କାଗଜ ପତ୍ରରେ ଲୁଣ ସମବାୟ ସମିତି
କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ଅସ୍ତରଙ୍ଗ ଅଞ୍ଚଳ ଦିନେ ଲୁଣ ଉତ୍ପାଦନ ଓ ବ୍ୟବସାୟର ପେଣ୍ଠସ୍ଥଳୀ ଥିଲା। ଜୁଆର ପାଣିକୁ ବନ୍ଧାଇ ଲୁଣ ଉତ୍ପାଦନ କରି ବହୁ ଲୋକ ଜୀବିକା ନିର୍ବାହ କରୁଥିଲେ। କିନ୍ତୁ ଦୀର୍ଘ ୨୨ବର୍ଷରୁ ଉର୍ଦ୍ଧ ହେବ ଅସ୍ତରଙ୍ଗ ରେ ଆଉ ଲୁଣମରା ନ ହେବାରୁ ଦେଶୀ ଲୁଣ ଦେଖିବା ଏବେ ସାତ ସପନ। ଅସ୍ତରଙ୍ଗ ରେ ଲୁଣ ଉତ୍ପାଦନ ଓ ବିକ୍ରୟ ସମବାୟ ସମିତି ନାମରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା କାର୍ଯ୍ୟାଳୟ ଏହାର ମୂକସାକ୍ଷୀ। ଆଜି ଏହି ଜୀବିକା ଲୋପ ପାଇବା ସହ ପ୍ରଶାସନର ଆନ୍ତରିକତା ଅଭାବରୁ ଲବଣ ସମବାୟ ସମିତି ନିଜର ଅସ୍ତିତ୍ୱ ହରାଇବାକୁ ବସିଛି। ଖବର ମୁତାବକ, ଅସ୍ତରଙ୍ଗ ଚତୁପାର୍ଶ୍ୱରେ ନଦୀ ଓ ସମୁଦ୍ର ଘେରି ରହିଥିଲା। ସମୁଦ୍ର ସଂଲଗ୍ନ ନଦୀର ଜୁଆର ପାଣିକୁ ବନ୍ଧାଇ ଅସ୍ତରଙ୍ଗ, କୁହୁଡି, ନୂଆଗଡ, ଡମଶୁଣ, ନଟରା, କେଉଁଟଜଙ୍ଘା, ଭଉଁରିଆ ନଦୀ ନିକଟରେ ଅସ୍ତରଙ୍ଗ ବ୍ଲକଅଞ୍ଚଳର ବହୁ ଲୋକ ଲୁଣ ଚାଷ କରି ଲାଭବାନ ହେଉଥିଲେ। ୧୯୩୧ମାର୍ଚ୍ଚ ୫ଠାରୁ ଅସ୍ତରଙ୍ଗ ରେ ଲୁଣ ଉତ୍ପାଦନ ସ୍ୱାଭାବିକ ହୋଇ ୧୯୪୩ରେ ଲବଣ ସମବାୟ ସମିତି ଗଠନ ହୋଇଥିଲା। ଏହା ଅଧୀନରେ କୁଜଙ୍ଗ, ରାଜନଗର, ରାଜକନିକା, ପିପିଲି, ନୟାହାଟ, ପାରାଦ୍ୱୀପ ପ୍ରମୁଖ ସ୍ଥାନରେ ଲୁଣ ବିକ୍ରି କରି ଉଚିତ ମୂଲ୍ୟ ମିଳୁଥିଲା। ୧୯୯୯ମହାବାତ୍ୟା ରେ ଲୁଣ ଚାଷ ଓ ସମିତି କାର୍ଯ୍ୟାଳୟ କ୍ଷତିଗ୍ରସ୍ତ ହୋଇଥିଲା। ୨୦୦୨ରେ ଆୟୋଡିନ ଯୁକ୍ତ ଲୁଣର ପ୍ରଚାର ପ୍ରସାର ଯୋଗୁଁ ଦେଶୀ ଲୁଣର ଚାହିଦା ଧୀରେ ଧୀରେ କମିଥିଲା। ଅନ୍ୟ ପକ୍ଷରେ ଲୁଣ ଚାଷ ପାଈଁ ଲିଜ ସୂତ୍ରରେ ଜମିର ନବୀକରଣ ନ ହେବାରୁ ୨୦୦୨ରୁ ଲୁଣ ଉତ୍ପାଦନ ସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡିଯାଇଛି। ଅନେକ ବ୍ୟକ୍ତି ବିଶେଷ ଙ୍କ ସହ କିଛି ଚିଙ୍ଗୁଡ଼ି ମାଫିଆ ଙ୍କ ଲୋଲୁପ ଦୃଷ୍ଟି ଏବେ ଲବଣ ଜମି ଉପରେ। ଲବଣ ଜମି ଖୋଳି କିଛି କିଛି ଚିଙ୍ଗୁଡ଼ି ମାଫିଆ ବେଆଇନି ଚିଙ୍ଗୁଡ଼ି ଘେରି ନିର୍ମାଣ କଲେଣି ଅନେକ ମଧ୍ୟ ଜେସିବି ପକାଇ ଖୋଳା ଜାରୀ ରଖିଛନ୍ତି।ଜମି ଜବରଦଖଲ ସମେତ ବିଭିନ୍ନ ସ୍ଥାନରେ ଏବେ ମାଳ ମାଳ ଚିଙ୍ଗୁଡ଼ି ଘେରି ମୁଣ୍ଡ ଟେକିଛି। ବର୍ତମାନ ସମିତିର ସଭାପତି ରାଜକିଶୋର ବେହେରା କୁହନ୍ତି ୧୯୯୫ରେ ସମିତି ଅଧୀନରେ ୪୮୦ଏକର ଜମି ଥିଲା। ୧୯୯୪-୯୫ରେ ଏହି ଜମି ୭୫ଏକର ଜମି ଥିଲା। ୧୯୯୪-୯୫ରେ ଏହି ଜମି ୭୫ଏକର ରେ ସୀମିତ ରଖି ୪୦୫ଏକର ସରକାରୀ ଖାତାକୁ ଯାଇଥିଲା। ତେବେ ୭୫ଏକର ଜମିରୁ ଯାହା ଲୋକ କହିବା ମୁତାବକ ୧ଏକର ୩୦ଡେସି ମିଲି ରେ ତହସିଲ, ୧ଏକର ୨୦ଡେସି ମିଲି ରେ ନୂତନ ଥାନାର ଭିତ୍ତିଭୂମି, ପ୍ରାୟ ୨୨ଡେସିମିଲି ଜାଗାରେ ଲୁଣ ସମବାୟ ସମିତି ଦଣ୍ଡାୟମାନ। ଅସ୍ତରଙ୍ଗ ରୁ କିଛି ଦୂରରେ ଏକ ବିସ୍ତିର୍ଣ୍ଣ ଜମି ରହି ଲୁଣପାଟ ନାମରେ ନାମିତ। କାଳକ୍ରମେ ଏହା ସଂକୁଚିତ ହୋଇ ଜମି ହଜିଯିବାକୁ ବସିଛି। ପ୍ରତିବର୍ଷ ମେ ୨୧ରେ କୁହୁଡି ଠାରେ ଲବଣ ସତ୍ୟାଗ୍ରହ ସ୍ମାରକୀ ଦିବସ ପାଳନ ସମୟରେ ନେତାଙ୍କ ଭାଷଣ ବେଳେ ଲୁଣ ଚାଷର ସ୍ମୃତି ମନେ ପଡିଥାଏ। କୁହୁଡିଠାରେ ଲବଣ ସତ୍ୟାଗ୍ରହ ଭିନ୍ନ ରୂପଧାରଣ କରି ସତ୍ୟାଗ୍ରହୀ ପଣ୍ଡିତ ନୀଳକଣ୍ଠ ଦାସଙ୍କ ନେତୃତ୍ୱରେ ମଧୁସୂଦନ ମିଶ୍ର, ଭୁବନାନନ୍ଦ ସ୍ୱାଇଁ, ପୂର୍ଣ୍ଣାନନ୍ଦ ସ୍ୱାଇଁ ଙ୍କ ସମେତ ସାଧାରଣ ଲୋକ ଲବଣ ଆଇନି କୁ ଭଙ୍ଗ କରି ୧୯୩୦ମେ ମାସରେ ଲୁଣ ମାରି ଗୋରା ସିପାହୀଙ୍କୁ ଲହୁ ଲୁହାଣ କରିଥିଲେ।ଅନୁମତି ବା ପ୍ରୋତ୍ସାହନ ମିଳିଲେ ଅତ୍ୟାଧୁନିକ ପଦ୍ଧତିରେ ଅସ୍ତରଙ୍ଗ ରେ ଲୁଣଚାଷ ପୁନଃଜୀବିତ ହୋଇ ଜୀବିକା ଫେରିବା ସମେତ ରାଜସ୍ୱ ବୃଦ୍ଧି ସମ୍ଭବ ହୁଅନ୍ତା ବୋଲି ଅନେକ ବୁଦ୍ଧିଜୀବୀ କୁହନ୍ତି। ଅନ୍ୟ ପଟେ ଲବଣ ଜମି ରେ ବେଆଇନି ଚିଙ୍ଗୁଡ଼ି ଘେରିକୁ ନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରିଣୀ କହିଛନ୍ତି ଖୁବ ଶୀଘ୍ର ସ୍ଥିତି ଅନୁଧ୍ୟାନ କରି ଆଇନି ଉଲ୍ଲଘନ କରିଥିଲେ ନିୟମ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


