ତପ୍ତପାଣି ଘାଟିରେ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ୨୫ ଯାତ୍ରୀ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) :ଗଞ୍ଜାମ – ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି ଘାଟି ର ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ପାଳୁଖଳା ଗ୍ରାମ ନିକଟ ମୁଖ୍ୟରାସ୍ତା ରେ ରବିବାର ଭୋର ରେ ଏକ ଲୁହାଛଡ଼ ବୋଝେଇ ଟ୍ରକ କୁ ଯାତ୍ରୀବାହୀ ଟ୍ରାଭେଲର୍ସ ନଂ.(ଓଡ଼ି୦୫ ବିଏମ୍ – ୧୫୧୯) ଧକ୍କା ଦେବାରୁ ଟ୍ରାଭେଲର୍ସ ଗାଡ଼ି ଟି ଭାଙ୍ଗିରୁଜି ଯାଇଛି।ବ୍ରହ୍ମପୁର ରୁ ଭାୟା ଦିଗପହଣ୍ଡି ଦେଇ ଯାଉଥିବା ଟ୍ରକ ଟି ଯାନ୍ତ୍ରିକ ତ୍ରୁଟି କାରଣରୁ ପାଳୁଖଳା ଗ୍ରାମ ନିକଟ ରାସ୍ତାକଡ ରେ ଗତ ପ୍ରାୟ ୪ ଦିନ ହେଲା ଅଟକି ରହିଥିଲା।ରବିବାର ଭୁବନେଶ୍ବର ରୁ ଭାୟା ଦିଗପହଣ୍ଡି ଦେଇ ପର୍ଯ୍ୟଟନକ୍ଷେତ୍ର ଉଷ୍ମ ପଶ୍ରବଣ ତପ୍ତପାଣି ଏବଂ ଗଜପତି ଜିଲା ଜିରାଙ୍ଗ ଗ୍ରାମ ସ୍ଥିତ ବୌଦ୍ଧବିହାର କୁ ବୁଲି ଯିବା ପାଇଁ ୨୫ ଜଣ ଟ୍ରାଭେଲର୍ସ ଗାଡ଼ି ରେ ହସଖୁସି ରେ ଯାଉଥିବା ବେଳେ ପ୍ରବଳ କୁହୁଡି ଯୋଗୁଁ ରାସ୍ତା ଦେଖାଯାଇନଥିଲା। ଚାଳକ ଙ୍କ ଅସାବଧାନତା କାରଣରୁ ରାସ୍ତାକଡ ରେ ଠିଆ ହୋଇଥିବା ଟ୍ରକ୍ କୁ ପିଟି ଦେଇଥିଲା।ଫଳରେ ଟ୍ରାଭେଲର୍ସ ଗାଡ଼ିର ଚାଳକ ଏବଂ ଅନ୍ୟ ୨ ଜଣ ଯାତ୍ରୀ ଆହାତ ହୋଇଥିଲେ।ସେମାନଙ୍କୁ ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲ ରେ ଭର୍ତ୍ତି କରିଥିଲେ।ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଛାଡି ଦିଆଯାଇଛି।ଖବରପାଇ ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ ଏବଂ ଟ୍ରାଭେଲର୍ସ ଗାଡ଼ି କୁ ଜବତ କରି ତଦନ୍ତ ଚଳାଇଛନ୍ତି।


