ରାଷ୍ଟ୍ରୀୟ ପେନ୍ସନ୍ ଯୋଜନା ସମ୍ପର୍କିତ ସଚେତନତା ଶିବିର
ଛତ୍ରପୁର (ଓ୍ବାଇଏନଏସ): ଜିଲ୍ଲା କୋଷାଗାର କାର୍ଯ୍ୟାଳୟ ଆନୁକୂଲ୍ୟରେ ଆଜି ସ୍ଥାନୀୟ ଜ଼ିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଋଷିକୂଲ୍ୟା ସମ୍ମିଳନୀ କକ୍ଷ ଠାରେ ରାଷ୍ଟ୍ରୀୟ ପେନ୍ସନ୍ ଯୋଜନା (NPS) ସମ୍ପର୍କିତ ଏକ ସଚେତନତା ଶିବିର ଆୟୋଜନ ହୋଇଯାଇଛି । ଏହି ଶିବିରରେ ରାଜ୍ୟ ସରକାରଙ୍କ ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ପେନ୍ସନ୍ ଯୋଜନା ସମ୍ପର୍କିତ ବିଭିନ୍ନ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା । କୋଷାଗାର ଓ ନିରୀକ୍ଷଣ ନିର୍ଦ୍ଦେଶାଳୟ, ଭୁବନେଶ୍ୱରରୁ ହିସାବ ଅଧିକାରୀ ମନୋରଞ୍ଜନ ସାହୁ ଓ ଅରବିନ୍ଦ ସାହୁ ରାଷ୍ଟ୍ରୀୟ ପେନ୍ସନ୍ ଯୋଜନା ସମ୍ପର୍କିତ ବିଭିନ୍ନ ପ୍ରାୟୋଗିକ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ । ରାଷ୍ଟ୍ରୀୟ ପେନ୍ସନ୍ ଯୋଜନା ଖାତା ଖୋଲିବା, ଅଂଶ ଧନ ଜମା, ସଂଶୋଧନ ପ୍ରକ୍ରିୟା, ଅଭିଯୋଗ ନିରାକରଣ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟରେ ସେମାନେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଅଂଶଗ୍ରହଣକାରୀମାନେ ରାଷ୍ଟ୍ରୀୟ ପେନ୍ସନ୍ ଯୋଜନାକୁ ମନରେ ଥିବା ସଂଶୟ ପ୍ରକାଶ କରିଥିଲେ, ତାଲିମ ଦେଉଥିବା ଅଧିକାରୀମାନେ ସେମାନଙ୍କର ବିଭିନ୍ନ ସଂଶୟ ଉପରେ ଯଥାଯଥ ମାର୍ଗଦର୍ଶନ ଦେଇଥିଲେ । ଏପରି ସଚେତନତା କାର୍ଯ୍ୟକ୍ରମ ରାଷ୍ଟ୍ରୀୟ ପେନ୍ସନ୍ ଯୋଜନା ରେ ଅନୁବନ୍ଧିତ ହୋଇଥିବା ଅଧିକାରୀ ଓ କର୍ମଚାରୀମାନଙ୍କ ପାଇଁ ଅତ୍ୟନ୍ତ ଉପକାରୀ ସାବ୍ୟସ୍ତ ହୋଇଛି ବୋଲି ମତ ପ୍ରକାଶ ପାଇବା ସହ ନିୟମିତ ବ୍ୟବଧାନରେ ଏଭଳି ସଚେତନତା ଶିବିର ଆୟୋଜନ କରିବାକୁ ଅନୁରୋଧ ଆସିଥିଲା । ଶିବିରରେ ଜିଲ୍ଲା କୋଷାଗାର ଅଧିକାରୀ କୁମୁଦ ଚନ୍ଦ୍ର କହଁର, ଅତିରିକ୍ତ କୋଷାଗାର ଅଧିକାରୀ ଅଳକାନନ୍ଦା ତ୍ରିପାଠୀ, ଉପ-କୋଷାଗାର ଅଧିକାରୀ, ବିଭିନ୍ନ ବିଭାଗର ଉଠାଣ ଓ ବିତରଣ ଅଧିକାରୀ, ରାଷ୍ଟ୍ରୀୟ ପେନ୍ସନ୍ ଯୋଜନା ଅନ୍ତର୍ଗତ କର୍ମଚାରୀ (Subscribers) ମାନଙ୍କ ସହିତ କୋଷାଗାର କର୍ମଚାରୀମାନେ ଉପସ୍ଥିତଥିଲେ । ପରିଶେଷରେ ଅତିରିକ୍ତ କୋଷାଗାର ଅଧିକାରୀ ଅଳକାନନ୍ଦା ତ୍ରିପାଠୀ ଧନ୍ୟବାଦ ଜ୍ଞାପନ କରିଥିଲେ ।


