ଜୟଦେବ ଜେନାଙ୍କୁ ହତ୍ୟା ଧମକ ଘଟଣା: ଯାଜପୁରରୁ ଦୁଇ ଜଣଙ୍କୁ ଗିରଫ କଲା ନନ୍ଦିପଦା ପୋଲିସ

ହାଟଡିହି (ଓ୍ବାଇଏନଏସ) : ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ହତ୍ୟା ଧମକ ଦେବା ଘଟଣାରେ ପୋଲିସ ଦୁଇଜଣଙ୍କୁ  ଗିରଫ କରିଛି।  ଗତ ୯ତାରିଖ ଦିନ ୮୯୮୪୭୯୦୩୭୨ ନମ୍ବରରୁ ହ୍ବାଟସ୍ ଆପ୍ ଜରିଆରେ ଜୟଦେବ ଜେନାଙ୍କୁ ଅତି ଆଶ୍ରାବ୍ୟ ଭାଷାରେ ମେସେଜ ସହିତ, ହତ୍ୟା ଧମକ ଦେବା, ଭୁବନେଶ୍ୱର ଆସିଲେ ଜୀବନରୁ ମାରିଦେବାକୁ ଧମକ ମିଳିଥିଲା। ଘଟଣାରେ ଗତ ୯ତାରିଖ ଦିନ ନନ୍ଦିପଦା ଥାନାରେ ଜୟଦେବ ଜେନା ଏନେଇ ଏତଲା ଦେଇଥିଲେ ।  ଅଭିଯୋଗ ଆଧାରରେ ନନ୍ଦିପଦା ଥାନା କେସ୍ ନଂ ୧୦୪/୨୬ ବିଏନଏସଏସ ୩୫୧(୩) ୩୫୧(୪), ୨୯୬, ସେକ୍ସନ ୬୭ ଆଇଟି ଆକ୍ଟରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ଜୟଦେବ  ଏ ବାବଦରେ ପୁଲିସ ଡିଜି, କେନ୍ଦୁଝର ଏସ ପି ଙ୍କୁ ମଧ୍ୟ ଜଣାଇ ଥିଲେ। କିନ୍ତୁ ଅନେକ ଦିନ ପର୍ଯ୍ୟନ୍ତ ପୋଲିସ କେବଳ ମାମଲା ରୁଜୁ କରି ଚୁପ ହୋଇଯିବାରୁ ଓ କୌଣସି ପଦକ୍ଷେପ ନନେବାରୁ ଶ୍ରୀ ଜେନା ବିଭିନ୍ନ ଗଣମାଧ୍ୟମରେ ରାଜ୍ୟର ଅଇନି ଶୃଙ୍ଖଳା ନେଇ ପ୍ରଶ୍ନ ଉଠାଇ ଥିଲେ। ତାଙ୍କ ଭଳି ଜଣେ ରାଜନୈତିକ ନେତା ଯଦି ନ୍ୟାୟ ପାଇ ପାରୁ ନାହାନ୍ତି ସାଧାରଣ ଲୋକଙ୍କ କଥା ପଚାରେ କିଏ ବୋଲି କହିଥିଲେ। ଏହାପରେ କେନ୍ଦୁଝର ଏସ.ପି ଙ୍କ ନିର୍ଦ୍ଦେଶକ୍ରମେ ୨ଟି ସ୍ୱତନ୍ତ୍ର ଟିମ୍ ଗଠନ କରି ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା ।  ଏହାପରେ ଧମକ ଦେଇଥିବା ଯୁବକକୁ ଚିହ୍ନଟ କରାଯିବା ସହ ଗତକାଲି ରାତିରେ ନନ୍ଦିପଦା ପୋଲିସ ଯାଜପୁର ଜିଲ୍ଲା ମଙ୍ଗଳପୁର ପଞ୍ଚାୟତ ନୂଆଗାଁ ଗ୍ରାମରୁ ଦୁଇ ଜଣ ଅଭିଯୁକ୍ତଙ୍କୁ ଉଠାଇ ଆଣିଥିଲା। ଦୁଇ ଅଭିଯୁକ୍ତ ମାନେ ହେଲେ ରାକେଶ ନଟିଆ (୨୯)ଓ ହରମୋହନ ବାରିକ (୨୭)। ରାକେଶ ନଟିଆ ଜଣେ କଂଗ୍ରେସ କର୍ମୀ ହୋଇଥିବା ବେଳେ ତାର ପ୍ରରୋଚନାରେ ହରମୋହନ ଅନ୍ୟ ଏକ ଚୋରା ସିମ କାର୍ଡ ବ୍ୟବହାର କରି ଏହି ଧମକ ମେସେଜ ପଠାଇଥିଲା। ଅଭିଯୁକ୍ତ ମାନେ ଯେଉଁ ମୋବାଇଲ ରୁ ଧମକ ମେସେଜ ପଠାଇ ଥିଲେ ପୋଲିସ ସେ ମୋବାଇଲକୁ ମଧ୍ୟ ଜବଦ କରିଥିବା ଆନନ୍ଦପୁର ଏସ୍ଡ଼ିପିଓ କମଳ କୁମାର ପଣ୍ଡା ଓ ନନ୍ଦିପଦା ଥାନା ଆଇଆଇସି ଧର୍ମେନ୍ଦ୍ର ଶାନ୍ତି ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ