ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦତ୍ତ ୧ କୋଟି ୪୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ଅନୁମୋଦିତ ହୋଇଥିବା ବସଷ୍ଟାଣ୍ଡ – ପୁଞ୍ଜିକଂୟା ଛକ ମୁଖ୍ୟରାସ୍ତା କଡ଼ରେ ଫୁଡ୍ କୋର୍ଟ ଓ ଭେଣ୍ଡିଙ୍ଗ ଜୋନ ସହ ସହରର ଜନତା ଲେନ ରାସ୍ତାକଡ ରେ ନୂତନ ପାଠାଗାର ଓ ଦୋକାନ ଗୃହ ନିର୍ମାଣ କରାଯିବ ବୋଲି ଜଣାପଡିଛି।ଶିଳାନ୍ୟାସ କାର୍ଯ୍ୟକ୍ରମ ରେ ଏନଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା,କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର, ସହକାରୀ ଯନ୍ତ୍ରୀ ଇଂ.ଲକ୍ଷ୍ମୀ ସିଂ, କନିଷ୍ଠ ଯନ୍ତ୍ରୀ ଇଂ. କେ. ମିଥୁନ କୁମାର ସେନାପତି, କାଉନସିଲର ଦୀପକ କୁମାର ମିଶ୍ର,ନୀଳମାଧବ ଗୌଡ଼,ସୁଶାନ୍ତ କୁମାର ପାତ୍ର,ସୁନୀଲ କୁମାର ପଣ୍ଡା, ମାମିନି ବେହେରା, ସନ୍ତୋଷିନୀ ବେହେରା, ଇ.ଗାୟତ୍ରୀ,କାଉନସିଲର ପ୍ରତିନିଧି ରମେଶ ଚନ୍ଦ୍ର ଜେନା,ରଞ୍ଜିତ ବେହେରା , ଇ.ଶଙ୍କର ଙ୍କ ସମେତ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ। ପରେ ବିଧାୟକ ଦିଗପହଣ୍ଡି ମେଡିକାଲ ରାସ୍ତାରେ ଥିବା ସହରର ଐତିହ୍ୟ ସମ୍ପନ୍ନ ବଡ଼ ବନ୍ଧ ପୋଖରୀ ର ଦୂରାବସ୍ଥା ଓ ଆବର୍ଜନା ମୟ ପରିବେଶ କୁ ନିରୀକ୍ଷଣ କରି ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ଏହି ପୋଖରୀର ପୁନଃରୁଦ୍ଧାର କରାଯାଇ ଯଥାଶୀଘ୍ର ଏକ ଆଦର୍ଶ ପୋଖରୀରେ ପରିଣତ କରିବା ପାଇଁଁ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇ ଫେରିଥିଲେ । ବଡ଼ବନ୍ଧ ପୁନଃରୁଦ୍ଧାର ନିମନ୍ତେ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ସେଠାରେ ବୋଟିଂ ବ୍ୟବସ୍ଥା ସହ ପୋଖରୀ କଡ଼ରେ ଅତ୍ୟାଧୁନିକ ମିନି ପାର୍କ କରାଯିବ ।ଏହି ପ୍ରକଳ୍ପ ନିମନ୍ତେ ଡ୍ରୋନ ସର୍ଭେ ସରିଛି। ବାଥ୍ ମେଟ୍ରିକ୍ ସର୍ଭେ ସରିବା ପରେ ଡ୍ରଇଂ ଡିଜାଇନ କରାଯାଇ ପ୍ରକଳ୍ପ ନିମନ୍ତେ ଆବଶ୍ୟକ ଖର୍ଚ୍ଚ ଅଟକଳ କୁ ପ୍ରଶାସନିକ ଅନୁମୋଦନ ନିମନ୍ତେ ପଠାଯିବ ବୋଲି ନିର୍ବାହୀ ଅଧିକାରୀ କହିଛନ୍ତି। ଅପରପକ୍ଷରେ ଏନଏସି ଉପାଧ୍ୟକ୍ଷ କେ.ପୂଜା ଙ୍କୁ ବିଧାୟକଙ୍କ ଶିଳାନ୍ୟାସ କାର୍ଯ୍ୟକ୍ରମ ସମ୍ପର୍କରେ ଏନଏସି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇନଥିବା ସହ ଏନେଇ ଏନଏସି କାଉନସିଲ ସଭାରେ କୌଣସି ଆଲୋଚନା କରାଯାଇ ପ୍ରସ୍ତାବ ଗୃହୀତ କରାଯାଇନଥିବା କାରଣରୁ ସେ ଶିଳାନ୍ୟାସ କାର୍ଯ୍ୟକ୍ରମ କୁ ବର୍ଜନ କରିଥିବା ପ୍ରତିନିଧି କେ.କୁନା ତାଙ୍କ ପ୍ରତିକ୍ରିୟାରେ ଜଣାଇଛନ୍ତି। ଏନେଇ ନିର୍ବାହୀ ଅଧିକାରୀ ଙ୍କୁ ପଚାରିବାରୁ ତାଙ୍କୁ କାର୍ଯ୍ୟକ୍ରମ ସମ୍ପର୍କରେ ପୂର୍ବରୁ ଲିଖିତ ଭାବେ ଜଣାଯାଇଥିବା କହିଛନ୍ତି।


