ହାଟଡିହି (ଓ୍ବାଇଏନଏସ): ବହୁ ଦିନର ପ୍ରତୀକ୍ଷା ପରେ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହେଲା ମରେଇଗାଁ ବଳିପୁର ରାସ୍ତା। ଏହି ବୈତରଣୀ ଆମାଙ୍ଗମେଣ୍ଟ ରାସ୍ତାଟି ପୂର୍ବରୁ ଜଳସେଚନ ବିଭାଗ ଅଧୀନରେ ଥିବା ବେଳେ ଜଳସେଚନ ବିଭାଗ ଏହାର ଉପଯୁକ୍ତ ତଦାରଖ କରି ନପାରିବାରୁ ଏହାକୁ ପୂର୍ତ୍ତ କିମ୍ବା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନକୁ ଦେବାକୁ ଦାବି ହେଉଥିଲା। ଏହି ରାସ୍ତା ଉପରେ ଗେଡମା, ଡଅଁର, ଆଇତିପୁର, ଶାଳଣିଆଁ, ହାବଳେଶ୍ୱର, ସଡଙ୍ଗ, ଅଁରା, ଇଞ୍ଚୋଳ, ଓରାଳି ଆଦି ପଞ୍ଚାୟତର ଲୋକମାନେ ନିର୍ଭର କରିଥାନ୍ତି। ବ୍ଲକ, ତହସିଲ୍, ମେଡିକାଲ, ସର୍ବୋପରି ଉପଜିଲ୍ଲାପାଳ ଏଵଂ ଜିଲ୍ଲା କାର୍ଯ୍ୟାଳୟକୁ ଯିବାକୁ ହେଲେ ଏହି ଗୋଟିଏ ରାସ୍ତା ଉପରେ ହିଁ ନିର୍ଭର କରିଥାନ୍ତି। କିନ୍ତୁ ରାସ୍ତାର ଶୋଚନୀୟ ଅଵସ୍ଥା ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ୪/୫କିଲୋମିଟର ଦୂରରେ ଥିବା ଶାଳଣିଆଁ ଡ଼ାକ୍ତରଖାନାକୁ ମଧ୍ଯ ରୋଗୀ ମାନେ ଆସିପାରୁ ନାହାନ୍ତି। ସ୍ବାଧୀନତାର ୭୯ବର୍ଷ ପରେ ମଧ୍ଯ ରାସ୍ତାର କୌଣସି ପରିବର୍ତ୍ତନ ହୋଇପାରିଲା ନାହିଁ। ବିଗତ ୭ ବର୍ଷ ପୁର୍ବେ ଏହି ରାସ୍ତାରେ ୧୬ କୋଟିରୁ ଉର୍ଦ୍ଧ ଖର୍ଚ ନେଇଥିଲେବି ଜଳସମ୍ପଦ ବିଭାଗର ଉପଯୁକ୍ତ ତଦାରଖ ଅଭାବରୁ ନିମ୍ନମାନର କାମ କରିବାଦ୍ୱାରା ୧୬ କୋଟିରୁ ଉର୍ଦ୍ଧ ଟଙ୍କାର କାମ ମାତ୍ର ମାସେ ବି ଗଲାନି। ଫଳରେ ତିନିବର୍ଷ ତଳେ ଜଳ ସମ୍ପଦ ବିଭାଗ ଅଧୀନରୁ ରାସ୍ତାଟି ଅଣାଯାଇ ଅନ୍ୟ ବିଭାଗକୁ ହସ୍ତାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ରାସ୍ତାରେ ଦୁଇ ତିନି ଫୁଟ ଖାଲଖମା ସୃଷ୍ଟି ହୋଇଥିବା ବେଳେ ଏହି ରାସ୍ତାଟି କୌଣସି ବିଭାଗ ଅଧୀନରେ ନଥିବାରୁ ଏହାର ନିର୍ମାଣ କି ମରାମତି ପାଇଁ କୌଣସି ବିଭାଗ ଦୃଷ୍ଟି ଦେଲେ ନାହିଁ। ଲୋକମାନେ ଏନେଇ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେଲେ। ନନ୍ଦିପଦା ଗ୍ରାମର ଭଗବାନ ରାଉତ ଏନେଇ ଜିଲ୍ଲାପାଳଙ୍କ ଠାରୁ ବିଭାଗୀୟ ସଚିବଙ୍କ ପର୍ଯ୍ୟନ୍ତ ଅଭିଯୋଗ କରି ଦୃଷ୍ଟି ଆକର୍ଷଣ କରିଥିଲେ। ଏପରିକି ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ଏନେଇ ବାରମ୍ବାର ବିଧାନସଭା ରେ ପ୍ରଶ୍ନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରବର୍ତ୍ତୀ ସମୟରେ ଗତ ଜାନୁୟାରୀ ୨୭ ତାରିଖ ଦିନ ଏନେଇ ବିଧିବଦ୍ଧ ଭାବେ ଚିଠି ନଂ ୧୬୧୮ରେ ୧୯. ୬୦କିଲୋମିଟର ରାସ୍ତାକୁ ଜଳସେଚନ ବିଭାଗରୁ ଅଣାଯାଇ ପୁର୍ତ୍ତ ବିଭାଗକୁ ହସ୍ତାନ୍ତର କରିଛନ୍ତି । ସେହିପରି ବାହରିପୁର -ଟୁକୁଣା ୯.୪୦ କିଲୋମିଟର ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି। ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ସିନା ହେଲା କିନ୍ତୁ କେବେ କାମ ହେବ ସେନେଇ ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି। ଗତ ଆନନ୍ଦପୁର କଲେଜର ବାର୍ଷିକ ଉତ୍ସବ ରେ ମୁଖ୍ୟମନ୍ତ୍ରୀ ୬୪ କୋଟିର ଅନୁଦାନ ଯୋଗାଇ ଦିଆଯାଇଥିବା ଘୋଷଣା କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମାଟି ମୁଠେ ପଡ଼ି ପାରିଲା ନାହିଁ। ତେଣୁ ତୁରନ୍ତ ରାସ୍ତା କାମ ଆରମ୍ଭ କରିବା ନେଇ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦିଅନ୍ତୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।