ରାସ୍ତା ପ୍ରଶସ୍ତୀକରଣ ନାଁରେ ନୀଳଗିରି ଗଛ କାଟିବା ଘଟଣା : ଫରେଷ୍ଟର ନିଲମ୍ବିତ

ନବରଙ୍ଗପୁର,(ୱାଇଏନଏସ): ରାସ୍ତା ପ୍ରଶସ୍ତୀକରଣ ନାଁରେ ନୀଳଗିରି ଗଛ କାଟିବା ଘଟଣାରେ ତତ୍କାଳୀନ ଝରିଗାଁ ରେଞ୍ଜ ମୋହରା ସେକ୍ସନ ଫରେଷ୍ଟର ତଥା ବର୍ତ୍ତମାନ ର ଡାବୁଗାଁ ରେଞ୍ଜ ମୈଦଲପୁର ସେକ୍ସନ ଫରେଷ୍ଟର ବିପିନକୁମାର ହରିଜନ ଙ୍କ ବିରୋଧରେ ବିଭାଗ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଡିଏଫଓ ଉଦୟନ ସୁବୁଦ୍ଧି ଫରେଷ୍ଟର ବିପିନକୁମାର ହରିଜନଙ୍କୁ ଚାକରିରୁ ନିଳମ୍ବିତ କରିଛନ୍ତି।ନିଲମ୍ବିତ ଫରେଷ୍ଟରଙ୍କୁ ଡିଏଫଓ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଛି। ବିନା ଅନୁମତିରେ ଜିଲ୍ଲା ସଦର ମହକୁମା ଛାଡି ସେ ଯାଇ ପାରିବେନି ବୋଲି ନିର୍ଦ୍ଦେଶରେ ଉଲ୍ଲେଖ ରହିଛି। ଝରିଗାଁ ରେଞ୍ଜ ଅଞ୍ଚଳର ଦେଓବନ୍ଧ ଠାରୁ ଜାମାପଦର ରାସ୍ତାପାର୍ଶ୍ଵର ପ୍ରଶସ୍ତିକରଣ ଚାଲିଥିବା ବେଳେ ଉଚ୍ଚପଦସ୍ଥ ଅଧିକାରୀଙ୍କ ବିନା ଅନୁମତିରେ ଫରେଷ୍ଟର ହରିଜନ ୨୦ଟି ନୀଳଗିରି ଗଛ କାଟି ବେପାରୀଙ୍କ ହାତକୁ ଟେକି ଦେଇଥିଲେ। ବ୍ୟାପକ ଅର୍ଥ କାରବାର ହୋଇଥିଲା। ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ନାଁରେ ଫରେଷ୍ଟର ବାବୁ ଟଙ୍କା ଆଦାୟ କରିଥିବା ତଦନ୍ତ ବେଳେ ଜଣାପଡିଥିଲା।ଅନ୍ୟପକ୍ଷରେ ସଂପୃକ୍ତ ଅଞ୍ଚଳରେ ରାସ୍ତା ପ୍ରଶସ୍ତିକରଣ ପାଇଁ କୌଣସି ବିଭାଗ ପକ୍ଷରୁ ବନବିଭାଗକୁ ଅନୁମତି ମଗାଯାଇ ନଥିଲା। ନିଜ ଇଚ୍ଛାରେ ରାସ୍ତା ପ୍ରଶସ୍ତିକରଣ ନାଁରେ ଲୋକେ ଲଗାଇଥିବା ୨୦ଟି ନୀଳଗିରି ଗଛକୁ ଫରେଷ୍ଟର ପଦା କରିଦେଇଥିଲେ। ଅଭିଯୋଗକୁ ଡିଏଫଓ ସୁବୁଦ୍ଧି ଗୁରୁତ୍ବ ସହିତ ନେଇଥିଲେ। ତଦନ୍ତ ପରେ ଫରେଷ୍ଟରଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିଥିଲେ।ଫରେଷ୍ଟର ସନ୍ତୋଷଜନକ ଉତ୍ତର ଦେଇପାରି ନଥିବାରୁ ଶେଷରେ ତାଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ