ପୈତୃକ କୋଠାର ତଳ ମହଲା ବାପାଙ୍କୁ ଦିଅ : ହାଇକୋର୍ଟ

କଟକ, (ଓ୍ବାଇଏନଏସ): ବରିଷ୍ଠ ନାଗରିକ ତଥା ଅଭିଭାବକଙ୍କୁ ସାମାଜିକ ନ୍ୟାୟ ପ୍ରଦାନ କରିବା ମାତା-ପିତା, ବରିଷ୍ଠ ନାଗରିକଙ୍କ ଭରଣପୋଷଣ, କଲ୍ୟାଣ ଅଧିନିୟମ, ୨୦୦୭ ଏବଂ ଏ ସଂପର୍କିତ ୨୦୦୯ର ନିୟମାବଳୀର ପ୍ରାଥମିକ ଉଦ୍ଦେଶ୍ୟ। ବରିଷ୍ଠ ନାଗରିକ ସୁରକ୍ଷିତ ଭାବେ ତଥା ସମ୍ମାନର ସହିତ ବଞ୍ଚି ରହିବାକୁ ଯେପରି ସକ୍ଷମ ହେବେ ସେଥିପାଇଁ ଏହି ଅଧିନିୟମ ଅଧୀନରେ ନିର୍ଦ୍ଦେଶନାମା ଜାରି ପାଇଁ ବ୍ୟବସ୍ଥା ରହିଛି ବୋଲି ହାଇକୋର୍ଟ କହିଛନ୍ତି। ଏଥିସହ ଭୁବନେଶ୍ବର ବରମୁଣ୍ଡା ଗ୍ରାମର ଜଣେ ବରିଷ୍ଠ ନାଗରିକଙ୍କୁ ସୁରକ୍ଷିତ ଭାବେ ରହିବା ପାଇଁ ପୈତୃକ ଜାଗାରେ ନିର୍ମିତ ଦୁଇ ମହଲା କୋଠାର ତଳ ମହଲା ହସ୍ତାନ୍ତର ପାଇଁ ତାଙ୍କ ପୁଅଙ୍କୁ ଭୁବନେଶ୍ବର ଉପଜିଲ୍ଲାପାଳ ତଥା ସବ୍‌ଡିଭିଜନାଲ୍‌ ଟ୍ରିବ୍ୟୁନାଲ୍‌ ପ୍ରଦାନ କରିଥିବା ନିର୍ଦ୍ଦେଶକୁ ହାଇକୋର୍ଟ କାଏମ ରଖିଛନ୍ତି। ଜଷ୍ଟିସ୍‌ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପଜିଲ୍ଲାପାଳଙ୍କ ୨୦୨୫ ଅଗଷ୍ଟ ୭ର ନିର୍ଦ୍ଦେଶ ବିରୋଧରେ ଦାୟର ମାମଲାକୁ ଖାରଜ କରିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୦୭ ଅଧିନିୟମ ଅଧୀନରେ ଆବେଦନକାରୀ ବରିଷ୍ଠ ନାଗରିକ ତାଙ୍କ ସାନ ପୁଅ ବିରୋଧରେ ଦାୟର କରିଥିବା ଆବେଦନର ଭୁବନେଶ୍ବର ଉପଜିଲ୍ଲାପାଳ ଶୁଣାଣି କରି ୨୦୨୫ ଅଗଷ୍ଟ ୭ରେ ରାୟ ପ୍ରକାଶ କରିଥିଲେ। ଉଭୟ ଆବେଦନକାରୀ ଓ ତାଙ୍କ ପୁଅ ବରମୁଣ୍ଡା ଘରେ ଶାନ୍ତିପୂର୍ଣ୍ଣ ଭାବେ ରହିବେ। ପୁଅ ବାପାଙ୍କୁ ଗାଳିଗୁଲଜ ତଥା ଧମକ ଦେବା ବନ୍ଦ କରିବା ସହିତ ସମ୍ମାନ ପ୍ରଦର୍ଶନ କରିବେ। ବାପା ସୁରକ୍ଷିତ ଭାବେ ରହିବା ପାଇଁ ଦୁଇ ମହଲା କୋଠାର ତଳ ମହଲାକୁ ପୁଅ ଖାଲି କରି ବାପାଙ୍କୁ ହସ୍ତାନ୍ତର କରିବେ ବୋଲି ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ସଂପତ୍ତି ବିବାଦ ସଂପୂର୍ଣ୍ଣ ଭାବେ ଦେୱାନୀ ଧରଣର ଏବଂ ଏହା ଉପଜିଲ୍ଲାପାଳଙ୍କ ଅଦାଲତରେ ବିଚାରାଧୀନ ବୋଲି ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଥିଲା। ଏହି ରାୟକୁ ଚ୍ୟାଲେଞ୍ଜ କରି ବାପା ଓ ପୁଅ ଉଭୟ ହାଇକୋର୍ଟରେ ପୃଥକ୍‌ ଆବେଦନ ଦାୟର କରିଥିଲେ। ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ରଦ୍ଦ କରିବାକୁ ପୁଅଙ୍କ ଆବେଦନରେ ନିବେଦନ କରାଯାଇଥିଲା। ଅନ୍ୟପକ୍ଷରେ ସଂପତ୍ତି ଓ ଅନ୍ୟ କେତେକ ପ୍ରସଙ୍ଗକୁ ଉପଜିଲ୍ଲାପାଳ ବିଚାରକୁ ନ ନେଇ ନିର୍ଦ୍ଦେଶ ପ୍ରଦାନ କରିଥିଲେ ‌ବୋଲି ବରିଷ୍ଠ ନାଗରିକ ତଥା ବାପାଙ୍କ ଆବେଦନରେ ଉଲ୍ଲେଖ କରାଯାଇଥିଲା। ଉଭୟ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀ ବରିଷ୍ଠ ନାଗରିକଙ୍କ ବୟସ ଏବେ ୮୬ ବର୍ଷ ଓ ତାଙ୍କ ପତ୍ନୀଙ୍କ ପରଲୋକ ହୋଇ ସାରିଛି। ସେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଭାବେ ପେନ୍‌ସନ୍‌ ପାଉଛନ୍ତି। ସେ ବରମୁଣ୍ଡା ଗ୍ରାମରେ ଥିବା ପୈତୃକ ଘରେ ତିନି ପୁଅଙ୍କ ସହିତ ରହୁଥିଲେ। କିଛି ବର୍ଷ ପୂର୍ବରୁ ବଡ଼ ଓ ମଝିଆ ପୁଅ ପୃଥକ ଭାବେ ରହିବାକୁ ଅନ୍ୟତ୍ର ଚାଲି ଯାଇଥିଲେ। ଏହାପରେ ସେ ସାନପୁଅ ସହିତ ପୈତୃକ ଘରେ ରହୁଥିଲେ। କିଛି ଦିନ ତଳେ ସାନପୁଅ ତାଙ୍କୁ ଏହି ଘର ଛାଡ଼ିବାକୁ ବାଧ୍ୟ କରିଥିଲା। ଏହାପରେ ଅନ୍ୟ ଦୁଇ ପୁଅଙ୍କ ପାଖକୁ ସେ ରହିବାକୁ ଯାଇଥିଲେ। ସାନ ପୁଅ ବିରୋଧରେ ନିର୍ଯାତନା ଓ ଅପମାନିକ କରିବା ଅଭିଯୋଗ ଆଣିବା ସହିତ ୨୦୦୭ ଅଧିନିୟମ ଅଧୀନରେ ଉପଜିଲ୍ଲାପାଳଙ୍କ ନିକଟରେ ବାପା ଆବେଦନ କରିଥିଲେ। ପୈତୃକ ଘରେ ସୁରକ୍ଷିତ ଭାବେ ରହିବାକୁ ନିର୍ଦ୍ଦେଶ ଦିଆଯାଉ। ଏଥି ସହିତ ସାନପୁଅ ନାମରେ ବିଭିନ୍ନ ସ୍ଥାନରେ ସେ କ୍ରୟ କରିଥିବା ଭୂ-ସଂପତ୍ତିକୁ ତାଙ୍କ ନାମକୁ ଆଣିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ସେ ଦର୍ଶାଇଥିଲେ। ମାମଲାର ଶୁଣାଣି କରି ଉପଜିଲ୍ଲାପାଳ ୨୦୨୫ ଅଗଷ୍ଟ ୭ରେ ନିର୍ଦ୍ଦେଶ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ