ଆସିକା ସହରରେ ଶୀତର ପ୍ରକୋପ ବୃଦ୍ଧି : ପ୍ରାତଃ ଭ୍ରମଣରେ ବାହାରିଲେଣି ଉତ୍ସାହୀ ଯୁବପିଢୀ
ଆସିକା (ୱାଇଏନ୍ଏସ୍) :ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଗତ କିଛି ଦିନ ହେଲା ତାପମାତ୍ର ହ୍ରାସ ଯୋଗୁଁ ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଥିବା ଲକ୍ଷ୍ୟ କରାଯାଇଛି । ଆସିକା ଅଞ୍ଚଳରେ ସନ୍ଧ୍ୟା ଓ ଭୋର ସମୟରେ ଶୀତର ପ୍ରକୋପ ବୃଦ୍ଧି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଭୋର ସମୟରେ ବିଭିନ୍ନ ସାହିବସ୍ତିରେ ପିଲା ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ କାଠ ସମେତ ଅନ୍ୟାନ୍ୟ ସାମଗ୍ରୀ ଜାଳି ନିଆଁ ପୁଉଁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଭୋର ସମୟରେ ପ୍ରବଳ ଥଣ୍ଡା ଯୋଗୁଁ ସାଧାରଣ ଜନତା ଘରୁ ବାହାରିବାକୁ ଆଗ୍ରହ ପ୍ରକାଶ କରୁନଥିବା ଦେଖିବାକୁ ମିଳୁଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଦିନକୁ ଦିନ ପାରଦ ଖସୁଥିବା ବେଳେ ଥଣ୍ଡାର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ଜଳବାୟୁ ପରିବର୍ତ୍ତନର ପ୍ରଭାବ ହେଉ କି ପ୍ରକୃତିର ଆଉ କିଛି ନିୟମ ହେଉ ଏଥର କିନ୍ତୁ ସଅଳ ଆସିଛି ଶୀତ । ତା ପ୍ରଭାବରେ ଥରି ଉଠୁଛି ଆସିକା ସହର । ସଂଜ ନଇଁଲେ ଶୀତବସ୍ତ୍ର ନ ପିନ୍ଧିଲେ ଘରୁ ବାହାରି ହେଉନାହିଁ ଯାହାରି ଫଳରେ ଶୀତର ପ୍ରଭାବ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଦେଖିବାକୁ ମିଳୁଛି । ଶୀତର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇଚାଲିଥିଲା ବେଳେ ସହରର ବିଭିନ୍ନ ଛକ ଯାଗା ମାନଙ୍କରେ ଜମିଲାଣି ଯୁବପିଢୀଙ୍କ ଗରମ ଚା ର ଆସର ଓ ଜଳି ଉଠିଲାଣି ଧୁନି । ଶୀତକୁ ସ୍ୱାଗତ କରିବା ପାଇଁ ସଭିଏଁ ସଜାଗ ହୋଇରହିଥିଲା ବେଳେ କିଏ ପୁରୁଣା ଶୀତବସ୍ତ୍ରକୁ ସଜାଡିବା ଆରମ୍ଭ କଲାଣି ତ ଆଉ କିଏ ନୁଆଁ ଶୀତବସ୍ତ୍ର କ୍ରୟ କରିବା ପାଇଁ ପ୍ରସ୍ତୁତି ଚଳାଇଥିବା ଜଣାପଡିଛି । ପ୍ରତ୍ୟୁଷରୁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଯୁବପିଢୀମାନେ ଶୀତବସ୍ତ୍ର ପରିଧାନ କରି ପ୍ରାତଃ ଭ୍ରମଣରେ ଯାଉଥିବା ଦେଖିବାକୁ ମିଳୁଛି । ଆସିକା ସହରର ବିଭିନ୍ନ ସ୍ଥାନରେ ଥିବା ମୁକ୍ତାକାଶ ବ୍ୟାୟାମ କେନ୍ଦ୍ରରେ ଯୁବପିଢୀଙ୍କ ଭିଡ ଜମୁଥିବା ବେଳେ ସୋନା ମିଞ୍ଚିନ୍ ଟାଉନ୍ହଲରେ ଯୋଗାଭ୍ୟାସ କରିବା ପାଇଁ ଯୋଗପ୍ରେମୀଙ୍କ ପ୍ରବଳ ଭିଡ ଜମୁଥିବା ଦେଖିବାକୁ ମିଳୁଛି । ଶୀତର ପ୍ରକୋପ ଆସିକା ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଇଚାଲିଥିଲା ବେଳେ ବିଳମ୍ବିତ ପୂର୍ବାହ୍ନ ପର୍ଯ୍ୟନ୍ତ ଶୀତବସ୍ତ୍ର ଶରୀରରୁ କାଢିବାକୁ ବହୁ ଯୁବପିଢୀ ଆଗ୍ରହ ପ୍ରକାଶ କରୁନଥିବା ପରିଲକ୍ଷିତ ହେଉଛି । ରାତି ଯେତେ ବଢୁଛି ପାରଦ ସେତେ ତଳକୁ ଖସିବାରେ ଲାଗୁଛି । ଶୀତରୁ ରକ୍ଷା ପାଇବା ପାଇଁ ଆସିକା ସହରର ବିଭିନ୍ନ ସାହି ବସ୍ତିରେ ଯୁବପିଢୀମାନେ ନିଆଁ ଜାଳି ଧୁନି ଲଗାଇ ବସୁଥିବା ଦେଖିବାକୁ ମିଳୁଛି । ଆଗକୁ ଆହୁରି ପ୍ରବଳ ଶୀତ ହେବ ବୋଲି କେତେକ ମହଲରେ ଆଲୋଚିତ ହେଉଥିବା ଜଣାପଡିଛି ।


