ସରକାରୀ ଉପ୍ରା ବିଦ୍ୟ।।ଳୟରେ ପ୍ରବେଶ ଉତ୍ସବ
ବନ୍ତ,(ଚାନ୍ଦିନୀ ମହାନ୍ତି) : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଶନିବାର ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡି ଛୁଆଁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆପ୍ତୀରା ସରକାରୀ ଉପ୍ରା ବିଦ୍ୟାଳୟରେ ଏହି ଉତ୍ସବ ପାଳିତ ହୋଇଥିଲା । ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ପ୍ରଥମ କରି ଆସିଥିବା ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଓ ସ୍ୱାଗତ କରିବା ପାଇଁ ବିଦ୍ୟାଳୟ ଫାଟକ ପାଖରୁ ବିଭିନ୍ନ ରଙ୍ଗର ମୁରୁଜ, ଝୋଟି ପକାଯିବା ସହ ବେଲୁନରେ ସାଜସଜ୍ଜା କରାଯାଇ ପାରମ୍ପରିକ କଳସ ବସାଯାଇଥିଲା । ନୂତନ ଭାବେ ନାମ ଲେଖାଇବାକୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କୁ ଫୁଲ, ଚନ୍ଦନ, ତିଳକ ଦେଇ ସ୍ୱାଗତ କରାଯାଇଥିଲା । ସେମାନଙ୍କୁ ଖଡି ଛୁଆଁ କରାଯିବା ପରେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ରଙ୍ଗ ବେରଙ୍ଗର ଛବି ଥିବା ବହି ପ୍ରଦାନ କରାଯାଇଥିଲା । ପରେ ସଙ୍ଗୀତ ନୃତ୍ୟ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ମନୋରଞ୍ଜନ କରାଯାଇଥିଲା । ପ୍ରଧାନ ଶିକ୍ଷକ କୁଳମଣି ନାଏକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷକ ଗୋପୀନାଥ ଦାଶ, ଗୌରାଙ୍ଗ ବିଶ୍ୱାଳ, ପ୍ରଭାତ କୁମାର ନାୟକ, ରତ୍ନାକର ଖିଲାର, ଶିକ୍ଷୟିତ୍ରୀ ଅନୁଜା ପଣ୍ଡା, ଜାନକୀବାଳା ଜେନା, ବିଦ୍ୟାଳୟ ପରିଚାଳନା କମିଟିର ଉପ ସଭାନେତ୍ରୀ ଶର୍ମିଳା ବେହେରା, ସଭ୍ୟା ପୁଷ୍ପଲତା ରାଉତ, ୱାର୍ଡ ସଭ୍ୟା ରଞ୍ଜିତା ଜେନା, ଅଙ୍ଗନୱାଡି କର୍ମୀ ତୁଳସୀ ପେଡା, ସହାୟିକା ରଶ୍ମିତା ଜେନା, ଆଶା କର୍ମୀ ପ୍ରତିଭା ମହୁରୀ ପ୍ରମୁଖ ସହଯୋଗ କରିଥିଲେ ।


