ବରିଷ୍ଠ ନାଗରିକଙ୍କ ସମସ୍ୟା ସମାଧାନ ଦାବି
ରେମୁଣା (ବାଲେଶ୍ୱର): ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ଏକ ପ୍ରତିନିଧିଦଳ ବାଲେଶ୍ୱର ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିୱାକରଙ୍କୁ ସାକ୍ଷାତ କରି ବୁଧବାରଦିନ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବରିଷ୍ଠନାଗରିକମାନଙ୍କୁ ସ୍ଥାନୀୟ ପୋଲିସ୍ ଥାନାରୁ ପରିଚୟପତ୍ର ପ୍ରଦାନ କରିବାକୁ ଓ ବରିଷ୍ଠ ନାଗରିକମାନଙ୍କ ସମସ୍ୟା ସମାଧାନ ପାଇଁ ପୋଲିସ୍ ବିଭାଗ ଗୁରୁତ୍ୱ ଦେବାକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଗତ ୧୯୭୫ ମସିହାରେ ଆଭ୍ୟନ୍ତରୀଣ ଜରୁରୀକାଳୀନ ଅବସ୍ଥାରେ ମିଶା ଓ ଡିଆଇଆର୍ରେ କାରାବରଣ କରିଥିବା ବ୍ୟକ୍ତିମାନେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ମାସିକ ପେନସନ୍ ପାଇଁ ଆବେଦନ କରିଥିବା ମାତ୍ର ୩ଜଣ ବରିଷ୍ଠ ନାଗରିକଙ୍କ ଆବେଦନକୁ ତୁରନ୍ତ ବିଚାରକୁ ନେବାପାଇଁ ପ୍ରତିନିଧିମାନେ ଆରକ୍ଷୀ ଅଧିକ୍ଷକଙ୍କୁ ଅନୁରୋଧ କରିଥିଲେ। ବରିଷ୍ଠ ନାଗରିକମାନଙ୍କ ଦାବିକୁ ଅଗ୍ରାଧିକାର ଦିଆଯିବ ବୋଲି ଆରକ୍ଷୀ ଅଧିକ୍ଷକ ଶ୍ରୀ ଦିୱାକର ସହମତି ପ୍ରକାଶ କରିଛନ୍ତି। ପ୍ରତିନିଧି ଦଳରେ ମଞ୍ଚର ଉପସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ ଓ ବିଷ୍ଣୁପ୍ରସାଦ ମହାନ୍ତି, ସାଧାରଣ ସଂପାଦକ ଦାମୋଦର ନାୟକ, ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ ଓ ସଦସ୍ୟ ରବି କୁମାର ପାଣିଗ୍ରାହୀ ପ୍ରମୁଖ ଏହି ସାକ୍ଷାତ ଆଲୋଚନାବେଳେ ଉପସ୍ଥିତ ଥିଲେ।


