ଆସିକା ଗୁରୁକୁଳ ଇଣ୍ଟରନ୍ୟାସନଲ୍ ପବ୍ଳିକ୍ ସ୍କୁଲର ବାର୍ଷିକୋତ୍ସବ
ଆସିକା (ୱାଇଏନ୍ଏସ୍) : ଆସିକା ଏନ୍ଏସି ଅଧୀନସ୍ଥ ଖମ୍ବେଶ୍ୱରୀପାଟଣାରେ ଥିବା ଗୁରୁକୁଳ ଇଣ୍ଟରନ୍ୟାସନଲ୍ ପବ୍ଳିକ ସ୍କୁଲର ବାର୍ଷିକୋତ୍ସବ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଲାୟନ୍ସ କମ୍ୟୁନିଟି ହଲ୍ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଗୁରୁକୁଳ ଇଣ୍ଟର୍ନ୍ୟାସନଲ୍ ପବ୍ଳିକ ସ୍କୁଲର ପରିଚାଳନା କମିଟି ସଭାପତି ତଥା ଶିକ୍ଷାବିତ୍ ବି.ଶଙ୍କର ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତା ଓ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ହିମାଂଶୁ କରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ବ୍ରହ୍ମପୁର ସ୍ଥିତ ଗୁରୁକୁଳ ଇଣ୍ଟରନ୍ୟାସନଲ୍ ପବ୍ଳିକ ସ୍କୁଲର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମହାପାତ୍ର, ଦକ୍ଷିଣ ଓଡିଶା ଦିବ୍ୟଜୀବନ ସଂଘ ସମନ୍ୱୟ ସମିତିର ମୁଖ୍ୟ ସଂଗଠକ ଜୟଚନ୍ଦ୍ର ନାୟକ, ଭାରତୀୟ ଶିକ୍ଷାବିକାଶ ସଂସ୍ଥାନ ଦକ୍ଷିଣ କ୍ଷେତ୍ର ଓଡିଶାର ସଭାପତି ସୂର୍ଯ୍ୟପ୍ରକାଶ ମିଶ୍ର, ପୂର୍ବତନ ବିଧାୟକ ସିମାଞ୍ଚଳ ବେହେରା, ପ୍ରାକ୍ତନ ସରପଞ୍ଚ ପ୍ରମୋଦ କୁମାର ପ୍ରଧାନ, ମାମୁଁଡିହ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର କର ପ୍ରମୁଖ ଯୋଗଦେଇ ବିଦ୍ୟାର୍ଥୀମାନେ ନିଜର ଲକ୍ଷ୍ୟ ସ୍ଥିର କରି ତାହାକୁ ପୂରଣ କରିବା ପାଇଁ ଗଭୀର ଆତ୍ମବିଶ୍ୱାସ ଓ ନିଷ୍ଠାର ସହ ଉଦ୍ୟମ ଜାରି ରଖିବାକୁ ଆହ୍ୱାନ କରିବା ସହ ନିଷ୍ଠା ଓ ଏକାଗ୍ରତା ମନୁଷ୍ୟକୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଦେଉଥିଲା ବେଳେ ଜୀବନରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖି କାମ କଲେ ସଫଳତାକୁ ସ୍ପର୍ଶ କରିବା ଅସମ୍ଭବ ହୋଇନଥାଏ । ତେଣୁ ଛାତ୍ରଛାତ୍ରୀମାନେ ନିଜର ଉଜ୍ଜଳ ଭବିଷ୍ୟତ ଗଠନ ପାଇଁ ଶିକ୍ଷାରୂପକ ଜ୍ଞାନ ଆହରଣ କରିବାକୁ ଆହ୍ୱାନ କରିଥିଲେ । ଆସିକା ଏନ୍ଏସି ଅଧୀନସ୍ଥ ଖମ୍ବେଶ୍ୱରୀପାଟଣା ସ୍ଥିତ ଗୁରୁକୁଳ ଇଣ୍ଟରନ୍ୟାସନଲ୍ ପବ୍ଳିକ ସ୍କୁଲର ଷଷ୍ଠତମ ବାର୍ଷିକ ଉତ୍ସବ ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ବେଳେ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ସଚେତନ ନାଗରିକ, ମାନ୍ୟଗଣ୍ୟ ବ୍ୟକ୍ତି ଓ ଅଭିଭାବକଙ୍କୁ ବିମୋହିତ କରି ଦେଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ଅଭିଭାବକ, ସଚେତନ ନାଗରିକ, ଅଞ୍ଚଳବାସୀ ଉପସ୍ଥିତ ଥିବା ବେଳେ ଶିକ୍ଷାନୁଷ୍ଠାନର ଗୁରୁମା ଆର୍.ଜ୍ୟୋତ୍ସ୍ନାରାଣୀ ରେଡି, ଶିବାନୀ କାମ୍ପ, ଏଲ୍.କମଳା କୁମାରୀ ଆଚାରୀ, ପୂଜାରାଣୀ ବେହେରା, ଭବାନୀ ସାହୁ, ଗାୟତ୍ରୀ ମହାନ୍ତି, ଝୁମୁରୀ ବେହେରାଙ୍କ ସମେତ ସମସ୍ତ କର୍ମଚାରୀ ଏହି ବାର୍ଷିକୋତ୍ସବ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।


