦିଲ୍ଲୀପ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଏହି ତମାଖୁ ବର୍ଜନ ସଚେତନତା କାର୍ଯ୍ୟକ୍ରମ କଲେଜ ପରିସରରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନା ଉପଦେଷ୍ଟା ତଥା ଦର୍ଶନଶାସ୍ତ୍ର ପ୍ରାଧ୍ୟାପକ ରୁଦ୍ର ପ୍ରସାଦ ଗୌଡ଼ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବରେ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ସୁଭ୍ରମୟୀ ପାଢ଼ୀ ଏବଂ ସମ୍ମାନିତ ଅତିଥି ଭାବେ କମୁନିଟୀ ହେଲଥ୍ ଅଫିସର୍ ଦୟାନିଧି ପରିଡ଼ା, ଆଇ.ସି.ଟି.ସି କାଉନସିଲର ମନୋଜ କୁମାର ଜେନା ଯୋଗ ଦେଇ ଏଲ.ଇ.ଡି. (ପି.ପି.ଟି.) ମାଧ୍ୟମରେ ତମାଖୁ ସେବନରୁ ସର୍ବଦା ଦୁରେଇ ରହିବା ପାଇଁ ସ୍ଵେଚ୍ଛାସେବୀ ବୃନ୍ଦଙ୍କୁ ସଚେତନତା କରାଇଥିଲେ। କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନା (ଏନଏସଏସ) ପୁରୁଷ ୟୁନିଟ ପ୍ରୋଗ୍ରାମ ଅଫିସର୍ ସେକ୍ ଫରିଦ୍ ସଂଯୋଜନା କରିଥଲେ। ସଚେତନତା ସଭା ପରେ ସ୍ଵେଚ୍ଛାସେବୀ ବୃନ୍ଦଙ୍କ ମଧ୍ୟରେ ଏକ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ରୋଜି ରାଣୀ ସାହୁ ପ୍ରଥମ ସ୍ଥାନ, ଇନ୍ଦିରା ସାହୁ ଦ୍ବିତୀୟ ସ୍ଥାନ ଓ ରୁଦ୍ର ପ୍ରସାଦ ଆଚାରୀ ତୃତୀୟ ସ୍ଥାନ ହାସଲ କରିଥଲେ। ସମସ୍ତ କୃତୀ ପ୍ରତିଦ୍ବନ୍ଦିଙ୍କୁ ପ୍ରାଧ୍ୟାପକ ଶ୍ରୀ ଗୌଡ଼ ପ୍ରମାଣ ପତ୍ର ସହ ଟ୍ରଫି ପ୍ରଦାନ କରିଥିବା ବେଳେ “ତମାଖୁ ସେବନ ମୁକ୍ତ ଶିକ୍ଷା ଅନୁଷ୍ଠାନ” ମାନପତ୍ର ଡାକ୍ତର ସୁଭ୍ରମୟୀ ପାଢ଼ୀଙ୍କ ଠାରୁ ଗ୍ରହଣ କରିଥିଲେ। ଶେଷରେ ଜାତୀୟ ସେବା ଯୋଜନା ମହିଳା ୟୁନିଟ ପ୍ରୋଗ୍ରାମ ଅଫିସର୍ ଡକ୍ଟର ଜ୍ୟୋତ୍ସ୍ନାରାଣୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।


