ଚକାନୟନ ଦର୍ଶନ
ଚାହିଁ ଦେଲେ ବାରେ ଚକାନୟନକୁ
ପାପ ତାପ ଦିଏ ଧୋଇ,
ଏ ଭଳି ଠାକୁର ସାରା ଜଗତରେ
ଖୋଜି ଖୋଜିପାଏ ନାହିଁ ।
ରାମେଶ୍ଵର ଗଲି ଦ୍ଵାରକାକୁ ଗଲି
ଗଲି ବଦ୍ରିନାଥ ଧାମ,
ଚକାନୟନକୁ କାହିଁ ନ ପାଇଲି
ଫେରିଲି ଶ୍ରୀକ୍ଷେତ୍ରଧାମ ।
ଶ୍ରୀକ୍ଷେତ୍ର ଧାମରେ ଶ୍ରୀପୁରୁଷୋତ୍ତମ
ଶ୍ରୀନୀଳଶଇଳେ ବିଜେ,
ମହୋଦଧି ତୀରେ ଶ୍ରୀନୀଳକନ୍ଦରେ
କିଏ କେତେ ଭାବେ ଭଜେ ।
ଦରଶନ କରେ ଚକାନୟନରେ
ବିଶ୍ଵବ୍ରହ୍ମାଣ୍ଡ ସ୍ଵରୂପ,
ଯେତେ ଅବତାର ତାଙ୍କ ଖେଳଘର
ସେ ଅବତାରୀ ସ୍ଵରୂପ ।
ଚାହିଁ ଚାହିଁ ସର୍ବେ ଦାରୁବ୍ରହ୍ମ ଦେହେ
ଅନ୍ତେ ଗଲେ ଲୀନ ହୋଇ,
ଭାବେ ଶ୍ରୀଚୈତନ୍ୟ ଶ୍ରୀକ୍ଷେତ୍ରେ ଭ୍ରମିଲେ
ଖୋଜୁଛୁ ମିଳନ୍ତି ନାହିଁ ।

ଗଦାଧର ସାହୁ
ବ୍ରହ୍ମଗିରି,ପୁରୀ


