ମୁଖାପିନ୍ଧାକୁ ଦୂରୁ ଜୁହାର

ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ
ବିଚିତ୍ର ମାନବ ଶୁଣ ତା’ ସ୍ଵଭାବ
କେମନ୍ତେ ଖେଳଇ ଖେଳ
କଳ କଉଶଳେ ଛଳନାରେ ଛଳେ
ମୁଖେପିନ୍ଧି ମୁଖା ଖୋଳ
ହସି ହସି ଆସେ ପାଶ
ବିଶ୍ୱାସ ଜନ୍ମାଏ ନିଜର କରାଏ
ହୃଦରେ ରଖିଣ ବିଷ ।।
ଦେଖାଏ ସପନ ମରୁରେ ଉଦ୍ୟାନ
ଖଚ ମିଛ କହି କଥା
ତିଳକୁ ତାଳ ସେ ବର୍ଣ୍ଣନା କରଇ
ଘୂରାଇ ଦିଅଇ ମଥା
ପାଣିରେ ପକାଏ ସର
ଆତ୍ମୀୟ ପରାଏ ଦେଖାଇ ହୁଅଇ
ହୋଇଥାଏ ସ୍ଵାର୍ଥପର।।
ଧର୍ମ ବକ ପ୍ରାୟେ ଧର୍ମ କଥା କହି
ଧର୍ମକୁ ମାରଇ ଠାର
ଅନ୍ୟାୟ ଅନୀତି କୁକର୍ମ କରଇ
ଲୁଚି ଛପି ବାରମ୍ବାର
ଧରିଣ ସାଧୁର ବେଶ
ସଦାଚାର ଜ୍ଞାନ କରଇ ପ୍ରଦାନ
ଅର୍ଥେ ଥାଏ ସଦା ଆଶ।।
ଦିବସ ବେଳାରେ ବୃକ୍ଷର ମୂଳରେ
ଢାଳଇ ପ୍ରଚୁର ପାଣି
ରାତିର ଅଧରେ ଚେର ଯେ କାଟଇ
ଏହି ମାରାତ୍ମକ ପ୍ରାଣୀ
ବଚନ କହି ମଧୁର
ଗଛରେ ଚଢାଇ ମୂଳକୁ କାଟଇ
ଏହାକୁ ଦୂରୁ ଜୁହାର ।।
ଖମ୍ବେଶ୍ଵରୀ ପାଟଣା
ଆସିକା ଗଞ୍ଜାମ।


