ଈଶ୍ୱର ଅଛନ୍ତି ଚତୁଃ ପାର୍ଶ୍ୱକୁ
ଏଇ କିଛିଦିନ ହେବ ଏବର୍ଷ ଲଗାତାର ତିନିମାସ ଧରି ନିର୍ଦ୍ଦିଷ୍ଟ ରାତିରେ ନିଦ ଭାଙ୍ଗୁଛି ପେଚା ବୋବାଳିରେ ତ ମନ ଅସ୍ଥିର ଲାଗୁଛି ନୀଳିମାଙ୍କର . ଯେତେ ପାଠ ଶାଠ ପଢିଲେ ମଧ୍ୟ ମନକୁ କିଏ ବୁଝେଇବ!ଆଶଙ୍କାରେ ଜର୍ଜ୍ଜରିତ ମନ. ନିଶ୍ଚୟ କିଛି ଅଘଟଣ ଦୁର୍ଘଟଣା ଅଛି ଭାବି ପ୍ରତିକାର ପାଇଁ ଶୁଭେଛୁମାନଙ୍କୁ ହାତପତେଇ ଉପଦେଶ ମାଗିଲା ବେଳେ କିଏ କହେ ରାତ୍ରୀଚର ପକ୍ଷୀ ସେମାନେ ରାତିରେ ବୋବେଇବେନି? କିଛି ମନ ଊଣା କରିବାର ନାହିଁ. ହଁ ନୀଳିମାଙ୍କ ଘର ଚାରିପଟେ ଗଛ ବହୁତ ହେଲେ କେଵେ ଦିନେ ହେଲେ ତ ସେ ଶୁଣି ନଥିଲେ ଏମିତି ନିର୍ଦିଷ୍ଟ ପ୍ରହରରେ ପୁଣି ରାତିରେ ପେଚା ବୋବାଳି! ପୁଣି କିଏ କହେ ସେ ପେଚା ହୋଇନଥିବ କାରଣ ପେଚା ଉଡି ଉଡି ବୋବାଏ ନାହିଁ. ଯୋଉଠି ହେଲେ ବସିକି ବୋବାଏ. ସେ ବୋବାଳିର ପୁଣି ଅନେକ ସଂକେତ ରହିଛି. ଶୁଭ ଅଶୁଭ ମିଶ୍ରିତ ଭିତରୁ ଚୋରୀ ଭୟ,ମୃତ୍ୟୁ ଭୟ ଇତ୍ୟାଦି ଅଶୁଭ ସଂକେତ ସହ ପେଚା ଲଷ୍ମୀଙ୍କ ବାହାନ ହୋଇଥିବାରୁ କେତେକ ଶୁଭ ସଂକେତ ମଧ୍ୟ ଦେଇଥାଏ . ବହୁଦିନରୁ ରୋଗରେ ପୀଡିତ ଥିବା ରୋଗୀ ଉପରେ ବସିଗଲେ, ରୋଗୀର ରୋଗ ଦୂର ହୁଏ.ଘରୁ ଯାତ୍ରାରେ ବାହାରିବା ବେଳେ ପେଚା ଦେଖିଲେ ଯାତ୍ରା ସଫଳ ହୁଏ ପୁଣି କୋମଳ କଣ୍ଠରେ ପେଚା ଡାକିଲେ ଓ ଧଳା ରଙ୍ଗର ପେଚା ହୋଇଥିଲେ ଭାରି ଶୁଭ ହୋଇଥାଏ . ନୀଳିମା ବୁଝୁନଥିଲେ ଏସବୁ କିଛି.କେବଳ ସନ୍ତ୍ରାସ ଓ ଆତଙ୍କ ଭିତରେ ଦିନ ବିତୁଥିଲା ତାଙ୍କର.କେଵେ ସାରାରାତି ହନୁମାନ ଚାଳିଶା ବୋଲି ବୋଲି ତ କେଵେ କୋଉ ମନ୍ତ୍ରର ଧାଡିଏ କି ଦୁଇଧାଡି ବୋଲି ଦେଇ ଶୋଉଥିଲେ . ପୁଣି କେଵେ ତକିଆ ତଳେ ମୟୁର ପୁଚ୍ଛ ରଖି ତ କେଵେ କାହା କଥାରେ ମୟୁର ପୂଛରେ ଲାଲ ରଙ୍ଗର କପଡା ଗୁଡେଇ ରଖୁଥିଲେ . ଏତେସବୁ ଭିତରେ ବି ନିଦ ଭାଙ୍ଗୁଥିଲା ସେଇ ନିର୍ଦିଷ୍ଟ ରାତିର ନିର୍ଦ୍ଦିଷ୍ଟ ପ୍ରହରରେ. ଉଠିବସି ଜଡ଼ସଡ଼ରେ ହନୁମାନ ଚାଳିଶା ବୋଲିବା ଛଡା ଅନ୍ୟ ଉପାୟ ତ ଉପାୟ ଲାଇଟ ଜାଳି କେତେଟା ବାଜିଛି ବୋଲି ଦେଖିବାକୁ କି ଫୋନ ଚିପି ଲାଇଟ ଜାଳି ସମୟ ଜାଣିବାକୁ ଡର ଲାଗୁଥିଲା. ସ୍ୱାମୀ ମଧ୍ୟ ବିରକ୍ତ ହୋଇ କେତେ କଥା କହୁଥିଲେ. ଦିନେ ଦିନେ ଉଠି ଛାତ ଉପରକୁ ଯାଇ ନିରୀକ୍ଷଣ କରିବାକୁ କହି ଧୂଆଁ ଧୂଆଁ ଜଙ୍ଗଲ ପରି ଲାଗୁଥିଲା କୁହୁଡି କାକର ପରି ଆକାଶ ତ ବାରି ନପାରି ପେଚାର ଉଡାଣ ଫେରି ପଡି ଛାତରୁ ଅନ୍ଧବିଶ୍ୱାସର ବଶବର୍ତ୍ତୀ ନହେବାକୁ କହି କଡ଼ ଲେଉଟାଇ ଶୋଇ ଯାଉଥିଲେ.
ନୀଳିମାଙ୍କ ବାନ୍ଧବୀ ଜଣେ କବୀ ଥିଲେ ଓ ଭାରି ଶୁଭେଛୁ ନୀଳିମାଙ୍କର.ତ ଏସବୁ ଶୁଣି ନୀଳିମାଙ୍କୁ କହିଲେ କରିପାରିବେ ଯଦି ଗୋଟେ କଥା କହନ୍ତି. ମଣିଷ ଜୀବନର ଅନେକ ଦୁଃଖ,ଦହନ, ଯନ୍ତ୍ରଣାକୁ ସାମ୍ନା କରୁ କରୁ ଏମିତି ଗୋଟେ ପରିସ୍ଥିତିରେ ପଡି ଜଗନ୍ନାଥ ଦର୍ଶନକୁ ଯାଇ ପୁରୀ ବାଇଶି ପାବଛରେ ବସିଛି, ନନା ଜଣେ କହିଲେ ମାଆ ଜଗନ୍ନାଥଙ୍କ ନାକଚଣା ମାଳ ନେବ? କେତେ ପଇସା କେତେ ସମୟ ଲାଗିବ ବୁଝୁ ବୁଝୁ ନନା ଆଣିଦେଇଥିଲେ ସେଇ ନାକଚଣା ମାଳଟି. ଶୁଖାଇ, ସାଇତି,ଜରି ମଧ୍ୟରେ ଦାଣ୍ଡଦୁଆର ଆଗରେ ଟାଙ୍ଗିବା ପରେ ଅନେକ ସମସ୍ୟାର ସମାଧାନ ଅଚିରେ ହୋଇ ଶାନ୍ତି ଫେରିଥିଲା ଘରକୁ. ତାଙ୍କ କଥା ଶୁଣି ସେଦିନ ଅନେକ ଆଶ୍ୱାସନା ମନରେ ନେଇ ଭବିଷ୍ୟତ ସମ୍ଭାବନା ପାଇ ନିଦ ହୋଇଗଲା ନୀଳିମାଙ୍କୁ ତ ଆଉ ସେଦିନଠୁ ଶୁଣି ନଥିଲେ ପେଚା ବୋବାଳି. ସ୍ୱାମୀ କହୁଥିଲେ ଫ୍ୟାନ ବୁଲିବା ଶବ୍ଦରେ ଆଉ ଶୁଣିବାକୁ ପାଇବନି ପେଚା ରାବ.ବ୍ୟସ୍ତ ହୁଅନା. ସେ ତାର ବୋବାଉଥାଉ. ତୁମେ ଶୁଣିଛ ତେବେ? ହଁ ବୋଲି ମୁଣ୍ଡ ଟୁଙ୍ଗାରୁଥିଲେ ସ୍ୱାମୀ.
ଭଉଣୀ ଖବର ଦେଲା ଅପା ମିଳିଯାଇଛନ୍ତି ନାକଚଣା ମାଳ. ସ୍କୁଲରେ ରଖିବାକୁ ସୁବିଧା ନାହିଁ ତୁ ଆସି ନେଇଯା. ଖୁସିରେ ନୀଳିମା ବସରେ ବସିଲେ. ମନ୍ଦିର ବସରେ. ମାଳ ନେଇ ପୁଣି ସେଇ ବସରେ ଫେରିବାକୁ ଅପେକ୍ଷା କରୁ କରୁ ଖୁବ ଡେରି. ଖରା ମାରୁଛି ଚାଇଁ ଚାଇଁ. ପାଖରେ ପାଣି ନାଇଁ କି ଅଟୋରେ ଚାଲିଯିବା ପାଇଁ ପଇସା ନାହିଁ. ଠିକ ଏତିକି ବେଳେ ଲାଗିଲା ପ୍ରଭୁ ଯାହାର ପାଖରେ, କୋଉ କଥାକୁ ଆଉ ଡର!ସତକୁ ସତ ମନ୍ଦିର ବସ ପହଞ୍ଚିଗଲା ଅଚିରେ . ସିଟ ପାଇ ବସିପଡ଼ି ନୀଳିମା ଭାବୁଥିଲେ ଯାହାର ସ୍ମରଣ ମାତ୍ରେ ବସ ଆସିଗଲା ତାଙ୍କୁ ଘରେ ନେଇ ରଖିବା ପରେ ଆଉ କି ବିପଦ!ଯେତେ ଯିଏ, ମନୁଷ୍ୟ, ପଶୁ, ପକ୍ଷୀ ଗୋଛି କାଟିବାକୁ ଚାହିଁଲେ ମଧ୍ୟ ଆଉ କିଛି କରିପାରିବେନି. ଭାବିକି ନାକଚଣା ମାଳ ଥିବା ପଲିଥିନଟିକୁ ସଜାଡି କୋଳ ଉପରେ ରଖିଲା ବେଳେ ଲାଗିଲା ସତରେ କଣ ପ୍ରଭୁ କୋଟି କୋଟି ଜୀବଙ୍କୁ ଛାଡି ମୋ ସହ ଯାଉଛନ୍ତି ମୋ ଘର ରିଷ୍ଟ କାଟିବାକୁ? ଏମିତି ଭାବି ପଲିଥିନ ଟିକେ ଘୁଞ୍ଚେଇବାକୁ ଯାଇ ଟେକି ପାରିଲେନି ନୀଳିମା. ପାଖ ସ୍ତ୍ରୀ ଲୋକ ଜଣଙ୍କ କହୁଥାନ୍ତି ନିଜ ବ୍ୟାଗ ଓ ପଲିଥିନ ମୋ ଦେହରେ ବାଜୁଛି, ସଜାଡି ରଖନ୍ତୁ . ହଁ ହଁ କହି ସଜାଡି ରଖି ପାରୁନଥିଲେ ନୀଳିମା. କି ଭାରି ସେ ଜରି. ତେବେ କେମିତି ନେବେ ବସଷ୍ଟାଣ୍ଡରୁ ଘରଯାଏଁ ପ୍ରଭୁଙ୍କୁ!ବସ ରହିଲା. ଯାତ୍ରୀମାନେ ଓଲ୍ହେଇଲେ ହେଲେ ଓଲ୍ହେଇ ପାରୁନଥିଲେ ନୀଳିମା. କଣ୍ଡକ୍ଟର ବିରକ୍ତି ଭାବ ପ୍ରକାଶ କରି ପଲିଥିନ ଜରିଟିକୁ ତାଙ୍କଠୁଁ ଧରି ନେଇ କହୁଥିଲା ବୋପାଲୋ କି ଭାରି!କଣ ଅଛି ଏଥିରେ କେଜାଣି. ନୀଳିମା ହାତକୁ ନେଇ କହୁଥିଲେ ବ୍ରହ୍ମାଣ୍ଡ ଠାକୁର ସେଥିରେ. ସେ ହସୁ ହସୁ ନୀଳିମା ଓଲ୍ହେଇ ଚାଲୁଥିଲେ. ଆଉ ଭାରି ନଥିଲା ଜରି କିନ୍ତୁ ମନଦୁଃଖ ଲାଗୁଥିଲା ନୀଳିମାଙ୍କର ଭାବିକି ଯେ ବୋଧେ ପ୍ରଭୁ ରହିଗଲେ ବାଟରେ ବୋଧେ କିନ୍ତୁ ସ୍ୱାମୀ ଯେବେ ଦୁଆର ମୁହଁରୁ ଧରିନେଇ କହୁଥିଲେ ବୋପାଲୋ କି ଭାରି. ଖୁସିରେ ନୀଳିମା ଶିଡ଼ି ଚଢ଼ୁଥିଲେ ଥିରି ଥିରି.
ଦୁଇ ଚାରି ଦିନ ପରେ ଭଉଣୀ ଫୋନ କରିଥିଲା ଓ କହିଥିଲା କୋରାପୁଟ ବଦଳି ହୋଇଯାଇଛି ମୋର ଯେ ଡର ମାଡ଼ୁଛି. ସେଠି ପ୍ରାକୃତିକ ପରିବେଶ ସହିତ ନଦୀ, ଝରଣା, ପ୍ରପାତ ଖୁବ ସୁନ୍ଦର ସତ ହେଲେ ପୋଡୁ ଚାଷ ପାଇଁ ଜଙ୍ଗଲ ପୋଡି ସହ ଧୂଆଁ ଧୂଆଁ ବାତାବରଣ ଭିତରେ ସ୍କୁଲଟି ମଧ୍ୟ ଧୂଆଁଳିଆ ହୋଇ ରହୁଛି. ଆଦିବାସୀ ପିଲାଙ୍କ ଉପସ୍ଥାପନ ଶ୍ରେଣୀରେ ବହୁତ କମ ତ ଉପରିସ୍ଥ ଅଫିସରଙ୍କୁ କୈଫତ ଦେବାକୁ ପଡିବ. ନୀଳିମା କହିଲେ ଧୂଆଁ ଧୂଆଁ ଜଙ୍ଗଲ ଭିତରେ କିନ୍ତୁ ପେଚା ବୋବାଳି ତ ନଥିବ ନା!କାଇଁ ତୁ ଆଉ ଶୁଣୁଛୁକି ସେ ପକ୍ଷୀ ବୋବାଳି?ହଁ ବେଳେ ବେଳେ. କିଛି ଯାଏ ଆସେ ନାହିଁ.ତୋ ସାଙ୍ଗରେ ପରା ଜଗନ୍ନାଥ ଅଛନ୍ତି. ହଁ ସେଇଥିପାଇଁ ତ ନିର୍ଭିକ ଭାବେ ବଞ୍ଚିଛି. ତୁ ବି ସେୟା କର. ପ୍ରଭୁଙ୍କ ନାକଚଣା ମାଳ ସାଙ୍ଗରେ ନେଇକି ଯାଆ. କିଛି ଅସୁବିଧା ରହିବନି. ଭଉଣୀ ହସି ହସି କହିଲା ନାକଚଣା ମାଳ ଭିତରେ ତୁତ ଜଗନ୍ନାଥଙ୍କୁ ନେଇଗଲୁ ନା. ଆରେ ନା ନା ସେ ବାଣ୍ଟିହୋଇ ଭକ୍ତ ପାଇଁ ବିଭାଜ୍ୟ ସବୁବେଳେ. ତୁ ଗୋଟେ କାମ କର ନାକଚଣା ମାଳ ବଦଳରେ କରପଲ୍ଲଵ ବା ହୃଦୟବଲ୍ଲବ ଭିତରେ ତାଙ୍କୁ ସାଙ୍ଗରେ ନେଇଯା. ଏସବୁ ଶୁଣୁଥିବା ସ୍ୱାମୀ କହୁଥିଲେ ସତ କଥା. ଭକ୍ତର ଭଗବାନ ବୋଲି ନାକଚଣା ମାଳ କେତେବେଳେ ହାଳକା ତ କେତେବେଳେ ଭାରି ଲାଗୁଛନ୍ତି ଏଠି ନାକଚଣା ମାଳ .ଏସବୁ ଶୁଣି ନୀଳିମାଙ୍କ ମନରୁ ଭୟ ଅପସରି ଯାଉଥିଲା ଅନେକ ମାତ୍ରାରେ.
ସୁନନ୍ଦା ମହାନ୍ତି , ସାକ୍ଷୀଗୋପାଳ, ପୁରୀ
9040977327


