ଇ-ସାର୍ଟିଫିକେଟ୍ ଓ ମୋବାଇଲ ପାଉତି ଆପର ଶୁଭାରମ୍ଭ

ଭୁବନେଶ୍ୱର: ଏଣିକି ଲୋକମାନେ ଘରେ ବସି ମୋବାଇଲ ଆପ ଜରିଆରେ ଜମିଜମାର ଖଜଣା ପ୍ରଦାନ କରି ପାଉତି ପାଇପାରିବେ । ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମ ଜରିଆରେ ପ୍ରଶାସନର ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ଏଭଳି ଏକ ଅଭିନବ ପ୍ରୟାସ କରାଯାଇଛି। ସାରା ଦେଶରେ ଏହା କାର୍ଯ୍ୟକାରୀ କରିବାରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ । ରାଜସ୍ୱ ସେବା କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଶନିବାର ଲୋକସେବା ଭବନରେ ମୋବାଇଲ ପାଉତି ଆପ ଓ ଇ-ସାର୍ଟିଫିକେଟ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ ଭିଡିଓ କନ୍ଫରେନ୍ସିଂ ଜରିଆରେ କରିଛନ୍ତି । ରାଜସ୍ୱ ପ୍ରଶାସନକୁ ପ୍ରକୃତ ଭାବେ ଲୋକାଭିମୁଖୀ କରିବା ପାଇଁ ବାସସ୍ଥାନ, ଆୟ ତଥା ଅନ୍ୟାନ୍ୟ ସାର୍ଟିଫିକେଟ ସବୁ ହିତାଧିକାରୀଙ୍କ ସ୍ୱ ଘୋଷିତ ତଥ୍ୟ ଉପରେ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଏହି ସବୁ ସାର୍ଟିଫିକେଟ ଗୁଡ଼ିକ ହିତାଧିକାରୀମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ସବୁ ସାର୍ଟିଫିକେଟଗୁଡ଼ିକ ପାଇବା ଲୋକମାନଙ୍କର ଅଧିକାର । ତେଣୁ ଏହି ସବୁ ସାର୍ଟିଫିକେଟଗୁଡ଼ିକ ପାଇବା ପାଇଁ ହିତାଧିକାରୀଙ୍କୁ କୌଣସି ଦେୟ ପ୍ରଦାନ କରିବାକୁ ପଡ଼ିବ ନାହିଁ । ଏହା ସହିତ ସଲଭେନ୍ସି ସାର୍ଟିଫିକେଟ ବ୍ୟବସ୍ଥାର ମଧ୍ୟ ଉଚ୍ଛେଦ କରାଗଲା । ଆଗାମୀ ଦିନରେ ଆହୁରି ଅନେକ ସାର୍ଟିଫିକେଟ ସୁବିଧା ଏହି କାର୍ଯ୍ୟକ୍ରମରେ ସାମିଲ ହେବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସେହିପରି ସରକାର କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ଏବଂ ପ୍ରାପ୍ୟ ପାଇବା ପାଇଁ ଉତ୍ତରାଧିକାରୀ ସାର୍ଟିଫିକେଟ ର ଆବଶ୍ୟକତା ଏଣିକି ରହିବ ନାହିଁ । କର୍ମଚାରୀଙ୍କ ସର୍ଭିସ ବୁକ୍‌ର ଏଣ୍ଟ୍ରି ଅନୁଯାୟୀ ସେମାନଙ୍କର ଉତ୍ତରାଧିକାରୀ ମାନେ ସବୁପ୍ରକାର ସୁବିଧା ପାଇପାରିବେ । ବୈଠକରେ ଏହି ମୋବାଇଲ ଆପ ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲୋକଙ୍କ ଦୈନନ୍ଦିନ ଜୀବନରେ ଅଧିକ ସହଜତା ଆଣିବା ପାଇଁ ସବୁ ସରକାରୀ ସେବା ଗୁଡ଼ିକୁ ଲୋକଙ୍କ ନିକଟକୁ ନେବା ପାଇଁ ଉଦ୍ୟମ ଜାରି ରହିଛି । ଏହି ସବୁ ପଦକ୍ଷେପ ଲୋକଙ୍କ ସାଧାରଣ ଜୀବନରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ।
ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଥିଲେ ଯେ ଏହି ପଦକ୍ଷେପ ଦ୍ୱାରା ରାଜସ୍ୱ ପ୍ରଶାସନ ଅଧିକ ଲୋକାଭିମୁଖୀ ହୋଇପାରିବ । ମୁଖ୍ୟ ଶାସନ ସଚିବ ଅସିତ ତି୍ରପାଠୀ କହିଥିଲେ ଯେ ୫-ଟି କାର୍ଯ୍ୟକ୍ରମ ଲୋକଙ୍କ ଦୈନନ୍ଦିନ ଚଳଣୀରେ ବହୁତ ସୁବିଧା ଆଣିପାରିଛି ଏବଂ ଦେଶରେ ଏଭଳି ସୁବିଧା ବର୍ତ୍ତମାନ ସୁଦ୍ଧା ଅନ୍ୟ କୌଣସି ରାଜ୍ୟରେ ଉପଲବ୍ଧ ହୋଇନାହିଁ ।
ମାତ୍ର ୪ ମାସ ମଧ୍ୟରେ ଏହି ଉଦ୍ୟମର କଳ୍ପନା କରାଯିବା ସହିତ କାର୍ଯ୍ୟକାରୀ ହୋଇପାରିଥିବାରୁ ୫-ଟି ସଚିବ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗକୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ଭବିଷ୍ୟତରେ ବିବାହ ପ୍ରମାଣ ପତ୍ର ସମେତ ଅନ୍ୟାନ୍ୟ ସୁବିଧା କିପରି ଲୋକମାନେ ସହଜରେ ପାଇପାରିବେ, ସେ ସମ୍ପର୍କରେ ମତାମତ ଜଣାଇବା ପାଇଁ ଜିଲ୍ଲାପାଳ ଓ କର୍ମଚାରୀମାନଙ୍କ ପରାମର୍ଶ ଆହ୍ୱାନ କରିଥିଲେ । ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଉପଦେଷ୍ଟା, ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ, ୫-ଟି ସଚିବ, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ