ଆଦିବାସୀଙ୍କ ପ୍ରକୃତିର ପୂଜା : ସାରହୁଲ

ସଭ୍ୟତା ଆରମ୍ଭରୁ ଆଦିବାସୀମାନେ ପ୍ରକୃତିର ସନ୍ତାନ ବୋଲି ବିବେଚନା କରାଯାଏ। ସେମାନେ ପ୍ରକୃତି କୋଳରେ ଜନ୍ମ ହୋଇଛନ୍ତି, ବଢ଼ିଛନ୍ତି ଏବଂ ହସିଖେଳି ଜୀବନ ମଧ୍ୟ ଅତିବାହିତ କରୁଛନ୍ତି। ପ୍ରକୃତି ପରି ସେମାନଙ୍କ ଜୀବନଶୈଳୀ ଖୁବ ସରଳ, ଉଦାର, ନମ୍ର, ଭଦ୍ର ଏବଂ ମିଷ୍ଟଭାଷୀ ସ୍ୱଭାବର। କୃଷି ହେଉଛି ସେମାନଙ୍କ ମୁଖ୍ୟ ଜୀବିକା ଓ ଶିକାର କରିବା ସେମାନଙ୍କ ପ୍ରାଚୀନ ପରମ୍ପରା, ଯାହା ସେମାନଙ୍କ ଇତିହାସ ଓ ବିଭିନ୍ନ ପୌରାଣିକରୁ ଜଣାଯାଏ। କୃଷି ଏବଂ ପ୍ରକୃତି ସହିତ ଜଡ଼ିତ ବାର ମାସର ତେର ପର୍ବପର୍ବାଣିକୁ ନୃତ୍ୟଗୀତ କରି ମହାଡମ୍ବରରେ ପାଳନ କରିଥାନ୍ତି। ତେବେ ଆଦିବାସୀମାନଙ୍କ ଦ୍ୱାରା ପାଳିତ ପ୍ରକୃତି କିମ୍ବା ଋତୁଭିତ୍ତିକ ଉତ୍ସବକୁ ‘ପରବ’ କହିଥାନ୍ତି। ଯଥା –ପୁଷ୍‌ପୁନେଇ, ମକର, ଚଇତି, ବାହା, ସାରହୁଲ୍‌, ଡାଲ୍‌ଖାଇ, ଭୋଦେଇ, ଡଙ୍ଗର, ଦଶହରା, ଦାସାଇଁ, ଶିବରାତ୍ର, ହୋଲି, ଯାନ୍ତାଳ, କାଳୀପୂଜା, ସହରାୟ ଇତ୍ୟାଦି ପରବ ମଧ୍ୟରୁ ‘ସର୍‌ହୁଲ୍‌’ ଅନ୍ୟତମ। କିନ୍ତୁ ପରବ୍‌ଗୁଡ଼ିକ କେବଳ ଆଦିବାସୀମାନଙ୍କ ସଂସ୍କୃତିକୁ ସୁରକ୍ଷା ଦେଇନଥାଏ, ବରଂ ଏହା ମାଧ୍ୟମରେ ସେମାନଙ୍କ ସଂସ୍କୃତି ଉଜ୍ଜୀବିତ ହେବା ସହ ସଂସ୍କୃତି ଓ ପରମ୍ପରାର ପ୍ରଚାର ଓ ପ୍ରସାର ଘଟିଥାଏ। ମଣିଷ ଓ ପ୍ରକୃତି ଭିତରେ ଥିବା ଚିରନ୍ତନୀ ଯୋଗସୂତ ରୂପେ ଆଦିବାସୀ ସଂସ୍କୃତି ଓ ପରମ୍ପରାକୁ ଆଦିବାସୀମାନେ ସମ୍ମାନ ଦିଅନ୍ତି। ବଣ, ଜଙ୍ଗଲ, ପାହାଡ଼, ପର୍ବତ, ନଈ, ନାଳ, ଝରଣା ଏ ସବୁକୁ ସେମାନେ ବହୁତ ଭଲ ପାଆନ୍ତି। ଏହି ସବୁ ଭଲ ପାଇବାର ଇଚ୍ଛାକୁ ସେମାନେ ନାଚଗୀତରେ, ପର୍ବପର୍ବାଣି ପାଳନ ଅବସରରେ ପରିପ୍ରକାଶ କରିଥାନ୍ତି। ବାର ମାସ ମଧ୍ୟରୁ ଚଇତ ବା ଚୈତ୍ରମାସ ଆଦିବାସୀମାନଙ୍କର ଏକ ବିଶିଷ୍ଟ ମାସ ବୋଲି କୁହାଯାଏ। ଚୈତ୍ର ମାସରେ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ‘ସାର୍‌ହୁଲ୍‌’ ପାଳନ କରିଥାନ୍ତି। ଏହି ସମୟରେ ବସନ୍ତ ମହକି ଉଠେ, ସବୁଠି ବସନ୍ତର ବାସ୍ନା ବାସେ। ଆଦିବାସୀ ଯୁବକ ଯୁବତୀମାନେ ବାହା ହୋଇ ଆସିଥିବା ନୂଆ ବୋହୂ, ବୋହୂ ହେବାକୁ ପ୍ରସ୍ତୁତ କନ୍ୟା ଓ ବାହାଘର ପାଇଁ ପୁଅମାନେ ବସନ୍ତ ରଙ୍ଗରେ ସଜେଇ ନିଜ ନିଜକୁ ରଙ୍ଗେଇ ଦେଇଥାନ୍ତି। ରଙ୍ଗବେରଙ୍ଗୀ ଚତୁଃପାର୍ଶରେ ମିଠାମିଠା ସ୍ୱର ଶୁଭେ ଆଉ ସେଇ ସ୍ୱର ପ୍ରତିଧ୍ୱନି ଲହରାଇ ଉଠେ ସମଗ୍ର ଅଞ୍ଚଳକୁ, ପୁଣି ବଣରୁ ବଣକୁ, ପାହାଡ଼ରୁ ପାହାଡକୁ ଡେଇଁ ଡେଇଁ ଆସେ ମଣିଷ କାନରେ, ଭେଦିଦିଏ ବସନ୍ତର ଲହର ଆଉ ସେଇ ଲହରରେ ଆଦିବାସୀମାନେ ଉଲ୍ଲସିତ ହୋଇ ଉଠନ୍ତି। ପାଳିଥାନ୍ତି ପ୍ରକୃତିର ପୂଜାପର୍ବ ‘ସାରହୁଲ’।
ସାରହୁଲ ପର୍ବ ହେଉଛି ଆଦିବାସୀଙ୍କ ପ୍ରମୁଖ ପ୍ରକୃତି ଭିତ୍ତିକ ପୂଜାପର୍ବ, ଯାହା ଚୈତ୍ର ମାସ ଶୁକ୍ଳପକ୍ଷ ତୃତୀୟାଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳନ କରାଯାଏ। ଏହା ମୁଖ୍ୟତଃ ଶାଳ ବୃକ୍ଷ ଓ ଫୁଲଫଳ ସହ ଜଡ଼ିତ ଆଦିବାସୀଙ୍କ ଏକ ପାରମ୍ପରିକ ପୂଜାପର୍ବ। ଏଥିରେ ପ୍ରକୃତି, ଗଛ ଓ ପଥରକୁ ପୂଜା କରାଯାଏ। ନୂତନ ଫସଲ ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରାଯାଏ। ମାଟି ଏବଂ ସୂର୍ଯ୍ୟଙ୍କୁ ସମ୍ମାନ ଜଣାଇ ପ୍ରକୃତି ସହ ସମ୍ପର୍କ ସ୍ଥାପନର ପର୍ବ ବୋଲି ଅଭିହିତ କରାଯାଏ। ପ୍ରକୃତିର ସୁରକ୍ଷା ପାଇଁ ହିଁ ପୂଜା କରାଯାଏ। ଏହି ଅବସରରେ ଆଦିବାସୀମାନେ ପାରମ୍ପରିକ ବେଶଭୂଷାରେ ସଜବାଜ ହୋଇ ବାଦ୍ୟଯନ୍ତ୍ର ସହ ନୃତ୍ୟଗୀତ କରିଥାନ୍ତି। ଆଦିବାସୀଙ୍କ ସଂସ୍କୃତି ଓ ପରମ୍ପରାର ଏହା ଏକ ପ୍ରତୀକ ଭାବେ ବିବେଚିତ। ପ୍ରକୃତିର ଆଶୀର୍ବାଦ କାମନା କରିବା, କୃଷି କାର୍ଯ୍ୟର ଶୁଭାରମ୍ଭ ଏବଂ ଭାଇଚାରା ବୃଦ୍ଧି କରିବା ଭଳି ରୀତିନୀତି ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବଜାୟ ରଖିଛନ୍ତି।
ସାନ୍ତାଳ ଆଦିବାସୀମାନେ ଚୈତ୍ର ପର୍ବ ବା ବସନ୍ତ ଉତ୍ସବକୁ ‘ବାହାବଙ୍ଗା’ ରୂପେ ପାଳନ କରନ୍ତି, ଯାହା ଫଗୁଣ ମାସରେ ପାଳନ ହୁଏ। ଆଉ କେତେକ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଚୈତମାସର ଶୁକ୍ଲପକ୍ଷ ତୃତୀୟା ଦିନ ସାର୍‌ହୁଲ୍ ପର୍ବ ପାଳନ କରନ୍ତି। ଏମାନଙ୍କ ମଧ୍ୟରୁ ମୁଣ୍ଡା, ହୋ, ଭୂମିଜ ଏବଂ ଓରାମ ସମ୍ପ୍ରଦାୟର ଲୋକମାନେ ବସନ୍ତ ରତୁରେ ପାଳନ ହେଉଥିବା ପର୍ବକୁ ‘ସାର୍‌ହୁଲ୍‌’ କହନ୍ତି। ପ୍ରତ୍ୟେକ ଆଦିବାସୀ ସଂପ୍ରଦାୟରେ ରହିଛି ଅଭିନ୍ନ ପରମ୍ପରା ଏବଂ ସଂସ୍କୃତି। ସେମାନେ ନିଜର ଗଣପର୍ବକୁ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରିଥାନ୍ତି। ଯେମିତି ସାନ୍ତାଳ ଆଦିବାସୀଙ୍କ ବାହାବଙ୍ଗାକୁ ସେମାନଙ୍କ ରୀତିନୀତି ଅନୁସାରେ ପାଳନ କରିଥାନ୍ତି, ସେହିପରି ଅନ୍ୟ ଆଦିବାସୀଙ୍କର ସାର୍‌ହୁଲ୍ ପର୍ବ ମଧ୍ୟ ସେମାନଙ୍କ ରୀତିନୀତିରେ ପାଳନ କରିଥାନ୍ତି। ସାନ୍ତାଳୀ ବାହାବଙ୍ଗା ଭଳି ସାର୍‌ହୁଲ୍ ପର୍ବରେ ମଧ୍ୟ ଶାଳ ଗଛ ମୂଳେ ପୂଜାର୍ଚ୍ଚନା କରିବା ସହ ନୂଆ ଫୁଲ, ନୂଆ ଫଳ ଆଦି ପୂଜା କରି ପ୍ରକୃତିକୁ ଭେଟିଦିଅନ୍ତି। କେବଳ ଯେ, ଶାଳ ଗଛ ମୂଳରେ ପୂଜା କରି ନୂଆ ଫୁଲ, ଫଳ ଚଢ଼ାଯାଇଥାଏ ତାହା ନୁହେଁ ବରଂ ଏହି ସାରହୁଲ ପୂଜା ସହ ଯୋଡ଼ି ହୋଇ ରହିଛି ଆଦିବାସୀଙ୍କ ଅନେକ ପୌରାଣିକ ତଥ୍ୟ। ମହାଦେବଙ୍କ ଦ୍ୱାରା ପ୍ରକୃତି ସୃଷ୍ଟି ବୋଲି ଆଦିବାସୀମାନେ ବିଶ୍ୱାସ କରନ୍ତି। ସିଏ ହିଁ ସୃଷ୍ଟିକର୍ତ୍ତା, ପାଳନକର୍ତ୍ତା ଏବଂ ରକ୍ଷାକର୍ତ୍ତା। ପ୍ରକୃତି ସହିତ ଜଡ଼ିତ ସମସ୍ତ ଶକ୍ତିକୁ ଆଧାର କରି ମହାଦେବଙ୍କୁ ହିଁ ସକଳ ଶକ୍ତି ମଧ୍ୟରେ ଶ୍ରେଷ୍ଠ ବୋଲି ବିବେଚନା କରାଯାଏ। ପ୍ରକୃତି ସୃଷ୍ଟିର ସୂତ୍ରଧର ହେଉଛନ୍ତି ମହାଦେବ। ତେଣୁ ମହାଦେବ ଦେବତାମାନଙ୍କ ମଧ୍ୟରେ ଶ୍ରେଷ୍ଠ। ପୌରାଣିକ ମତାନୁସାରେ, ମହାଦେବ ଯେତେବେଳେ ମାତା ପାର୍ବତୀଙ୍କୁ ବାହା ହୋଇଥିଲେ ସେତେବେଳେ ମାତା ପାର୍ବତୀ ଏକ ସର୍ତ୍ତ ରଖିଥିଲେ। ବାରମାସ ମଧ୍ୟରୁ ତିନିମାସ ମହାଦେବ ଶିବଙ୍କ ପାଖରେ ଆଉ ନଅମାସ ଧରାପୃଷ୍ଠରେ ରହିବେ। ସର୍ତ୍ତ ଅନୁଯାୟୀ ମାତା ପାର୍ବତୀ ଚୈତ୍ର ମାସରେ ଧରାପୃଷ୍ଠକୁ ଅବତରଣ କରିଥିଲେ। ସେହି ସମୟରେ ପ୍ରକୃତି ବକ୍ଷରେ ବୃକ୍ଷସବୁ କଅଁଳି ନୂଆ ରୂପ ପାଇଥିଲା ଓ ଶାଳ ଗଛର ନୂଆ ପତ୍ର, ନୂଆ ଫୁଲ ଫୁଟି ମାତା ପର୍ବତୀଙ୍କୁ ସ୍ୱାଗତ କରିଥିଲା। ଆହୁରି ଶୁଣାଯାଏ, ଏହି ସମୟରେ ସୂର୍ଯ୍ୟ ଦେବତା ଏବଂ ମାତା ଧରିତ୍ରୀର ବିବାହ ହୋଇଥିଲା। ସୂର୍ଯ୍ୟ ଦେବତାଙ୍କୁ ମହାଦେବ ଶିବ ଏବଂ ଧରିତ୍ରୀଙ୍କୁ ମାତା ପାର୍ବତୀଙ୍କ ଅବତାର ମାନି ଆଦିବାସୀମାନେ ପ୍ରକୃତି ପୂଜା ଆରମ୍ଭ କରିଥିଲେ। ସେହିଦିନରୁ ଏହି ପରମ୍ପରାକୁ ବଜାୟ ରଖିବା ପାଇଁ ଆଦିବାସୀମାନେ ପ୍ରକୃତି ଭିତ୍ତିକ ପର୍ବ ପାଳନ କରନ୍ତି। ଏହି ସାରହୁଲ ପୂଜା ପୌରାଣିକ ବିଶ୍ୱାସ ହେଉ ବା ନିଜ ଧର୍ମର ବିଶ୍ୱାସ ହେଉ ଏହା କିନ୍ତୁ ବିବିଧତା ମଧ୍ୟରେ ଏକତା ହିଁ ପ୍ରମାଣିତ କରୁଛି।

ଦଶରଥ ହେମ୍ବ୍ରମ୍

ବାଲେଶ୍ୱର, ମୋ-୯୩୩୭୪୦୪୨୫୪

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ