ଛତ୍ରପୁର ପ୍ରେସ କ୍ଳବର ବାର୍ଷିକୋତ୍ସବ

ଛତ୍ରପୁର, (ଓ୍ବାଇଏନଏସ) :ଛତ୍ରପୁର ପ୍ରେସ କ୍ଳବର ବାର୍ଷିକ ଉତ୍ସବ ରବିବାର ଦିନ ଛତ୍ରପୁର ସ୍ଥିତ ଶିବ ପଟ୍ଟନାୟକ ରିଡିଂ ରୁମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରେସ କ୍ଳବ ସଭାପତି ସରୋଜ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ  କୃଷ୍ଣ ଚନ୍ଦ୍ର ନାୟକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ  ସ୍ୱତନ୍ତ୍ର ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଏବଂ ସମ୍ମାନିତ ଅତିଥି ଭାବେ ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି ପାପା ରାଓ, ବ୍ଳକ ଉପାଧ୍ୟକ୍ଷା ଏସ ଶାରଦା ରେଡ୍ଡୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଉପଲକ୍ଷେ ଆୟୋଜିତ ମାଗଣା ସ୍ବାସ୍ଥ୍ୟ ସେବା ଶିବିରକୁ ଅତିଥି ମାନେ ଉଦଘାଟନ କରିବା ସହ ଏହାକୁ ପରିଦର୍ଶନ କରି ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ଆସିଥିବା ଲୋକଙ୍କ ସହ ସୁବିଧା ସୁଯୋଗ ନେଇ ଆଲୋଚନା କରିଥିଲେ। ଛତ୍ରପୁର ଓ ଆଖପାଖ ଅଞ୍ଚଳର ୧୭୨ ଜଣ ବ୍ୟକ୍ତି ଶିବିରରେ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଛତ୍ରପୁର ପ୍ରେସ କ୍ଳବର ସଦସ୍ୟମାନଙ୍କ ନିଷ୍ଠାପର ଉଦ୍ୟମ ଓ ନିରପେକ୍ଷ ସମ୍ବାଦ ପରିବେଷଣ କରିବାକୁ ଅତିଥି ମାନେ ନିଜ ବକ୍ତବ୍ୟରେ ଭୂୟସୀ ପ୍ରଶଂସା କରିଥିଲେ। ମୂଖ୍ୟ ଅତିଥି ନିଜକୁ ଛତ୍ରପୁର ମାଟିର ସନ୍ତାନ ରୂପେ ଅଭିହିତ କରିବା ସହ ଏହି ଅଞ୍ଚଳର ବିକାଶ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ବୃହତ୍ତର ବ୍ରହ୍ମପୁର ମହାନଗର ଗଠନ ପ୍ରକ୍ରିୟା ମଧ୍ୟରେ ଜିଲ୍ଲା ସଦର ମହକୁମା ଛତ୍ରପୁର ର ଉନ୍ନତିକରଣ କାମ ଦ୍ରୁତ ଗତିରେ ବଢ଼ାଇବାକୁ ପଡ଼ିବ ବୋଲି କହିବା ସହ ଏକ ଆଧୁନିକ ଓ ସଶକ୍ତ ସହର ନିର୍ମାଣ କାର୍ଯ୍ୟରେ ଗଠନ ମୂଳକ ସହଯୋଗ କାମନା କରିଥିଲେ। ଅନ୍ୟତମ ଅତିଥି ଭାବେ ଯୋଗଦେଇ ଥିବା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ସୁପରିନଟେଣ୍ଡେଣ୍ଟ ଡାକ୍ତର ଅଲେଖ ପ୍ରଧାନ ଓ ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ସ୍ବାଧୀନ ରଥ ଛତ୍ରପୁର ପ୍ରେସ କ୍ଳବର ସଦସ୍ୟମାନଙ୍କ ଦ୍ବାରା ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ମିଳୁଥିବା ଗଠନ ମୂଳକ ସହଯୋଗ ସମ୍ପର୍କିତ ସୂଚନା ଦେଇ ଏଭଳି ସହଭାଗିତା ଜାରୀ ରଖିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ସଭାପତି ସରୋଜ ସାମଲ ଜିଲ୍ଲା ପ୍ରଶାସନ ଓ ବିଧାୟକ ଙ୍କ ପକ୍ଷରୁ ଛତ୍ରପୁର ପ୍ରେସ କ୍ଳବକୁ ଦିଆଯାଉଥିବା ଗୁରୁତ୍ବ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ପାଦକ ଅଜିତ ସ୍ବାଇଁ ପ୍ରେସ କ୍ଳବର ବାର୍ଷିକ ବିବରଣୀ ଉପସ୍ଥାପନା କରିଥିବା ବେଳେ ସହ ସମ୍ପାଦକ ସନ୍ତୋଷ ସାହୁ ଓ କୋଷାଧ୍ୟକ୍ଷ କ୍ଷୀରୋଦ ସାହୁ ମଞ୍ଚାସୀନ ଥିଲେ। ବହୁ ଅଜଣା ଶବଙ୍କ ଶେଷକୃତ୍ୟ ସମ୍ପନ୍ନ କରୁଥିବା ତଥା ସହରର ସମସ୍ତ ମୃତକଙ୍କ ଶେଷକୃତ୍ୟ ବେଳେ ସହଯୋଗ କରୁଥିବା ଯୁବ ସମାଜସେବୀ ଶିବ ପ୍ରସାଦ ବେହେରା (ବଳିଆ)ଙ୍କୁ ଏହି ଅବସରରେ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରା ଯାଇଥିଲା ଉପସଭାପତି ପ୍ରଦୀପ ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶ୍ରୀକାନ୍ତ ମହାନ୍ତି ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ଓ ଏନ. ନାରାୟଣ ରେଡ୍ଡୀ, ବରିଷ୍ଠ ନେତା ଶଙ୍କର ପ୍ରସାଦ ଦାଶ, ନୀଳକଣ୍ଠ ଦାଶ, ଏସ. କିଶୋର ରେଡ୍ଡୀ, ସୟଦ ମୁକ୍ତାର, ବି. ଶ୍ରୀନିବାସ, ବସନ୍ତ କୁମାର ବେହେରା, ପ୍ରଶାନ୍ତ କୁମାର ନାୟକ, ଜ୍ୟୋତି ରଞ୍ଜନ ସାହୁ ଙ୍କ ସମେତ ବିଭିନ୍ନ ପଞ୍ଚାୟତର ପଞ୍ଚାୟତ ପ୍ରତିନିଧି, ଛତ୍ରପୁର ଏନଏସିର କାଉନସିଲର, ଅବସରପ୍ରାପ୍ତ କର୍ମଚାରୀ ସଂଘର ସଦସ୍ୟ, ଶିକ୍ଷକ, ଜନସାଧାରଣ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ l   ପ୍ରାରମ୍ଭ ରେ ଛତ୍ରପୁର ମେଡିକାଲ ରେ ପ୍ରେସ କ୍ଳବ ପକ୍ଷରୁ  ଫଳ ବଣ୍ଟନ କରାଯାଇଥିଲା l ଓଡ଼ିଶା ଜୀବିକା ମିସନର ସଦସ୍ୟା ମାନେ, ରେଖା ଡିଜିଟାଲ ଏଜୁକେସନ ର ଛାତ୍ରଛାତ୍ରୀମାନେ, ପ୍ରତିଭା ଆବାସିକ ମହାବିଦ୍ୟାଳୟ, ବିଜ୍ଞାନ ମହାବିଦ୍ୟାଳୟ ଜୁପିଟର କୋଚିଂ ସେଣ୍ଟର ଓ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ମାନେ ଶିବିର ପରିଚାଳନାରେ ସେବା ଯୋଗାଇ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ