ଶ୍ରୀ ପଞ୍ଚମୀରେ ମାଣିତରା ହାଇ ସ୍କୁଲରେ ଗଣେଶ ଓ ସରସ୍ଵତୀ ମୂର୍ତ୍ତି ସ୍ଥାପନ
ବୁଗୁଡା, (ଅନୀଲ କୁମାର ମହାରଣା): ପବିତ୍ର ଶ୍ରୀ ପଞ୍ଚମୀ ଅବସରରେ ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମର ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଦାତା ଶ୍ରୀ ଗଣେଶ ଓ ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କ ପାଷାଣ ମୂର୍ତ୍ତି ପ୍ରତିଷ୍ଠା ସହ ବିଦ୍ୟାଳୟ ପରିସରର ମଣ୍ଡପରେ ସ୍ଥାପନ କରାଯାଇଥିଲା। ଡିସେମ୍ବର ୩୧ ତାରିଖରେ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ମହାରଣା ଙ୍କ ପ୍ରଚେଷ୍ଟାରେ ନିର୍ମାଣ ହୋଇଥିବା ମୂର୍ତ୍ତି ଦ୍ୱୟ ସ୍କୁଲର ପ୍ରଧାନ ଶିକ୍ଷକ ଦେବଦତ୍ତ କହଁର ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପ୍ରତିଷ୍ଠା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସନ୍ତୋଷ କୁମାର ଦାଶ ପୁରୋହିତ ଭାବେ ପୂଜାର୍ଚ୍ଚନା କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଗୋପାଳ ଚନ୍ଦ୍ର ନାୟକ ଓ ତାଙ୍କ ଧର୍ମପତ୍ନୀ କର୍ତ୍ତା ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ। ଏହାପରେ ଛାତ୍ରଛାତ୍ରୀ ବୃନ୍ଦ ବିଦ୍ୟାଦାତ୍ରୀ ସରସ୍ୱତୀଙ୍କ ପୂଜା କରିବା ସହ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ମାଣିତରା ଗ୍ରାମର ସଂକୀର୍ତ୍ତନ ଦଳ ପୂଜା ସମୟରେ ଅଖଣ୍ଡ ନାମ ସଂକୀର୍ତ୍ତନ କାର୍ଯ୍ୟ ସମାପନ କରିଥିଲେ। ଶେଷରେ ସାମୁହିକ ଅନ୍ନ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଗ୍ରାମର ବହୁ ବ୍ୟକ୍ତିଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀ ବୃନ୍ଦ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।


