ଏମପାୱାର ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ପିଲାମାନେ ହେଉଛନ୍ତି ଆମର ଭବିଷ୍ୟତ। ସେମାନେ ହେଉଛନ୍ତି ଆମ ପାଇଁ ବର୍ତ୍ତମାନର ସ୍ୱପ୍ନ ଓ ଆସନ୍ତା କାଲିର ପ୍ରତିଶ୍ରୁତି। ତେଣୁ ସେମାନଙ୍କୁ କୌଣସି କ୍ଷେତ୍ରରେ ଅବହେଳା କରାଯିବା ଉଚିତ ନୁହେଁ। ବିଦ୍ୟାଳୟ ହେଉଛି ମଣିଷ ତିଆରି କାରଖାନା। ବିଦ୍ୟାଳୟ ପିଲାମାନଙ୍କୁ ଯେପରି ଗଢିବ ଭବିଷ୍ୟତରେ ସେପରି ନାଗରିକ ସୃଷ୍ଟି ହେବେ। ତେଣୁ ବିଦ୍ୟାଳୟ ହାତରେ ଆମ ସମାଜ ଏକ ଗୁରୁ ଦାୟିତ୍ୱ ଅର୍ପଣ କରିଛି। ଏହି ଦାୟିତ୍ୱକୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ସଠିକ ଭାବରେ କାର୍ଯ୍ୟକାରୀ କରିବା ଉଚିତ ବୋଲି କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ମତବ୍ୟକ୍ତ କରିଛନ୍ତି। ଜିଲ୍ଲା ସଂସ୍କୃତି ଭବନରେ ଏମପାୱାର ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମର ମୁଖ୍ୟ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଯୋଗଦେଇ କହିଲେ ପିତାମାତାଙ୍କ କଥାକୁ କେବେ ହେଲେ ଅବଜ୍ଞା କରିବ ନାହିଁ। ପିତାମାତା ଯାହା ଉପଦେଶ ଦିଅନ୍ତି ତାହା ପିଲାଙ୍କ ମଙ୍ଗଳ ପାଇଁ। ଠିକ ସେହିପରି ବିଦ୍ୟାଳୟରେ ପିତାମାତା ହେଉଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ। ପିଲାମାନେ ବିଦ୍ୟାଳୟରେ ଥିବା ସମୟରେ ସେମାନଙ୍କ ସମସ୍ତ ଦାୟିତ୍ୱ ଶିକ୍ଷକ ଶିକ୍ଷୟିତ୍ରୀମାନେ ବୁଝିଥାନ୍ତି। ତେଣୁ ସେମାନେ ମଧ୍ୟ ପିତାମାତାଙ୍କ ଭଳି। ପିତାମାତାଙ୍କ ଠାରୁ ବଡ଼ ଠାକୁର ଦୁନିଆରେ କେହି ନାହାଁନ୍ତି। କାରଣ ପିତାମାତା ପିଲାଙ୍କ ମଙ୍ଗଳ ପାଇଁ ଉପଦେଶ ଦେଇଥାନ୍ତି ବୋଲି ସେ କହିଥିଲେ। ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ଗଣେଶ୍ୱର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, ଡା. ଗୌରାଙ୍ଗ ସାମନ୍ତରାୟ, ସୌରପ୍ରକାଶ ମହାପାତ୍ର, ପ୍ରସନ୍ନ ପରିଡ଼ା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଭବିଷ୍ୟତ ଗଠନ ପାଇଁ ଉପାଦେୟ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ରଙ୍ଗାରଙ୍ଗ ସଙ୍ଗୀତ ପରିବେଷଣ କରିଥିଲେ ସାନ୍ତନୁ ମହାନ୍ତି ଓ ବୈଦ୍ୟନାଥ ଦାସ। ସେହିପରି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା କବାଲି ଓ ଅନ୍ୟାନ୍ୟ ସଙ୍ଗୀତ ପରିବେଷଣ କରାଯାଇଥିଲା। ଶିକ୍ଷୟିତ୍ରୀ ମୋନାଲିସା ସାହୁଙ୍କ ସଂଯୋଜନାରେ ୫ଶହରୁ ଅଧିକ ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ।


