ମନରେଗାରୁ ମହାତ୍ମାଗାନ୍ଧୀଙ୍କ ନାମ ବାଦଦେବାକୁ ନେଇ ଜିଲ୍ଲା କଂଗ୍ରେସର ପ୍ରତିବାଦ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ମନରେଗା ଯୋଜନାକୁ କେନ୍ଦ୍ର ସରକାର ବିକୃତ କରିଦେଇଛନ୍ତି। ଭିବିରାମଜୀ ଯୋଜନା କରି ସେଥିରୁ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ନାମକୁ ବାଦ ଦେଇ ଗାନ୍ଧୀଙ୍କୁ ଅସମ୍ମାନିତ କରିଛନ୍ତି। ତେଣୁ ଏହି ଯୋଜନାକୁ ମୂଳ ରୂପକୁ ଫେରାଇ ଆଣିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଜିଲ୍ଲା କଂଗ୍ରେସ ଭବବନରୁ ଦଳର ନେତାମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ୟୁପିଏ ସରକାର ୨୦୦୫ ମସିହାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ନିଶ୍ଚିତ ଆଇନ ପ୍ରଣୟନ କରିଥିଲେ। ଏହା ଜନ ଅଧିକାର-ଆଧାରିତ ଆଇନ ଥିଲା। ଏହା ପ୍ରତି ବର୍ଷ ୫/୬ କୋଟି ଗ୍ରାମୀଣ ପରିବାରକୁ ମଜୁରୀ ଭିତ୍ତିକ ରୋଜଗାର ଯୋଗାଇ ଦେଉଥିଲା। ୧୫ ଦିନ ମଧ୍ୟରେ ଜୀବିକା ଯୋଗାଇବାରେ ବିଫଳ ହେଲେ ବେରୋଜଗାର ଭତ୍ତା ଦେବାକୁ ପଡୁଥିଲା। ଏହି ଆଇନଗତ ଅଧିକାର ମନରେଗାର ମୂଳ ପରିଚୟ ଥିଲା। ଗ୍ରାମୀଣ ସୁରକ୍ଷାର ମୂଳ ଆଧାର ଭାବେ ଏହା ବିବେଚିତ ହେଉଥିଲା। ଏହି ଆଇନ୍ ସାମାଜିକ ଜୀବନରେ ରୋଜଗାରକୁ ଦୀର୍ଘସ୍ଥାୟୀ କରିଆସିଥିଲା। ଦାଦନ ଶ୍ରମିକ କମାଇବାରେ ଏହି ଆଇନ୍ ବେଶ ସହାୟକ ହୋଇଥିଲା। କିନ୍ତୁ ଭିବି ଜୀ ରାମଜୀ ଯୋଜନା ମନରେଗା ଠାରୁ ସଂପୂର୍ଣ୍ଣ ଭାବେ ଭିନ୍ନ। ଏହା କାମର ଆଇନଗତ ନିଶ୍ଚିତତାକୁ ଧ୍ୟାନ ଦିଏ ନାହିଁ। ଏହି ଆଇନ୍ କେନ୍ଦ୍ର ସରକାରଙ୍କ ହାତରେ ନିଷ୍ପତ୍ତିକୁ କେନ୍ଦ୍ରୀଭୂତ କରେ। ଗ୍ରାମସଭା ଓ ପଞ୍ଚାୟତକୁ ଦୁର୍ବଳ କରେ। କେନ୍ଦ୍ରର ମଜୁରୀ ଅଂଶଦାନକୁ ପ୍ରାୟ ୯୦% ରୁ ୬୦% କମାଇ ରାଜ୍ୟ ଓ ଶ୍ରମିକଙ୍କ ଉପରେ ଆର୍ôଥକଭାର ଲଦି ଦେବ। କୃଷି ଋତୁରେ ମଧ୍ୟ ସୀମିତ ବଜେଟ ଯୋଗୁଁ କାମଧନ୍ଦା ନମିଳିବାର ଆଶଙ୍କା ସୃଷ୍ଟି ହେବ। ମଜୁରୀ ସୁରକ୍ଷାର ଶିଥିଳତା ଯୋଗୁଁ ରୋଜଗାର କମିବା ଥୟ ହେବ। ମଜୁରୀ କମିଲେ ଗ୍ରାମୀଣ ଦୁଃଖ ବଢ଼ିବ। ଭିବିଜୀରାମଜୀ କାର୍ଯ୍ୟକ୍ରମରୁ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ନାମ କଟାଯିବା ଦ୍ୱାରା ଶ୍ରମର ମର୍ଯ୍ୟାଦା ପ୍ରତି ଅପମାନ ହୋଇଛି । ଗ୍ରାମୀଣ ଜୀବିକା ଉପରେ ଏହି ଆକ୍ରମଣର ଗମ୍ଭୀରତାକୁ ଧ୍ୟାନରେ ରଖି କଂଗ୍ରେସ ମନରେଗା ବଞ୍ଚାଅ ସଂଗ୍ରାମ ନାମକ ଦେଶବ୍ୟାପୀ ଜନ ଆନ୍ଦୋଳନ ଆରମ୍ଭ କରିଛି ବୋଲି ନେତାମାନେ କହିଥିଲେ। ଏଥିସହିତ ଧାନମଣ୍ଡିରେ ଚାଷୀମାନଙ୍କ ଧାନ କିଣିବାରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି କଂଗ୍ରେସ ଦଳ ତାର ମଧ୍ୟ ପ୍ରତିବାଦ କରିବା ସହିତ ପ୍ରଶାସନ ତାହା ଉପରେ ଆବଶ୍ୟକ କାର୍ଯୟାନୁଷ୍ଠାନ ଗ୍ରହଣ କରୁ ବୋଲି ଦାବି କରି ଗରୀବ, ଖଟିଖିଆ ଓ ଚାଷୀମାନଙ୍କ ପାଇଁ ଦଳର ପ୍ରତ୍ୟେକ ନେତା ଅଙ୍ଗୀକାର ବଦ୍ଧ ବୋଲି ଦଳ ପକ୍ଷରୁ କୁହାଯାଇଛି। ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ଜରିଆରେ କେନ୍ଦ୍ର ସରକାରଙ୍କୁ ଦାବିପତ୍ର ପ୍ରଦାନ ବେଳେ ଜିଲ୍ଲା କଂଗ୍ରେସ ସଭାପତି ଡା. ଦେବସ୍ମିତା ଶର୍ମା, ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ, ଫକୀର ଚରଣ ଖଟୁଆ, କିଷାନ କଂଗ୍ରେସ ସଭାପତି ଜୟଦେବ ପରିଡା, ପ୍ରଫୁଲ୍ଲ ଦାସ, ଭାଗିରଥି ଜେନା, ବିଭ୍ରାଂଶୁ ଶେଖର ଲେଙ୍କା, ବିଧୁଭୂଷଣ ମହାପାତ୍ର, ଆକବର ଅଲ୍ଲୀ, ସନ୍ତୋଷ ବେହେରା, ରବିନାରାୟଣ ବେହେରା, ହିମାଂଶୁ ଭୂଷଣ ନନ୍ଦ, ହରିଶ ପଟ୍ଟନାୟକ, ଜିତେନ୍ଦ୍ରନାଥ ଜେନା, ମଧୁସ୍ମିତା ବିଶ୍ୱାଳ, ସର୍ବେଶ୍ୱର ସେଠୀ, ତରନୁମ ଆରା, ଦିଲ୍ଲିପ ପ୍ରଧାନଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଓ ନେତା ଉପସ୍ଥିତ ଥିଲେ।


