ଅସ୍ତରଙ୍ଗ ଓ କାକଟପୁର ରେ କୋବିର ଅଭାବୀ ବିକ୍ରି

କାକଟପୁର/ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀ କାକଟପୁର ଓ ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ ଚାଷୀ କୋବିର ଅଭାବୀ ବିକ୍ରି। କୋବି ଉତ୍ପାଦନ ଯେତିକି ହେଉଛି ତାହା ବିକ୍ରି ହେଉନାହିଁ। କିଛି ଦଲାଲ ବ୍ୟବସାୟୀ ସ୍ଥାନୀୟ ପରିବା ବଜାରକୁ ନିୟନ୍ତ୍ରଣ କରି ଚାଷୀଙ୍କ ଠାରୁ କମ୍ ମୂଲ୍ୟରେ କିଣି ବଜାରରେ ୨ରୁ ୩ଗୁଣା ଦରରେ କୋବି ବିକ୍ରି କରୁଛନ୍ତି। ଫଳରେ ଚାଷୀ ବ୍ୟାପକ କ୍ଷତି ସହୁଛି। ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ହାତକୁ ନେଉଥିଲେ ମଧ୍ୟ ଚାଷୀକୁଳଙ୍କ ଉତ୍ପାଦକୁ ବିକ୍ରି କରିବା ପାଇଁ ସେମିତି କୌଣସି ଠୋସ ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି। ଆବଶ୍ୟକ ଶୀତଳ ଭଣ୍ଡାର ନଥିବାରୁ ଚାଷୀ ତାର ଉତ୍ପାଦନ କୁ ସାଇତି ରଖି ପାରୁନାହିଁ। ଫଳରେ ଇଚ୍ଛା ନଥିଲେ ବି କ୍ଷତି ସହି ଉତ୍ପାଦକୁ ବିକ୍ରି କରିଦେଉଛି। ପୁରୀ ଜିଲ୍ଲା କାକଟପୁର ବ୍ଲକ ଓଳଙ୍ଗର, ଓଥକା,ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଓସ୍ତପୁର, ଖଣ୍ଡାସାହି, ବେଗୁନିଆବସ୍ତ, ଝାରିଆ ଅଞ୍ଚଳ ପରିବା ଅତ୍ୟଧିକ ମାତ୍ରାରେ ନିକଟସ୍ଥ ପରିବା ମାର୍କେଟକୁ ଆସିଥାଏ। ଏ ସବୁ ଅଞ୍ଚଳରେ ଶହ ଶହ ହେକ୍ଟର ଜମିରେ କୋବି ଚାଷ ହୋଇଛି। ଏଠାକାର ଚାଷୀ କୋବି ଉତ୍ପାଦନ ପରେ ନିକଟସ୍ଥ ବିକ୍ରି କରି ପରିବାର ଗୁଜୁରାଣ ମେଣ୍ଟାଈଥାନ୍ତି। କିନ୍ତୁ ସ୍ଥାନୀୟ ଅଞ୍ଚଳରେ କୋବିର ଚାହିଦା ରହୁନାହିଁ। ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳରେ ଶୀତଳ ଭଣ୍ଡାର ନଥିବା, ଅତ୍ୟଧିକ ମାତ୍ରାରେ କୁହୁଡି ହେଉଥିବାରୁ ଚାଷୀ ଉତ୍ପାଦନ କରିଥିବା କୋବି ଅବା ବିଭିନ୍ନ ପନିପରିବା ସାଇତି ରଖି ପାରୁନାହାନ୍ତି ଯାହା ଫଳରେ ଦଲାଲ ବ୍ୟବସାୟୀ ଙ୍କୁ କମ୍ ମୂଲ୍ୟରେ ବିକ୍ରି କରୁଛନ୍ତି। କୁହୁଡି ଯୋଗୁଁ କୋବି ନଷ୍ଟ ହେଉଥିବାରୁ ଚାଷୀ କୋବି ତୋଳୁଥିଲେ ମଧ୍ୟ ସଂରକ୍ଷିତ ରଖିବା ପାଇଁ ଶୀତଳ ଭଣ୍ଡାର ନାହିଁ। ଅସ୍ତରଙ୍ଗ ନିକଟସ୍ଥ ଝାରିଆ ଗ୍ରାମର ଚାଷୀ ଚନ୍ଦ୍ରମଣି ଦାସ କହିଛନ୍ତି ଫୁଲକୋବି କୁହୁଡିରେ ଯଦିଓ ନଷ୍ଟ ହେବାର ଆଶଙ୍କା ରହିଛି କିନ୍ତୁ ମାର୍କେଟ ଉଚ୍ଚା ଦରରେ ଯାଉ ନାହିଁ। କିନ୍ତୁ ବନ୍ଧା କୋବି ସାମାନ୍ୟ ଅଧିକ ଦରରେ ବିକ୍ରି ହେଉଛି। ଚାଷୀ ହଟକିଶୋର ବସ୍ତିୟା ମଧ୍ୟ ସମାନ କଥା ଦୋହରାଇଛନ୍ତି ସେ କହିଛନ୍ତି ମୁଖ୍ୟତଃ ଯେଉଁ ପରିମାଣ ରେ ଉତ୍ପାଦନ ହେଉଛି ତାକୁ ସଂରକ୍ଷିତ ରଖିବା ପାଇଁ ଶୀତଳ ଭଣ୍ଡାର ନାହିଁ, କୁହୁଡି ଯୋଗୁଁ ପୋକ ଲାଗିବା ଭୟରେ ଦଲାଲ ବ୍ୟବସାୟୀ ଙ୍କୁ ଶାଗ ମାଛ ଦରରେ ବିକ୍ରି କରୁଛୁ। ଏହା ସହ କହିଛନ୍ତି ଗୋଟିଏ ଏକର ଜମିରେ କୋବି ଚାଷ ପାଇଁ ପାଖାପାଖି ୩୫ହଜାର ଟଙ୍କା ଖର୍ଚ କରିଥିଲେ। ଏଯାବତ ୩ଭାଗ କୋବି କାଟି ବିକ୍ରି କରିସାରିଲେଣି ମାତ୍ର ୧୦ହଜାର ଟଙ୍କା। ଆଉ ଯେତିକି କୋବି ରହିଛି ତାହା ଅତିବେଶୀରେ ୫ହଜାର ଟଙ୍କା ବିକ୍ରି ହେବ। ସ୍ଥାନିୟ ଅଞ୍ଚଳ ଚାଷୀ ଦାବୀ କରିଛନ୍ତି ତୁରନ୍ତ ସରକାର ଚାଷୀ ଙ୍କ ସୁବିଧା ପାଇଁ ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳରେ ଶୀତଳ ଭଣ୍ଡାର କରିବା ପାଇଁ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ