ସୁନାମଧନ୍ୟ ଡାକ୍ତର ଅନ୍ତର୍ଯ୍ୟାମୀ ମହାରଣାଙ୍କ ଦେହାନ୍ତ

ବୁଗୁଡା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ସୁନାମଧନ୍ୟ ବିଶିଷ୍ଟ ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅନ୍ତର୍ଯ୍ୟାମୀ ମହାରଣାଙ୍କ ୬୬ ବର୍ଷ ବୟସରେ ଭୁବନେଶ୍ୱର ଏମ୍ସ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୨୮-୩-୨୬ ତାରିଖ ଦିନ ଦିବା ପ୍ରାୟ ୧୨ ଘଣ୍ଟା ସମୟରେ ଦେହାନ୍ତ ହୋଇଯାଇଛି। ସ୍ବର୍ଗତ ଡାକ୍ତର ଶ୍ରୀ ମହାରଣା ଚିଲିକା ନେଭାଲ ସେଣ୍ଟରର ବିପରୀତ ଦିଗରେ ଜାତୀୟ ରାଜପଥ କଡରେ ଆଭା ହସପିଟାଲ ସ୍ଥାପନ କରି ଚିକିତ୍ସା କରୁଥିଲେ। ବହିଃ ବିଭାଗ ଚିକିତ୍ସା ପାଇଁ ମାତ୍ର ୨୦ ଟଙ୍କା ଫିସ ନେଇ ରୋଗୀଙ୍କୁ ସେବା ଯୋଗାଇ ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଥିଲେ। ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଭାବେ ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରେ ସ୍ବର୍ଗତ ଡାକ୍ତର ଅନ୍ତର୍ଯ୍ୟାମୀ ମହାରଣା ଖୁବ ସୁନାମ ଅର୍ଜନ କରିଥିଲେ। ଏମ୍ସ ହସପିଟାଲରେ ତାଙ୍କ ମରଶରୀର ନିକଟରେ ଧର୍ମପତ୍ନୀ ଝରଣା ମହାରଣା, ସମାଜସେବୀ ଅକ୍ଷୟ କୁମାର ରାଉତ ଓ ଆଭା ହସପିଟାଲର ଦୁଇ ମ୍ୟାନେଜର ଥିବାବେଳେ ଖବର ପାଇ ତାଙ୍କର ଦୁଇ ସରକାରୀ ଡାକ୍ତର ପୁଅ, ଝିଅ ଆଭା ଓ ଜୋଇଁ, ବଡଭାଇ ପୂର୍ଣ୍ଣଚନ୍ଦ୍ର, ଦୁଇ ସାନଭାଇ କିଶୋର ଓ ଅଶୋକ ଏବଂ ଅନ୍ୟାନ୍ୟ ପରିବାର ବର୍ଗ ପହଞ୍ଚିଥିଲେ। ଏମ୍ସ ରୁ ସ୍ୱର୍ଗତ ଡାକ୍ତରଙ୍କ ମରଶରୀରକୁ ପ୍ରଥମେ ଆଭା ହସପିଟାଲକୁ ଅଣାଯାଇଥିଲା। ସେଠାରେ ହସପିଟାଲର କର୍ମଚାରୀ ବୃନ୍ଦ ଶେଷ ଦର୍ଶନ କରବା ସହ ସମ୍ମାନ ଜଣାଇଥିଲେ। ଏହାପରେ ତାଙ୍କ ମରଶରୀର ନିଜର ପୈତୃକ ଗ୍ରାମ ମାଣିତରାକୁ ଅଣାଯାଇଥିଲା। ହଜାର ହଜାର ଜନସାଧାରଣଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିବା ସହ ସମ୍ମାନ ଜଣାଇଥିଲେ। ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ପରେ ତାଙ୍କ ବଂଶର ଶ୍ମଶାନକୁ ନିଆଯାଇଥିଲା। ବଡ଼ପୁଅ ମୁଖାଗ୍ନି ଦେବାପରେ ଡାକ୍ତର ଶ୍ରୀ ମହାରଣାଙ୍କ ମରଶରୀର ପଞ୍ଚଭୂତରେ ଲୀନ ହୋଇଥିଲା। ଶ୍ମଶାନ ଭୂମିରେ ମଧ୍ୟ ଶହ ଶହ ବ୍ୟକ୍ତି ଉପସ୍ଥିତ ରହି ସମ୍ମାନ ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ