ପ୍ରତିଷ୍ଠା ଦିବସରେ ଉଦ୍‌ଘାଟନ ହେବ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍‌

କଟକ, (ଓ୍ବାଇଏନଏସ): ଦୀର୍ଘ ବର୍ଷ ଧରି ନିର୍ମାଣ ଚାଲିଥିବା ଯୋବ୍ରାସ୍ଥିତ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୬ ମହଲା ବିଶିଷ୍ଟ ବିଲ୍ଡିଂରେ ଥିବା କ୍ଲାସ୍‌ରୁମ୍ ଏବଂ ବିଭିନ୍ନ ଲ୍ୟାବ୍ କାର୍ଯ୍ୟ ଶେଷ ହୋଇଥିବା ବେଳେ ବାହାର ଲ୍ୟାଣ୍ଡସ୍କେପିଂ କାର୍ଯ୍ୟ ମଧ୍ୟ ଶେଷ ହୋଇଛି । ଆସନ୍ତା ୨୮ ତାରିଖରେ ନିର୍ମାଣକାରୀ ସଂସ୍ଥା ବିଶ୍ୱବିଦ୍ୟାଳୟକୁ ଏହି କୋଠା ହସ୍ତାନ୍ତର କରିବ ବୋଲି ଜଣାପଡିଛି । ଏପ୍ରିଲ ୨୮ ମଧୁ ଜୟନ୍ତୀ ତଥା ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ଦ୍ୱିତୀୟ କ୍ୟାମ୍ପସ୍ ଉଦ୍‌ଘାଟନ ପାଇଁ ଯୋଜନା କରାଯାଉଛି। ୨୦୨୨ ମସିହାରେ ଓଡ଼ିଶା ରାଜ୍ୟ ପୁଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ (ଓପିଏଚ୍‌ଡବ୍ଲୁସି) ଦ୍ୱାରା ଦ୍ୱିତୀୟ କ୍ୟାମ୍ପସ୍ରେ ଶ୍ରେଣୀଗୃହଠାରୁ ଆରମ୍ଭ କରି ପ୍ରଶାସନିକ ବିଲ୍ଡିଂ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ୬ ମହଲା ବିଶିଷ୍ଟ ଏହି ବିଲ୍ଡିଂରେ ୫ ବର୍ଷିଆ ଇଣ୍ଟ୍ରିଗ୍ରେଟେଡ୍ ଆଇନ ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ ମୋଟ୍ ୨୦ଟି ଅତ୍ୟାଧୁନିକ କ୍ଲାସ୍‌ରୁମ୍ ଥିବାବେଳେ ଇଣ୍ଟରଆକ୍ଟିଭ୍ ପ୍ୟାନେଲ୍ ସହ ଆମ୍ପ୍ଲିଫାୟାର, ପୋଡିୟମ୍, ଅଧ୍ୟାପକଙ୍କ ପାଇଁ ଲ୍ୟାପଟପ୍ ଏବଂ ପ୍ରତି କ୍ଲାସରୁମ୍‌ରେ ସିସିଟିଭି ଲଗାଯାଇଛି । ଇଣ୍ଟରନେଟ୍ ଏବଂ ଲ୍ୟାପଟପ୍ ସଂଯୋଗ ହୋଇଥିବା ଇଣ୍ଟରଆକ୍ଟିଭ୍ ପ୍ୟାନେଲ୍ ମାଧ୍ୟମରେ ଛାତ୍ରଛାତ୍ରୀମାନେ ପାଠ ପଢିବାର ବ୍ୟବସ୍ଥା କରାଯାଇଛି । ସେହିପରି ୨ଟି ପାଠାଗାର ସହ ଉନ୍ନତମାନର ଇ-ଲ୍ୟାବ୍ ଏବଂ କମ୍ପ୍ୟୁଟର ଲ୍ୟାବ୍ କରାଯାଇଛି । ଗୋଟିଏ ଲ୍ୟାବ୍‌ରେ ୩୦ଟି କମ୍ପ୍ୟୁଟର ରଖାଯିବା ସହ ୨ଟି ଲ୍ୟାବରେ ମୋଟ୍ ୬୦ଟି କମ୍ପ୍ୟୁଟର ରହିବ । ଏହାସହ ପଞ୍ଚମ ମହଲାରେ ୧୪ଟି ଟ୍ରାଞ୍ଜିଟ୍ ରୁମ୍ ବା ଅତିଥି ପ୍ରକୋଷ୍ଠ ନିର୍ମାଣ କରାଯାଇଛି । ଏହା ମଧ୍ୟରେ ଶୌଚାଳୟ ସହ କିଚେନ୍ ଏବଂ ବିଶ୍ରାମ ଗୃହ ମଧ୍ୟ ରହିଛି । ସେହିପରି ବିଭାଗୀୟ ମୁଖ୍ୟଙ୍କ କାର୍ଯ୍ୟାଳୟ ସହ ପ୍ରକୋଷ୍ଠ ରହିଛି । ଏହାସହ ଛାତ୍ରଛାତ୍ରୀଙ୍କ ଓକିଲାତି ଅଭ୍ୟାସ ପାଇଁ ମୁଟ୍ କୋର୍ଟ, ୨ଟି ପାଠପଢା ପ୍ରକୋଷ୍ଠ, ସେମିନାର ହଲ ଏବଂ ୨ଟି କନଫରେନ୍ସ ହଲ୍ ସହ ଉଭୟ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକଙ୍କ ପାଇଁ କମନ୍ ରୁମ୍, ୨ଟି ପରୀକ୍ଷା ହଲ, କ୍ୟାଣ୍ଟିନ୍ ଏବଂ କାଫେଟେରିଆ ମଧ୍ୟ କରାଯାଇଛି । ଏହାର ସମସ୍ତ କାର୍ଯ୍ୟ ଶେଷ ହୋଇଥିବା ବେଳେ ବିଦ୍ୟୁତ୍ ସଂଯୋଗ କାର୍ଯ୍ୟ କରାଯାଉଛି । କ୍ୟାମ୍ପସ୍ ସୌନ୍ଦର୍ଯ୍ୟକରଣ ପାଇଁ ଚାରିପଟେ ଘାଷ ଏବଂ ଗଛ ଲଗାଯାଇଥିବା ବେଳେ ପେଭର୍ ବ୍ଲକ୍ ବିଛା କାର୍ଯ୍ୟ ଶେଷ ହୋଇଛି । ସେହିପରି କ୍ୟାମ୍ପସ୍‌ରେ ବାରବାଟୀ ଦୁର୍ଗ ଆକୃତିର ଫାଟକ ନିର୍ମାଣ ହୋଇଥିବା ବେଳେ ସମସ୍ତ କାର୍ଯ୍ୟ ଶେଷ ହୋଇଛି । ଆସନ୍ତା ୨୮ ତାରିଖରେ ନିର୍ମାଣକାରୀ ସଂସ୍ଥା ବିଶ୍ୱବିଦ୍ୟାଳୟକୁ ଏହି କୋଠା ହସ୍ତାନ୍ତର କରିବ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ