ବିଧାୟକଙ୍କୁ କନିଷ୍ଠ ଯନ୍ତ୍ରୀଙ୍କ ତୀର ମାଡ଼ ଧମକକୁ ନେଇ ହାଟଡିହି ବ୍ଲକରେ ଉତେଜନା

ହାଟଡିହି (ଓ୍ବାଇଏନଏସ): ଆନନ୍ଦପୁର ବିଜେଡି ବିଧାୟକ ଅଭିମନ୍ୟୁ ସେଠୀଙ୍କୁ ହାଟଡିହି ବ୍ଲକର କନିଷ୍ଠ ଯନ୍ତ୍ରୀ କ୍ଷେତ୍ର ମୋହନ ମାରାଣ୍ଡି  ଧନୁ ତୀର ମାରିବାକୁ ଧମକ ଦେବା ଘଟଣାକୁ ନେଇ ବ୍ଲକ ପରିସରରେ ଆଜି ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଏହାକୁ ନେଇ ବିଧାୟକ ଓ ବ୍ଲକ ଅଧ୍ୟକ୍ଷଙ୍କ ସହ  ଶତାଧିକ ବିଜେଡି କର୍ମୀ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡ଼ିଓଙ୍କୁ ଘେରିଥିଲେ। ବିଧାୟକଙ୍କ ଅଭିଯୋଗ ଅନୁଯାଇ ଆମ୍ବୋ ପଞ୍ଚାୟତରେ ବିଧାୟକଙ୍କ ହାତପାଣ୍ଠି କାମର ଲେ-ଆଉଟ ଦେବାକୁ ବେଗୁନିଆପଦି ଗ୍ରାମର ଜଣେ ବିଜେଡି କର୍ମୀ କନିଷ୍ଠ ଯନ୍ତ୍ରୀଙ୍କୁ କହିଥିଲେ। କନିଷ୍ଠ ଯନ୍ତ୍ରୀ ଶ୍ରୀ ମାରାଣ୍ଡି  ତୁମ ବିଧାୟକ ବହୁତ ଅଧିକ ଦେଖେଇ ହେଉଛନ୍ତି, ମୋତେ ଚିହ୍ନି ନାହାନ୍ତି, ମୁଁ ତୀର ମାରିଦେବି ବୋଲି କହିଥିଲେ। ଏପରି ଶୁଣିବାପରେ ବିଧାୟକ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ଫୋନକରି ଏ ବାବଦରେ ପଚାରିବାରୁ ସେ ଏଣୁ ତେଣୁ କହିଥିଲେ ବୋଲି ବିଧାୟକ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଆଜି ବିଧାୟକ, ବ୍ଲକ ଅଧ୍ୟକ୍ଷା ଙ୍କ ସମେତ ଶତାଧିକ ବିଜେଡି କର୍ମୀ ବ୍ଲକ କାର୍ଯ୍ୟାଳୟକୁ ଆସି ବିଡ଼ିଓ ଙ୍କ କାର୍ଯ୍ୟାଳୟ ସମୁଖରେ ବସିବାରୁ ବିଡ଼ିଓ ସେମାନଙ୍କୁ ଅଫିସ ଭିତରକୁ ଡାକିନେଇଥିଲେ। ବ୍ଲକ ଅଧ୍ୟକ୍ଷା ଓ କର୍ମୀମାନେ ଜଣେ ଯନ୍ତ୍ରୀଙ୍କ ଏପରି ବ୍ୟବହାର କଣ ପାଇଁ ବୋଲି କହି ବିଡ଼ିଓ ଙ୍କ ଉପରେ ବର୍ଷିଥିଲେ। ବ୍ଲକ ପରିସରରେ ପ୍ରବଳ ପାଟିତୁଣ୍ଡ ହେବାରୁ ବିଧାୟକ ତିନିଘଣ୍ଟା ଭିତରେ ସମ୍ପୃକ୍ତ ଯନ୍ତ୍ରୀଙ୍କୁ ଡାକି ଏହାର ସମାଧାନ କରିବାକୁ ବିଡ଼ିଓଙ୍କୁ କହି କର୍ମୀଙ୍କୁ ଧରି ବାହାରି ଆସିଥିଲେ। ପରେ ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଆଲୋକ ସେଠୀ ପ୍ରମୁଖ ପହଞ୍ଚି ବୁଝାସୁଝା କରିଥିବା ଜଣା ଯାଇଛି। ଏ ସମ୍ପର୍କରେ ଯନ୍ତ୍ରୀ ଙ୍କ ମତାମତ ମିଳି ପାରିନଥିବା ବେଳେ ଏ ସମ୍ପର୍କରେ ବିଡ଼ିଓ  ରଞ୍ଜନ କୁମାର ପରିଡ଼ାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ବିଧାୟକ ମୋତେ ଏ ବାବଦରେ ଜଣାଇଲେ,  ମୁଁ ଏକ ମିଟିଙ୍ଗରେ ଥିବାରୁ ମୋତେ ଟିକେ ସମୟ ଦିଅନ୍ତୁ,  ଯନ୍ତ୍ରୀ ଏପରି କହିଥିବେ ତାହାତ ନିଶ୍ଚୟ ନିନ୍ଦନୀ ତଥାପି ସମ୍ପୃକ୍ତ ଯନ୍ତ୍ରୀଙ୍କୁ ଡାକି କଥାହେବା ବୋଲି କହିଥିଲି। ମାତ୍ର ବିଧାୟକ ଓ ଅଧ୍ୟକ୍ଷା ଅନେକ ଲୋକଙ୍କୁ ଧରି ବ୍ଲକ କୁ ଆସି ଏପରି ଗାଳି ଗୁଲଜ କରି ପାଟିତୁଣ୍ଡ କରିବା ଠିକ ହେଲାନି ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ