ପ୍ରେମ ଝଲକ

ସୁନନ୍ଦା ମହାନ୍ତି
ଆଜିକାଲି ଅନେକ ପୁଅ ଝିଅ ପ୍ରେମ ବିବାହକୁ ପସନ୍ଦ କରୁଥିଲା ବେଳେ, ତାହା ଚିରସ୍ଥାୟୀ ହୋଇପାରୁନି. ତାହାର କାରଣ ଦମ୍ପତ୍ତିଙ୍କ ଭିତରେ ପ୍ରେମର ଝଲକ ଆଉ ନାହିଁ.ପରସ୍ପର ପ୍ରତି ଆନୁଗତ୍ୟ ଓ ସମର୍ପଣ ଭାବ ରହୁନାହିଁ. ତୁ ତୋର, ମୁଁ ମୋର ଭିତରେ,ଆମର ବୋଲି ଭାବନା ଅପସରି ଯାଉଛି. ଏହାର କାରଣ ଖୋଜୁ ଖୋଜୁ ଅସ୍ମିତା ଦେଖିଲେ ତାଙ୍କ ଝିଅ ଜୋଇଁ ଓ ପୁଅ ବୋହୁ ଭିତରେ ଠିକ ସେମିତି ଚାଲିଛି ତୁ ତୁ ଓ ମେଁ ମେଁ ଲଢେଇ. କେହି କାହାର ଅଢେଇ ଦିନର ବଡେଇ ଛାଡିବାକୁ ନାରାଜ. ସମସ୍ତେ ଉଚ୍ଚଶିକ୍ଷିତ, ସମସ୍ତେ ସ୍ୱାବଲମ୍ବନଶୀଳ ହେଲେ ମଧ୍ୟ ସମ୍ପର୍କ ଭିତରେ ବାନ୍ଧି ହୋଇ ରହିବାରେ ଯେଉଁ ଆନନ୍ଦ ମିଳେ ତାହା ସେମାନେ ବୁଝି ବି ବୁଝି ପାରୁନଥିଲେ. ଦୁଇପଟର ବାପା ମାଆ ସନ୍ତାନ ବା ନାତି ନାତୁଣୀ ସ୍ନେହ ଚାଁହୁଥିଲା ବେଳେ, ଦୁଇଟି ଦୂରର କଥା ଗୋଟିଏ ଲେଖାଏଁ ସନ୍ତାନ କରିବାକୁ ମଧ୍ୟ ମନ କରୁନଥିଲେ, ପର ପିଢ଼ି.
ଅସ୍ମିତା ଭାବୁଥିଲେ ତାଙ୍କ ବାପା ମାଆଙ୍କ କଥା. ସେତେବେଳେ ମାଆ ବା ବୋଉମାନେ ଏତେ ପାଠ ଶାଠ ପଡ଼ିନଥିଲେ ମଧ୍ୟ ତାଙ୍କ ଭିତରେ ପ୍ରେମ ଫୁଲ ଫୁଟୁଥିଲା ଅହରହ. ସେ ଫୁଲ ବାସ୍ନାରେ ମହକିତ କେବଳ ସ୍ୱାମୀ ସ୍ତ୍ରୀଙ୍କୁ ମହକିତ କରୁନଥିଲା ବରଂ ସମ୍ପର୍କ ଡୋରି ସୁଦୂରପ୍ରସାରୀ ଥିଲା. କେବଳ ଉଭୟ ପଟର ବାପା ମାଆଙ୍କ ପ୍ରତି କର୍ତ୍ତବ୍ୟ ଉର୍ଦ୍ଧରେ ମଉସା ମାଉସୀ, ପିଇସା ପିଉସୀ, ମାମୁଁ ମାଇଁ, ଦାଦା ଖୁଡି, ବଡବାପା ବଡ଼ବୋଉ ଓ ସେମାନଙ୍କ ସନ୍ତାନ ସନ୍ତତି ଯଥା ମାଉସୀ ଝିଅ ଭଉଣୀ, ପିଇସୀ ପୁଅ ଭାଇ ଇତ୍ୟାଦି ସମ୍ପର୍କ ଅତୁଟ ରହୁଥିଲା. ଏହା କେବଳ ସମ୍ଭବ ହେଉଥିଲା ଘରର ସ୍ତ୍ରୀ ଲୋକଟିର ଦାଇତ୍ୱ, କର୍ତ୍ତବ୍ୟ, ଶହନଶୀଳତା, ପରୋପକାର, ଅତିଥି ଦେବୋ ଭବ ଇତ୍ୟାଦି ମହନୀୟ ଗୁଣାବଳୀର ବିକାଶ ପାଇଁ.ତା ଛଡା ଦାନ ପୁଣ୍ୟ, ସେଵା, କାର୍ପଣ୍ୟ ମହୀତଳେ… କିବା ଆସାଧ୍ୟ୍ୟ କର୍ମ ବଳେ. ଆଉ ସେହି କର୍ମ ଆଜି କେବଳ ରୋଜଗାର ମଧ୍ୟରେ ସୀମିତ ରହି ଦାମ୍ପତ୍ୟ ଜୀବନରେ ଝଡ଼ ବହୁଛି. ଅହଙ୍କାର ଓ ସ୍ୱାର୍ଥର ବାଆ ସର୍ତ୍ତ ବନିଯାଉଛି . ଯୋଉଠି ସ୍ୱାମୀ ସ୍ତ୍ରୀ ମଧ୍ୟରେ, ପ୍ରେମର ଝଲକ ନାହିଁ. ବାପା ମାଆଙ୍କ ପ୍ରତି ଦାଇତ୍ୱ ଓ କର୍ତ୍ତବ୍ୟ କୋଉଠୁ ଆସିବ? ଜରାଶ୍ରମ ତେଣୁ ମୁଣ୍ଡ ଟେକୁଛି ଚାରିଆଡେ. ଭାରି ଚିନ୍ତିତ ଥାଆନ୍ତି ଅସ୍ମିତା. ଏହି ସମୟରେ ତାଙ୍କ ସାନ ଭଉଣୀର ପଚିଶ ବର୍ଷ ବିବାହ ବାର୍ଷିକୀର ନିମନ୍ତ୍ରଣ ମିଳିଥିଲା. ସେମାନେ ଛଅ ଭାଇ ଭଉଣୀ ଓ ତାଙ୍କ ପୁଅ ବୋହୁ ଓ ଝିଅ ଜୋଇଁ ମାନେ ନିମନ୍ତ୍ରିତ ହୋଇଥିଲେ. ପୂଜା ଛୁଟି ଥିବାରୁ ଅସ୍ମିତା ନିଜ ପୁଅ ବୋହୁ, ଝିଅ ଜୋଇଁଙ୍କ ସହ ଯିବା ପାଇଁ ବଡ଼ ଗାଡି ବୁଝିବାକୁ ସ୍ୱାମୀଙ୍କୁ ପରାମର୍ଶ ଦେଇଥିଲେ.
ଅସ୍ମିତାଙ୍କ ଭଉଣୀ, ମାନେ ପିଲାମାନଙ୍କର ସାନ ମାଉସୀ, ସ୍ମିତା ଖୁବ ସ୍ନେହୀ ଥିଲେ. ମଉସା ମଧ୍ୟ ଖୁବ ଭଦ୍ର ଓ ଆମାୟିକ ମଣିଷ. ପିଲାମାନଙ୍କ ବାହାଘର ଓ ଅନ୍ୟାନ୍ୟ କାର୍ଯ୍ୟରେ, ସେଠାରେ ଉପସ୍ଥିତ ସମସ୍ତ ମଉସା ମାଉସୀ, ମାମୁଁ, ମାଇଁ ଓ ମଉସାଙ୍କ ଭାଇ ଭଉଣୀ ମାନଙ୍କର ମଧ୍ୟ ବହୁତ ସହଯୋଗ ଥିଲା. ଏପର୍ଯ୍ୟନ୍ତ ଆୟୋଜିତ ସମସ୍ତ ପାରିବାରିକ କାର୍ଯ୍ୟରେ ସମସ୍ତେ ନିମନ୍ତ୍ରିତ ହେଉଥିଲେ. ଏସବୁ ମଧ୍ୟ ପରାପିଢ଼ି ପାଇଁ ସମ୍ପର୍କର ମାନେ ବହନ କରୁଥିଲା ବେଳେ, ନାଚ, ଗୀତ, ଖୁସି, ମଜ୍ଜା ଭିତରେ, ଛୋଟ ଗୋଟିଏ ସଭାର ଆୟୋଜନ କରିଥିଲେ ସ୍ମିତା. ସ୍ମିତାଙ୍କ ବିବାହିତ ଜୀବନ ମଧ୍ୟ ଖୁବ ଭଲ ଥିଲା. ମୋଟାମୋଟି ଭାବେ କହିବାକୁ ଗଲେ ପରାପିଢ଼ିର ପିଲାମାନଙ୍କ ଭିତରେ, ଆନୁଗତ୍ୟତାର ଅଭାବରେ ସୁଖର ନୀଡ଼,ନଷ୍ଟନୀଡ଼ରେ ପରିଣତ ହେଉଥିଲା. ଏହି ସମୟରେ କିଛି କିଛି କହିବା ପାଇଁ ଜଣଙ୍କ ପରେ ଜଣଙ୍କ ପାଳି ପଡି ଅସ୍ମିତାଙ୍କ ପାଖେ ଅଟକି ଯାଇଥିଲା.
ଅସ୍ମିତା ପ୍ରଥମେ ଆରମ୍ଭ କରିଥିଲେ ତାଙ୍କ ନିଜ ଛଅ ଭାଇ ଭଉଣୀଙ୍କ ନାମ କରଣ କଥାରୁ . ଗୋଟେ ପିଲାର, ଅନେକ ନାମ ଭିତରୁ ଗୋଟେ ଭଲ ନାମ ଓ ଗୋଟେ ଡାକ ନାମ ରହୁଥିଲା. ପିଲାଟିଏ ବଡ଼ ହେବା ପରେ କେହି କେହି ନିଜ ଡାକ ନାମକୁ ନେଇ ଅସନ୍ତୁଷ୍ଟତା ପ୍ରକାଶ କରୁଥିଲା ବେଳେ କେହି କେହି ଉଲ୍ଲସିତ ହେଉଥିଲେ. କିନ୍ତୁ ପ୍ରତ୍ୟେକ ନାମ କରଣ ଭିତରେ ଗୋଟେ ଗୋଟେ ଛୋଟ ଇତିହାସ ସମ୍ବଳିତ ସ୍ମୃତି ହିଁ ଥିଲା. ପରିବାରର ପିଉସୀ କାହା ନାମ ରଖିଥିଲେ ତ କାହାର ମାମୁଁ, କାହାର ଆଈ ତ କାହାର ମାଉସୀ ମାଆ, କାହାର ଜେଜେ ଆଈ ତ କାହାର ଜେଜେ ଅଜା.ଆଉ ସ୍ମିତା ମାଉସୀ ନାମ ତ ଆଈ ହିଁ ରଖିଥିଲେ.ଏସବୁ ଶୁଣିବା ଭିତରେ ଦେଖାଗଲା ପୁଅ ବୋହୁ ଓ ଝିଅ ଜୋଇଁ ମାନେ ତାଙ୍କ ନିଜ ନିଜର ନାମକରଣ ଇତିହାସ କୁହାକୁହି ହେଇ ଖୁସି ପାଉଛନ୍ତି. ସେସବୁ ଦେଖି ଭିତରେ ଭିତରେ ଅସ୍ମିତା ଭାରି ଖୁସି ହୋଇ କହିଚାଲିଥିଲେ,ପରିବାର ଭିତରେ ଜଣେ ଜଣେ ଥାଆନ୍ତି ଯିଏ କି ତାଙ୍କ ସ୍ନେହ ଶ୍ରଦ୍ଧା ବଳରେ ପିଲାମାନଙ୍କ ହୃଦୟରେ ରହିଯାଆନ୍ତି ସବୁଦିନ ପାଇଁ. ଯେମିତି ପିଇସୀ ଅପାଙ୍କ ସ୍ନେହ ମମତା, ସ୍ମିତା ମାଉସୀଙ୍କ ପାଇଁ ଅଭୁଲା. ଦେଖାଗଲା ଏ ପଦକ କଥାରେ ନୂଆ ପିଢ଼ିର ସ୍ୱାମୀ ସ୍ତ୍ରୀ ମାନଙ୍କ ଭିତରେ ଆହୁରି ପାଖେଇ ଆସିବାର ଦୃଶ୍ୟ କାରଣ କିଏ ବାଣ୍ଟୁଥିଲା ତାଙ୍କ ଅଜା ତାଙ୍କୁ କେତେ ଭଲ ପାଆନ୍ତି ତ କିଏ ବାଣ୍ଟୁଥିଲା ମାଇଁଙ୍କ ବୋଉ ବାପା, ଅଜା ଆଈ ତାଙ୍କୁ କେତେ ସ୍ନେହ କରୁଥିଲେ ଯାହା ଭୁଲିବାର ନୁହେଁ. ଅସ୍ମିତା ଆଗେଇ ଯାଉଥିଲେ ସମ୍ପର୍କ ମଜଭୂତ କରିବାକୁ ଆଉ ଟିକେ ନିବିଡ଼ କରି ତ କହିଥିଲେ, ସ୍ମିତା ମାଉସୀଙ୍କୁ ପାଇବା ପାଇଁ ମଉସା କେମିତି ବିନା ଯୌତୁକରେ ରାଜି ହୋଇଥିଲେ. ତାସହ ଅନ୍ୟ ଭାଇ ଭଉଣୀମାନଙ୍କ ଯୋଡି ହେବାର କିଛି ସୁଖଦ ଅନୁଭୂତିକୁ ସାଉଁଟି କହିଥିଲେ ଅନେକ ଉପାଖ୍ୟାନ. ତା ଭିତରେ କହିଥିଲେ,ଆମେରିକାର ପୂର୍ବତନ ପ୍ରେସିଡେଣ୍ଟ, ଜିମି କାର୍ଟର ଓ ରୋଜାଳିନ କାର୍ଟରଙ୍କ ଅଠତିରିଶ ବର୍ଷର ବୈବାହିକ ଜୀବନରେ, ସମୟ ପାଇଁ ସଦା ସର୍ବଦା କାଲିଝଗଡା ଲାଗିରହୁଥିଲା, ଉଭୟଙ୍କ ଭିତରେ.ଜିମି ସମୟାନୁବର୍ତ୍ତୀ ଥିଲା ବେଳେ ରୋଜାଲିନ ଟିକେ ମଠୁଆ ଥିଲେ. ଯୋଉଦିନ ଜିମି ରୋଜାଲିନଙ୍କ ଜନ୍ମଦିନର ଶୁଭେଚ୍ଛା ଜଣେଇ ଲେଖିଥିଲେ ଏଣିକି ତୁମକୁ ତୁମ, ସମୟ ଡେରି ପାଇଁ ମୁଁ କେବେ କିଛି କହିବି ନାହିଁ ବରଂ ନିଜ କାମ ନିଜେ କରିନେବି, ତା ପରଠୁ ନିଜ କଥା ନିଜେ ରଖି ଜିମି ରୋଜାଲିନଙ୍କ ଉପରେ ବିରକ୍ତ ନହୋଇ, ରୀତିମତ ନିଜ କାମ ନିଜେ କରିନେଉଥିଲେ, ଦେଖାଗଲା ରୋଜାଲିନ ମଧ୍ୟ ସ୍ୱାମୀଙ୍କ ପରି ସମୟାନୁବର୍ତ୍ତୀ ହୋଇସାରିଛନ୍ତି. ସେମିତି ସ୍ମିତା ମାଉସୀ ଓ ମଉସା, ଜୀବନରେ ଅନେକ ପ୍ରେମର ମହକ ନେଇ ଆଗେଇ ଚାଲିଛନ୍ତି ଏଯାଏଁ. ଆଉ ଆଗକୁ ଏମିତି ହାତ ଧରାଧରି ହୋଇ ଚାଲୁଥାଆନ୍ତୁ, ମିଛ, ଧୋକା, ସର୍ତ୍ତ ଓ ସ୍ୱାର୍ଥ ବ୍ୟତିରେକେ ଆଗକୁ,ପ୍ରେମ ଝଲକ ଦେଖାଇ, ବତାଇ, ଶିଖାଇ.ଦାମ୍ପତ୍ୟ ଜୀବନ ଭିତରେ ଜହର ପରିବର୍ତ୍ତେ ମିଠାସ ଅନୁସନ୍ଧାନରେ.ଏସବୁ ବକ୍ତବ୍ୟ ନିଜ ଭଉଣୀ ସ୍ମିତା ପାଇଁ କହିବାକୁ ଯାଇ ଅସ୍ମିତା ଲକ୍ଷ କଲେ, ନୂଆ ପିଢ଼ି ସବୁ ପୁଅ ବୋହୁ, ଝିଅ ଜୋଇଁ ଭିତରେ ଯେମିତି ପ୍ରେମର ମହକ ଛୁଟୁଛି, ଯାହା ବୁଝିହୁଏ, ବୁଝାଇ ହୁଏନା, ଅନୁଭବ କରିହୁଏ, କହିହୁଏନା. କିନ୍ତୁ ସ୍ମିତା ବୁଝିଥିଲେ ବୋଲି ଅପା, ଅସ୍ମିତା ଆଡକୁ ଚାହିଁ ଆଖି ମାରୁଥିଲେ ପ୍ରେମ ଝଲକରେ.
ଦେଖାଗଲା ପରକୁ ପର ନାତି ନାତୁଣୀ ଆସୁଥିଲେ ପୁଅ ବୋହୁ, ଝିଅ ଜୋଇଁଙ୍କ କୋଳକୁ. ଖାଲି ସେତିକି ନୁହେଁ, ସେମାନଙ୍କ ଏକୋଇଶିଆ ଓ ଜନ୍ମଦିନ ପାଳନ କରାଯାଉଥିଲା ସମ୍ପର୍କ ସୂତ୍ରକୁ ମଜଭୂତ କରିବାକୁ ଯାଇ ଲୋଡ଼ା ଖୋଜା ଚାଲିଥିଲା ପୂର୍ବ ପର ତିନି ପିଢ଼ିର ବନ୍ଧୁ ବାନ୍ଧବମାନଙ୍କୁ,ପୁଣି ବିନା କୌଣସି ଉପହାରରେ. ଶୁଭେଚ୍ଛା ରାଶି ହିସାବରେ କିଛି ଟଙ୍କା, ଜିନିଷ, ଉପଢୌକନ ଇତ୍ୟାଦିକୁ ନିଷିଦ୍ଧ କରାଯାଇ, ନଵଜନ୍ମିତ ଶିଶୁ ଦୁହିଁଙ୍କୁ କେବଳ ଆଶୀର୍ବାଦ ଦେବାକୁ ନବ ପିଢ଼ିର ଯୋଡି ଯୋଡି ଦମ୍ପତ୍ତି କହୁଥିବା ସହ ନିମନ୍ତ୍ରିତ ବୟସ୍କ ଅଜା ଆଈ, ଜେଜେ ଜେଜେମାମାନଙ୍କର ଖୁବ ଯତ୍ନ ନେଉଥିଲେ, ଯୁବ ପିଢ଼ିର ଦମ୍ପତ୍ତି.ଏସବୁ ଦେଖି ଖୁବ ଖୁସି ହୋଇଥିଲେ ଅସ୍ମିତା. ପ୍ରେମ ଫୁଲର ମହକରେ ମହକୁ ମହକୁ ତାଙ୍କର ମଧ୍ୟ ନାତି ଓ ନାତୁଣୀ ଦୁହେଁ ଯଥାକ୍ରମେ ବୋହୁ ଓ ଝିଅ କୋଳକୁ ଏକାସମୟରେ ଆସିଥିଲେ.
ଜନ୍ମମାସ ଓ ତାରିଖ ପ୍ରାୟ ଏକା ସମୟ ଅବଧିରେ ପଡୁଥିବାରୁ ଜେଜେ ଓ ଜେଜେମା ଏକୋଇଶିଆରେ ପାଲା ପୂଜା ଓ ନାମକରଣ ସାରି, ପ୍ରଥମ ଜନ୍ମଦିନକୁ ଆମନ୍ତ୍ରିତ କରିଥିଲେ ସଭିଙ୍କୁ. ଅସ୍ମିତାଙ୍କୁ ଯେବେ କିଛି କହିବାର ସୁଯୋଗ ମିଳିଲା, ସେ ଗୋଟେ ଗପ କହୁଥିବାର ଶୁଣିବାକୁ ମିଳିଲା. ଗୋଟିଏ ଦେଶରେ ଜଣେ ରାଜା ଥିଲେ. ତାଙ୍କର ଅନେକ ମନ୍ତ୍ରୀ ମାନଙ୍କ ଭିତରେ ଜଣଙ୍କୁ ସେ ଖୁବ ଭଲପାଉଥିବାରୁ, ଅନ୍ୟ ମନ୍ତ୍ରୀମାନେ ତାଙ୍କୁ ଇର୍ଷା କରିବା ସହିତ ରାଜାଙ୍କୁ ଏହାର କାରଣ ପଚାରି ବସିଲେ. ରାଜା ପାଟି ଖୋଲି କିଛି ନକହି, ସେମାନଙ୍କୁ ଦିନେ ରାଜଦରବାରକୁ ଡକାଇଲେ ଓ ପ୍ରତ୍ୟେକ ମନ୍ତ୍ରୀଙ୍କୁ ଗୋଟିଏ ଲେଖାଏଁ କାଚ ବୋତଲ ଦେଇ କହିଲେ ତାହାକୁ ପିଟି ଭାଙ୍ଗିବାକୁ. ସବୁ ମନ୍ତ୍ରୀମାନେ ସେପରି କରିବା ଦ୍ୱାରା, ରାଜସଭାରେ କାଚଗୁଣ୍ଡ ସବୁ ବିଛେଇ ହୋଇଗଲା. ରାଜା କହିଲେ ଏପରି କିପରି କଲେ ଆପଣମାନେ.??ଯଦି କାହା ଗୋଡ଼ ହାତ ବା କୌଣସି ଅଙ୍ଗରେ ଏ କାଚ ଟୁକୁଡା ପଶିଯାଏ ତ ତାକୁ ବହୁତ କଷ୍ଟ ହେବ. ତତକ୍ଷଣାତ ସମସ୍ତେ କହିଲେ ଆମକୁ ଆପଣ ଆଦେଶ ଦେଲେ, ଆମେ ରାଜ ଆଦେଶ ଉଲଂଘନ କିପରି କରିଥାନ୍ତୁ?ଏଥର ସମସ୍ତଙ୍କ ସହ ସେହି ମନ୍ତ୍ରୀ ଯାହାକୁ ସମସ୍ତେ ଇର୍ଷା କରୁଥିଲେ, ତାଙ୍କୁ ଡକାଇ ରାଜା ସେପରି କାଚ ବୋତଲ ଦେଇ ଭାଙ୍ଗିବାକୁ କହିବାରୁ ସେ ମଧ୍ୟ ଭାଙ୍ଗିଦେଲେ. ତାଙ୍କୁ ମଧ୍ୟ ରାଜା ଏପରି କିପରି କଲେ,ଛୋଟ କାଚଟୁକୁଡା କାହାର ଜୀବନ ନେବାକୁ ବା କ୍ଷତାକ୍ତ କରିବାକୁ ବେଶି ସମୟ ନେବନି ଜାଣି ସୁଦ୍ଧା ଆପଣ ଏପରି କର୍ମ କିପରି କଲେ କହିବାରେ, ସେହି ମନ୍ତ୍ରୀ, ସେଦିନ ଅନ୍ୟମାନେ ଦେଇଥିବା ଉତ୍ତର ପରି ଜଵାବ ନଦେଇ, ନିଜ ଦୋଷ ସ୍ୱୀକାର କରି କ୍ଷମା ମାଗି କହିଥିଲେ ଆଗକୁ ଏପରି ଭୁଲ ହେବ ନାହିଁ ମଣିମା. ମନ୍ତ୍ରୀଙ୍କର କାମ ରାଜାଦେଶ ମାନିବା ସତ ହେଲେ ମଧ୍ୟ,କୋଉଟା କରଣୀୟ ଓ କେଉଁଟା ବର୍ଜ୍ଜନୀୟ ଏହା ମନ୍ତ୍ରୀ ହିସାବରେ ତାଙ୍କର ଗୁରୁଦାଇତ୍ୱ ଥିଲା. ଭୁଲିଯାଇଥିବାରୁ ସେ ଅନୁତପ୍ତ ଓ ଆଗକୁ ସାବଧାନ ରହିବେ କହିଥିଲେ. ଏଥିରୁ ଅନ୍ୟ ମନ୍ତ୍ରୀମାନେ ବୁଝିସାରିଥିଲେ କି ଏହି ମନ୍ତ୍ରୀ ରାଜାଙ୍କର ଏତେ ପ୍ରିୟ ହେବାର କାରଣ ସହିତ ପ୍ରତ୍ୟକ ପ୍ରତ୍ୟକଙ୍କର ଦାଇତ୍ୱ ଓ କର୍ତ୍ତବ୍ୟ କରି ପ୍ରେମର ମହକ ଛୁଟାଇ ପାରିଲେ, ପରିବାର, ଗ୍ରାମ,ରାଜ୍ୟ, ଦେଶର ଉର୍ନ୍ନତି ସାଧିତ ହୋଇପାରିବ. ଜନ୍ମଦିନ ସମାରୋହରେ ଉପସ୍ଥିତ ବୟସ୍କ ବ୍ୟକ୍ତିମାନେ ଅସ୍ମିତାଙ୍କୁ, ସୁନ୍ଦର ଶିକ୍ଷଣୀୟ କଥାଟିଏ କହିଛୁ କହି ଆଶୀର୍ବାଦ ଓ ଧନ୍ୟବାଦ ଦେଇ କହିଥିଲେ ନିଜ ନିଜର କର୍ତ୍ତବ୍ୟ ଓ ଦାଇତ୍ୱ ଭିତରେ ଅନ୍ୟର ସମ୍ମାନ ଓ ମୂଲ୍ୟ ବୁଝିବା, ପରିବାର ସଦସ୍ୟମାନଙ୍କ ପ୍ରତି ପ୍ରେମ ଝଲକ. ସେଦିନ ଦୀପାବଳୀ ଭଳି ଘର ଦ୍ୱାର ଆଲୋକ ମାଳାରେ ସଜ୍ଜିତ ହୋଇ ଯେତିକି ସୁନ୍ଦର ଦିଶୁଥିଲା, କଥାବାର୍ତ୍ତା, ବ୍ୟବହାର, ଉପଚାର, ସମ୍ମାନବୋଧ ରୂପକ ମହକରେ ପ୍ରେମର ବର୍ଷା ହେଇ ହୃଦୟ ସେତିକି ଆଲୋକିତ ହେଉଥିଲା.
ସାକ୍ଷୀଗୋପାଳ, ପୁରୀ
9040977327


