ବଞ୍ଚୋ ଦଧିବାମନଜୀଉଙ୍କ ପଞ୍ଚଦଶତମ ବାର୍ଷିକ ଉତ୍ସବ ଉଦଘାଟିତ

ହାଟଡ଼ିହି, (ଓ୍ବାଇଏନଏସ) : ହାଟଡିହି ବ୍ଲକର ମନ୍ଦିର ମାଳିନୀ ବଞ୍ଚୋ ଗ୍ରାମରେ ପ୍ରଭୂ ଦଧିବାମନଜୀଉଙ୍କ ମନ୍ଦିରର ପଞ୍ଚଦଶତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି । ତିନିଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଷ୍ଠା ଉତ୍ସବର ପ୍ରଥମ ଦିନରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଏହି ଉପଲକ୍ଷେ ଆଜି ସକାଳୁ ବୈତରଣୀ ନଦୀରୁ ଘଟ୍ଟୋତ୍ତଳନ କରାଯାଇ କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରାଯାଇଥିଲା । କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବା ସମୟରେ ପ୍ରତ୍ୟେକ ପରିବାର ପକ୍ଷରୁ ଧୂପ ଦ୍ୱୀପ ଦ୍ୱାରା ବନ୍ଦାପନା କରାଯିବା ସହ ଶଙ୍ଖ ହୁଳହୁଳୀ ଧ୍ୱନିରେ ଗ୍ରାମଟି ପ୍ରକମ୍ପିତ ହୋଇ ଉଠିଥିଲା । ପରେ ଦଧିବାବନଜୀୟଙ୍କ ମନ୍ଦିରରେ ନିର୍ମିତ ଯଜ୍ଞମଣ୍ଡପରେ କଳଶ ଗୁଡିକୁ ସ୍ଥାପନ କରାଯାଇ ପୂଜାକାର୍ଯ୍ୟ ଆରମ୍ଭ କରାଯିବା ସହ ଅଗ୍ନି ସ୍ଥାପନ କରାଯାଇଥିଲା । ଏଥି ନିମନ୍ତେ ଗ୍ରାମର ଅନେକ ମହିଳା ନିଜ ନିଜ ପରିବାରର ମଙ୍ଗଳ ମନାସୀ ବୈତରଣୀ ନଦୀରୁ ପୁଣ୍ୟଘଟ ଉତ୍ତୋଳନ କରି ନିଜ ନିଜ ଗୃହ ସମ୍ମୁଖରେ ସ୍ଥାପନ କରିଥିବା ଦେଖିବାକୁ ମିଳିଥିଲା । ଅଚୁତ ବରାଳ, ଜ୍ଞାନ ନାୟକ, ଗନ୍ଧର୍ବ ମହାନ୍ତି, ପାଗଳ ରାଉତ, ମିହିର ବିଶ୍ୱାଳ, ମଣ୍ଟୁ ବରାଳ ପ୍ରମୁଖ କର୍ତ୍ତା ଭାବେ ସାମିଲ ହୋଇଥିବାବେଳେ  ପଣ୍ଡିତ ସଞ୍ଜୟ ଶର୍ମା ପାଢ଼ୀ, ସନାତନ ପଣ୍ଡା ପ୍ରମୁଖ ଙ୍କ ବେଦମନ୍ତ୍ର ଧ୍ୱନିରେ ଗ୍ରାମାଟି ପ୍ରକମ୍ପିତ ହୋଇ ଉଠିଛି। ଏଥିପାଇଁ ପ୍ରଭୂ ଦଧିବାବନଙ୍କ ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି । ସକାଳ ୯ଟାରୁ ଦିନ ତମାମ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ଗାଁରୁ ହଜାର ହଜାର ଶ୍ରଦ୍ଧାଳୁ ପ୍ରଭୁଙ୍କ ପାଖରେ ପୂଜାର୍ଚ୍ଚନା କରି ପ୍ରସାଦ ସେବନ କରୁଛନ୍ତି । ସନ୍ଧ୍ୟାରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ଆନନ୍ଦପୁର ଉପଜିଲ୍ଲାପାଳ ନୀଳ ମାଧବ ସୁନା, ବିଡ଼ିଓ ରଞ୍ଜନ କୁମାର ପରିଡା, ବିଜେପି ନେତା ଆଲୋକ ସେଠୀ  ପ୍ରମୁଖ ଅତିଥି ଭାବେ ଯୋଗଦେଇ  ସାଂସ୍କୃତିକ ମଞ୍ଚକୁ ଉଦଘାଟନ କରିବା ସହିତ ବଞ୍ଚୋ ଗ୍ରାମକୁ ଏକ ଐତିହ୍ୟ ଓ ସଂସ୍କୃତି ସମ୍ପନ୍ନ  ଗ୍ରାମ ବୋଲି ଅଭିହିତ କରିଥିଲେ । ଏହି ଗ୍ରାମର ଐତିହ୍ୟ, ପରମ୍ପରା ଓ ସଂସ୍କୃତି ନିଆରା ବୋଲି ମତବ୍ୟକ୍ତ କରିଥିଲେ। ସନ୍ଧ୍ୟାରେ ଓଡ଼ିଶାର ପ୍ରଖ୍ୟାତ ଭଜନ ଗ୍ରୁପ ପକ୍ଷରୁ ଭଜନ ସମାରୋହ ଅନୁଷ୍ଠିତ ହୋଇଥିବାବେଳେ ହଜାର ହଜାର ଦର୍ଶକ ଏହାକୁ ଉପଭୋଗ କରିଥିଲେ । ଏଥିପାଇଁ ବଡଦାଣ୍ଡରେ ଅନେକ ଉଠାଦୋକାନୀ ମାନେ ସେମାନଙ୍କ ପସରା ମେଲେଇ ଦେଇଛନ୍ତି । ମନ୍ଦିର କମିଟି ପକ୍ଷରୁ ଅନ୍ନପ୍ରସାଦ ବଣ୍ଟନ କରାଯାଉ ଥିବାବେଳେ ସମଗ୍ର ଗ୍ରାମବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ