ରାଜ୍ୟ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ବାଲେଶ୍ୱର (ସରୋଜ ପଣ୍ଡା): ଅଦ୍ୟ ହିନ୍ଦ୍ ମଜଦୁର ସଭା ଆନୂକୁଲ୍ୟରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଜିଲ୍ଲାମାନଙ୍କର ଏକ କାର୍ଯ୍ୟକାରିଣୀ ବୈଠକ ଶ୍ରମିକ ନେତା ତଥା ହିନ୍ଦ୍ ମଜଦୂର ସଭାର ବାଲେଶ୍ୱର ଜିଲ୍ଲାର ସଭାପତି ଶ୍ରୀ ଅରୁଣ କୁମାର ସ୍ୱାଇଁଙ୍କ ଆହ୍ୱାନ କ୍ରମେ ପୂର୍ବାହ୍ନ ୧୧ଘଟିକାରେ ବାଲେଶ୍ୱର ରେଲୱେ ଷ୍ଟେସନ ଠାରୁ ଆରମ୍ଭ କରି ଏକ ବିରାଟ ମୋଟର ସାଇକେଲ ରାଲି ଯାଇ ସମରେନ୍ଦ୍ର କୁଣ୍ଡୁଙ୍କ ପ୍ରତିମୂର୍ତ୍ତିରେ ରାଜ୍ୟସ୍ତରୀୟ ନେତୃବୃନ୍ଦ ବ୍ରଜ କିଶୋର ତ୍ରିପାଠୀ, ପ୍ରଫୁଲ୍ଲ ମଲ୍ଲିକ, ପ୍ରଫୁଲ୍ଲ ସାମଲ, ପ୍ରଭାତ ତ୍ରିପାଠୀ, ଭୁବନାନନ୍ଦ ମହାପାତ୍ର ପ୍ରମୁଖ ନେତୃବୃନ୍ଦ ମାଲ୍ୟାର୍ପଣ କରିଥିଲେ। ତତ୍ପରେ ବାଲେଶ୍ୱର ଷ୍ଟେସନ କ୍ଲବରେ ହିନ୍ଦ୍ ମଜଦୁର ସଭାର ଜିଲ୍ଲା ସଭାପତି ଶ୍ରୀ ଅରୁଣ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ସର୍ବପ୍ରଥମେ ରାଜ୍ୟ ହିନ୍ଦ୍ ମଜଦୁର ସଭାର ସାଧାରଣ ସମ୍ପାଦକ – ଶ୍ରୀ ଭୁବନାନନ୍ଦ ମହାପାତ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏହାପରେ ରାଜ୍ୟ ପୂର୍ବତନ ଶ୍ରମମନ୍ତ୍ରୀ – ଶ୍ରୀ ପ୍ରଫୁଲ୍ଲ ସାମଲ ହିନ୍ଦ୍ ମଜଦୂର ସଭାର ସ୍ୱତନ୍ତ୍ରତା ବିର୍ଲାଟାୟାର୍ସର ଶ୍ରମିକ ମାନଙ୍କର ସମସ୍ୟା, ଶ୍ରମିକ ସଂଗଠନକୁ ଦୃଢ଼ କରିବା ଏବଂ ଅରୁଣ ସ୍ୱାଇଁଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ ହିନ୍ଦ୍ ମଜଦୁର ସଭା ଓ ରାଜ୍ୟ ପରାମର୍ଶଦାତା ଓ ପୂର୍ବତନ ଖଣି ଶ୍ରମ ମନ୍ତ୍ରୀ – ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ କେନ୍ଦୁପତ୍ର ତୋଳାଳୀ ଏବଂ ନିର୍ମାଣ ଶ୍ରମିକ ସଂଗଠନକୁ ଦୃଢ଼ କରିବା ନିମନ୍ତେ ମତ ପ୍ରକାଶ କରିଥଲେ । ରାଜ୍ୟ ହିନ୍ଦ୍ ମଜଦୁର ସଭାର ସାଧାରଣ ସମ୍ପାଦକ ଓ ରାଜ୍ୟର ପୂର୍ବତନ ମୁଖ୍ୟ ସଚେତକ ତଥା ବିଧାୟକ ଶ୍ରୀ ପ୍ରଭାତ ତ୍ରିପାଠୀ ତାଙ୍କ ଭାଷଣରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଶ୍ରମିକ ମାରଣ ନିତୀକୁ ଦୃଢ଼ ସମାଲୋଚନା କରିଥିଲେ, ମୁଖ୍ୟଅତିଥିଭାବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଶିଷ୍ଟ ଶ୍ରମିକ ନେତା ଶ୍ରୀ ବ୍ରଜ କିଶୋର ତ୍ରିପାଠୀ ବର୍ତ୍ତମାନ ସରକାରଙ୍କର ଜଗତିକରଣ ନୀତିକୁ ବନ୍ଦ କରି ତାହା ବଦଳରେ ଘରୋଇକରଣ ନୀତି ପ୍ରଚଳନ କରିବା, ବିଦ୍ୟୁତ୍ ଟ୍ୟାକ୍ସ ବୃଦ୍ଧି, ସ୍ମାର୍ଟ ମିଟର ବସାଇବାକୁ ବିରୋଧ କରିବା ଓ ଦେଶର ଅର୍ଥନୀତିକୁ ଦୃଢ଼ କରିବା ସହିତ ରାଜ୍ୟର ଶ୍ରମିକମାନେ କୌଣସି କାମ ନପାଇ ବାହାରକୁ ଦାଦନ ଖଟିବାକୁ ଯାଉଥିବାର ତିବ୍ର ବିରୋଧ କରିବା ସହିତ ରାଜ୍ୟରେ ଶ୍ରମିକମାନଙ୍କୁ କାମ ଯୋଗାଇଦେବା ଓ ଆଗାମୀ ୧୨ ତାରିଖରେ ଶ୍ରମିକ ଆନ୍ଦୋଳନକୁ ସଫଳ କରିବାପାଇଁ ଶ୍ରୀ ଅରୁଣ ସ୍ୱାଇଁଙ୍କୁ ସହଯୋଗ କରିବା ନିମନ୍ତେ ଆହ୍ୱାନ ଜଣାଇଥିଲେ। ଏଥିରେ ଶ୍ରୀ ବିଧାନ ଚନ୍ଦ୍ର ରାୟ, ଶରତ ସାହୁ, ରବିନ୍ଦ୍ର ଦାସ, ସେଖ୍ ମଇଉଦ୍ଦିନ୍, ନରହରି ମହାଳିକ ଓ ପିତାମ୍ବର ମାଝି ପ୍ରମୁଖ ବହୁ ଶ୍ରମିକ ଓ ସମାଜସେବୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସର୍ବଶେଷରେ ବାଲେଶ୍ୱର ହିନ୍ଦ୍ ମଜଦୁର ସଭାର ଉପସଭାପତି ଶ୍ରୀ ଅନୁପ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।


