ଦିଲ୍ଲିପ କୁମାର ବଡପଣ୍ଡା ନୂତନ ବିଇଓ
ନାଉଗାଁ,(ଓ୍ବାଇଏନଏସ) : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ବିଇଓ ଉମେଶ ଚନ୍ଦ୍ର ରାଉତ ଅବସର ନେଲା ପରେ କାମଚଳା ବିଇଓ ଭାବେ ଏରସମା ବିଇଓ ବିଶ୍ୱମ୍ଭର ମଲ୍ଲିକ ଦାୟିତ୍ୱ ତୁଲାଇ ଆସୁଥିଲେ। ବିଇଓ ଶ୍ରୀ ମଲ୍ଲିକ କେବଳ ଏହି ୨ଟି ବ୍ଲକ ନୁହେଁ, ଶ୍ରୀ ମଲ୍ଲିକଙ୍କ କାନ୍ଧରେ ବାଲିକୁଦା ବ୍ଲକ ଶିକ୍ଷା ବିଭାଗର କାର୍ଯ୍ୟ ଭାର ଲଦି ଦିଆଯାଇଥିଲା। ଦୀର୍ଘ ୪ମାସ ହେବ ବିଇଓଙ୍କ କାର୍ଯ୍ୟାଳୟ କାମଚଳାରେ ଚାଲୁଥିବାରୁ ସିଆରସିସିମାନେ ସଠିକ୍ ଭାବେ ବିଦ୍ୟାଳୟ ଗୁଡିକ ତଦାରଖ କରୁନଥିଲେ। ଏପରିକି କିଛି ସିଆରସିସି ନିଜ କ୍ଲଷ୍ଟରକୁ ଆସୁ ନଥିବାରୁ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଶିକ୍ଷାନୁଷ୍ଠାନରେ ମନଇଛା କାର୍ଯ୍ୟ କରୁଥିଲେ। ଯାହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାର ତଥା ୬ ତାରିଖରେ ଭୁବନେଶ୍ୱରର ୟୁନିଟ୍-୧ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲ୍ଲିପ କୁମାର ବଡପଣ୍ଡାକୁ ନାଉଗାଁ ବ୍ଲକ ବିଇଓ ଭାବେ ଆଦେଶ ପ୍ରଦାନ କରାଯାଇଛି।


