ଆଉ ନାହାନ୍ତି ଲୋକପ୍ରିୟ ସଂଗୀତ ନେର୍ଦ୍ଧେଶକ ଅଭିଜିତ ମଜୁମଦାର
କଟକ, (ଓ୍ବାଇଏନଏସ): ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଚର୍ଚ୍ଚିତ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ୍ଙ୍କ ମୃତ୍ୟୁ ପୁରା ଓଲିଉଡରେ ଶୋକର ଛାୟା ଖେଳିଯାଇଛି । ଓଡ଼ିଆ ଫିଲ୍ମ ଜଗତରେ ଏହା ଅପୂରଣୀୟ କ୍ଷତି ହୋଇଛି । ତେବେ ଦୀର୍ଘ ଦିନ ହେବ ଲିଭର ସିରୋସିସରେ ପୀଡିତ ହୋଇ ଏମ୍ସରେ ଭର୍ତ୍ତି ହୋଇଥିଲେ । ଆଜି ସକାଳେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଖବର ଜଣାପଡିବା ପୁରା ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି । ତେବେ ଅଭିଜିତ୍ଙ୍କ ମୃତ୍ୟୁ ପରେ ସାମ୍ନାକୁ ଆସିଛି ମେଡିକାଲ ରିପୋର୍ଟ । କିଭଳି ଭାବେ ତାଙ୍କର ମୃତ୍ୟୁ ହୋଇଛି ତାହା ଉଲ୍ଲେଖ କରାଯାଇଛି । ୫୪ବର୍ଷୀୟ ଅଭିଜିତ୍ ମଜୁମଦାର ଗୁରୁତର ଅସୁସ୍ଥତା କାରଣରୁ ଗତ ୪ ସେପ୍ଟେମ୍ବର ୨୦୨୫ରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ । ଅଭିଜିତଙ୍କୁ ‘ଅସମୋଟିକ୍ ଡିମାୟେଲିନେସନ୍ ସିଣ୍ଡ୍ରୋମ୍’ ନାମକ ଏକ ମାରାତ୍ମକ ମସ୍ତିଷ୍କ ରୋଗ ହୋଇଥିଲା । ଏହାସହିତ ଶରୀରରେ ଲୁଣ ବା ଇଲେକ୍ଟ୍ରୋଲାଇଟ୍ ର ଅସ୍ୱାଭାବିକ ପରିବର୍ତ୍ତନ ଯୋଗୁଁ ଏହି ରୋଗ ହୋଇଛି । ଅଭିଜିତଙ୍କର ଫୁସଫୁସରେ ସଂକ୍ରମଣ, ରକ୍ତରେ ସଂକ୍ରମଣ ଏବଂ ଲିଭର ରୋଗ ମଧ୍ୟ ହୋଇଥିଲା । ଦୀର୍ଘ ଦିନ ଧରି ଆଇସିୟୁ ଓ ଭେଣ୍ଟିଲେଟରରେ ରହିଥିଲେ ଅଭିଜିତ୍ । ସେଠାରୁ ଧୀରେ ଧୀରେ ସୁସ୍ଥ ହେଉଥିଲେ, ଗତ ୧୦ ନଭେମ୍ବରରେ ତାଙ୍କୁ ଜେନେରାଲ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ୨୩ ଜାନୁଆରୀରେ ତାଙ୍କୁ ହଠାତ୍ ଜ୍ୱର ହେବା ସହିତ ନୂଆ ସଂକ୍ରମଣ ହେବାରୁ ରକ୍ତଚାପ ବହୁତ କମିଯାଇଥିଲା ଏବଂ ଶରୀରର ଅଙ୍ଗପ୍ରତ୍ୟଙ୍ଗ କାମ କରିବା ବନ୍ଦ ହୋଇଯାଇଥିଲା । ଆଜି ସକାଳ ୭ଟା ୪୩ମିନିଟରେ ଅଭିଜିତଙ୍କର ହାର୍ଟବିଟ୍ ବନ୍ଦ ହୋଇଯାଇଥିଲା, ଏମ୍ସର ଡାକ୍ତରମାନେ ପ୍ରାୟ ଏକ ଘଣ୍ଟା ଧରି ଚେଷ୍ଟା କରିବା ସତ୍ୱେ ତାଙ୍କ ଜୀବନ ବଞ୍ଚାଇ ପାରିନଥିଲେ । ଫଳରେ ସକାଳ ୯ଟା ୨ ମିନିଟରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।


