ତାମିଲନାଡୁ ରେ ୩ ଓଡ଼ିଆ ଶ୍ରମିକଙ୍କୁ ନିର୍ଯ୍ୟାତନା ଅଭିଯୋଗ: ମାମଲା ରୁଜୁ କଲା ପୁଲିସ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) :ରାଜ୍ୟ ବାହାରକୁ କାମଧନ୍ଦା ପାଇଁ ଯାଉଥିବା ଦିଗପହଣ୍ଡି ଅଞ୍ଚଳର ଦାଦନ ଶ୍ରମିକ ଙ୍କୁ ଯନ୍ତ୍ରଣା ଦିଆଯାଉଥିବା ଅଭିଯୋଗ ହେଉଛି। ଏମିତି ଏକ ହୃଦୟ ବିଦାରକ ଘଟଣା ସାମ୍ନା କୁ ଆସିଛି।ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଲକ୍ଷ୍ମୀ ନାରାୟଣପୁର ଗାଁ ର ବି. ବୁଡୁ ରେଡ୍ଡୀ,  ବି.ପୂର୍ଣ୍ଣ ରେଡ୍ଡୀ ଏବଂ ଏସ.ଧୋବା ଦୋରା ୩ ଜଣ ଶ୍ରମିକ ଗତ ପ୍ରାୟ ୧୫ ଦିନ ପୂର୍ବେ କାମ ପାଇଁ ଜଣେ ଶ୍ରମିକ ଏକେଣ୍ଟ ଙ୍କ କଥା ରେ ପ୍ରଲୋଭିତ ହୋଇ ତାମିଲନାଡୁ ନାଗପଟ୍ଟନମ ଜିଲ୍ଲା ପଙ୍ଗାଲ ଗ୍ରାମ ସ୍ଥିତ ଏକ ବିସ୍କୁଟ ଫ୍ୟାକ୍ଟ୍ରି କୁ ଯାଇଥିଲେ।ଦୁଇ ଦିନ ସେଠାରେ ଅପେକ୍ଷା କରିବା ପରେ ସେଠାରେ କାମ ନ ମିଳିବାରୁ  ଗାଁକୁ ଫେରିବା ପାଇଁ ସେଠାକାର ରେଲୱେ ଷ୍ଟେସନ କୁ ଚାଲି ଆସିଥିଲେ।ସେଠାରୁ ଅନ୍ୟଜଣେ ଶ୍ରମିକ ଏଜେଣ୍ଟ ସେଠାକୁ ଆସି ସେମାନଙ୍କୁ କାମ ଦେବାର ପ୍ରତିଶୃତି ଦେଇ ତାଙ୍କୁ ପୁଣି ଅନ୍ୟ ଏକ  କମ୍ପାନୀ ରେ ପାଇପ ୱେଲ୍ଡିଂ କାମ କରିବାକୁ ଡାକି ନେଇଥିଲେ।ସେଠାରେ କମ୍ପାନୀ ମାଲିକ ସେମାନଙ୍କୁ କ୍ରୀତଦାସ ଭଳି ଦିନ ରାତି ଖଟାଇବା ସହ ଭଲକରି ମୁଠାଏ ଖାଇବାକୁ ଦେଉନଥିଲେ। ପ୍ରତିଦିନ ସନ୍ଧ୍ୟାରେ ଏକ କୋଠରୀ ଭିତରେ ନଜରବନ୍ଦୀ କରି ସେମାନଙ୍କ ମୋବାଇଲ ଫୋନ୍ ଛଡାଇ ନେଉଥିଲେ। ସନ୍ଧ୍ୟା ୬ ଟାରେ କମ୍ପାନୀର ଜଣେ କର୍ମଚାରୀ ମୋବାଇଲ ଫୋନ ସେମାନଙ୍କୁ ଦେଉଥିଲେ ।ପୁଣି ୫ ମିନଟ ପରେ ଛଡାଇ ନେଉଥିଲେ ।ଏପରିକି ଘର ଲୋକଙ୍କ ସହ କଥା ହେବାପାଇଁ ମୋବାଇଲ ଫୋନ ଦେଉନଥିଲେ। ମୂଲ ଟଙ୍କା ମାଗିବାରୁ ସେଠାରେ ସେମାନଙ୍କୁ କମ୍ପାନୀ ମାଲିକ ଙ୍କ ଇଶାରା ରେ ଜଣେ ଶ୍ରମିକ ସୁପରଭାଇଜର ସେମାନଙ୍କୁ ନିସ୍ତୁକ ମାଡ଼ ମାରିବା ସହ ନିର୍ଯ୍ୟାତନା ଦେଉଥିଲେ। ଶୁକ୍ରବାର ସନ୍ଧ୍ୟାରେ ପୂର୍ଣ୍ଣ ଲାଟ୍ରିନ ଭିତରକୁ ଯାଇ କୌଶଳକ୍ରମେ  ଫୋନ ଯୋଗେ ସମସ୍ତ ଘଟଣା ତାଙ୍କ ସ୍ତ୍ରୀ ଙ୍କୁ  ଜଣାଇଥିଲେ।ଧୋବା ଙ୍କ ବାପା ଦୁର୍ଯ୍ୟୋଧନ ଦୋରା ,ପୂର୍ଣ୍ଣ ଙ୍କ ସ୍ତ୍ରୀ ମୁକ୍ତା ରେଡ୍ଡୀ ଏବଂ ବୁଡୁ ଙ୍କ ସ୍ତ୍ରୀ ସୁମିତ୍ରା ରେଡ୍ଡୀ  ଶନିବାର ଦିଗପହଣ୍ଡି ଥାନାରେ ପହଞ୍ଚି ୩ ଟି ଏତଲା ଦେଇଥିଲେ। ଦୁର୍ଯ୍ୟୋଧନ ଙ୍କ ଏତଲା ପ୍ରକାରେ ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୪୪/୨୬ ଅନୁଯାୟୀ  ଭାରତୀୟ ନ୍ୟାୟ ସଂହିତା ର ଧାରା ୧୪୩(୩)/୧୧୫(୨)/୧୨୭(୩)/୧୩(୫) ଅନୁଯାୟୀ ଶ୍ରମିକ ଏଜେଣ୍ଟ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ। ପରେ ସେମାନେ ସେଠାରୁ ବ୍ରହ୍ମପୁର ଯାଇ ଏସ.ପି ଡ଼ା. ସର୍ବଣା ବିବେକ ଏମ ଙ୍କୁ ଭେଟି ସମସ୍ତ ଘଟଣା ବିସ୍ତୃତ ଭାବେ ଜଣାଇଥିଲେ।ଏସ.ପି ତାମିଲନାଡୁ ନାଗପଟ୍ଟନମ ଏସ.ପି ଙ୍କ ସହ ଫୋନ ଯୋଗେ କଥାବାର୍ତ୍ତା କରି ସହାୟତା ପାଇଁ ଅନୁରୋଧ କରିଥିଲେ। ବ୍ରହ୍ମପୁର ଏସ.ପି ଙ୍କ ନିର୍ଦ୍ଦେଶକ୍ରମେ ଅଟକ ଥିବା ୩ ଶ୍ରମିକ ଙ୍କୁ ଉଦ୍ଧାର କରିବା ପାଇଁ ଦିଗପହଣ୍ଡି ଥାନା ପୁଲିସ ଟିମ୍ ସୋମବାର ସକାଳୁ ତାମିଲନାଡୁ ଅଭିମୁଖେ ଯାତ୍ରା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ