ଆସିକାରେ ଶିକ୍ଷାବିଭାଗ ପକ୍ଷରୁ ବିଦ୍ୟାଳୟ ପ୍ରବେଶ ଉତ୍ସବ
ଆସିକା (ୱାଇଏନ୍ଏସ୍): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ବିଦ୍ୟାଳୟ ଶିକ୍ଷ କାର୍ଯ୍ୟକ୍ରମ ପ୍ରାଧିକରଣର ପରାମର୍ଶକ୍ରମେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ କେନ୍ଦୁପଦର, ନିମିନା, ବାଲିସିରା, ଗଙ୍ଗାପୁର, କେ.ନୁଆଁପଲ୍ଲୀ, ଆସିକା ଏନ୍ଏସି, କାଳଷଣ୍ଢପୁର, ହରିଡାପଦର, ଖାରିଆ, ନଳବଣ୍ଟା, ବଡଖୋଲି, ବାବନପୁର, ଭେଟନଇ କ୍ଳଷ୍ଟର ଅଧୀନସ୍ଥ ୧୩୫ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଗୁଡିକରେ ଶନିବାର ବିଦ୍ୟାଳୟ ପ୍ରବେଶ ଉତ୍ସବ, ଖଡିଛୁଆଁ ଦିବସ, ବାଲ୍ବାଟିକା ଓ ପ୍ରଥମ ଶ୍ରେଣୀରେ ନାମଲେଖା ଉତ୍ସବ ପାଳିତ ହୋଇଯାଇଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ପିଏମ୍ଶ୍ରୀ ହରିହର ହାଇସ୍କୁଲ ପରିସରରେ ଅନୁଷ୍ଠିତ ପ୍ରବେଶ ଉତ୍ସବ ଓ ଖଡିଛୁଆଁ-୨୦୨୬ ଶିଶୁବାଟିକାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ରମାକାନ୍ତ ମହାନ୍ତି ଅଧ୍ୟକ୍ଷତା କରିଥିଲା ବେଳେ ଅତିଥି ରୂପେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା ଓ ଭଂଜ ବେହେରା ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ପ୍ରବେଶ ଉତ୍ସବ, ବାଲ୍ବାଟିକା ଓ ପ୍ରଥମ ଶ୍ରେଣୀର ନାମଲେଖା କାର୍ଯ୍ୟକ୍ରମ ପାଳନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ଛାତ୍ରଛାତ୍ରୀମାନେ ନିଜ ନିଜର ଉଜ୍ଜଳ ଭବିଷ୍ୟତ ଗଠନ ପାଇଁ ଭଲ ପାଠ ପଢିବାକୁ ଆହ୍ୱାନ କରିଥିଲେ । ଆସିକା ଗୋଷ୍ଠୀ ଶିକ୍ଷାଧିକାରିଣୀ ମୁନ୍ରାଣୀ ମହାନ୍ତିଙ୍କ ପରାମର୍ଶକ୍ରମେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା, ଭଂଜ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଶନିବାର ଅନୁଷ୍ଠିତ ହୋଇଥିବା ବିଦ୍ୟାଳୟ ପ୍ରବେଶ ଉତ୍ସବ, ଖଡିଛୁଆଁ ଦିବସ, ପ୍ରଥମ ଶ୍ରେଣୀ ଓ ବାଲ୍ବାଟିକାରେ ନାମଲେଖା କାର୍ଯ୍ୟକ୍ରମ ପାଳନ ଅବସରରେ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କୁ ଚନ୍ଦନ ତିଳକ ପ୍ରଦାନ ସାଙ୍ଗକୁ ବନ୍ଦାପନା ପୂର୍ବକ କିଟ୍ ପ୍ରଦାନ କରି ସ୍ୱାଗତ କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ପିଏମ୍ଶ୍ରୀ ହରିହର ହାଇସ୍କୁଲର ପ୍ରଧାନଶିକ୍ଷକ ରମାକାନ୍ତ ମହାନ୍ତି, ସହକାରୀ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡା, ପ୍ରଶାନ୍ତ କୁମାର ନାୟକ, ଅଜିତ୍ କୁମାର ରଣା, ନର୍ମଦା ସ୍ୱାଇଁ, ଦେବେନ୍ ନାୟକ, ଗାୟତ୍ରୀ ପାତ୍ର, ଜୁଲି ରଥ, ରଂଜିତ୍ ପ୍ରଧାନଙ୍କ ସମେତ ଶିକ୍ଷାବିଭାଗର ବହୁ ପଦାଧିକାରୀ ଏହି କାର୍ଯ୍ୟକ୍ରମକୁ ସୁପରିଚାଳନାରେ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ପ୍ରବେଶ ଉତ୍ସବ ଓ ଖଡିଛୁଆଁ ୨୦୨୬ ଶିଶୁବାଟିକାର ଶୁଭାରମ୍ଭ ଅବସରରେ ନୂଆଁ କରି ବିଦ୍ୟାଳୟକୁ ଆସିଥିବା କୁନିକୁନି ପିଲାଙ୍କ ମଧ୍ୟରେ ପାଠପଢା ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ସେମାନଙ୍କୁ ପୁଷ୍ପଚନ୍ଦନ ଦେଇ ସ୍ୱାଗତ କରାଯିବା ସହ ଚକ୍ଲେଟ୍ ବଣ୍ଟନ କରି ଉତ୍ସାହିତ କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା । ନବାଗତ ଛାତ୍ରଛାତ୍ରୀମାନେ ଶୁଦ୍ଧ ବସ୍ତ୍ର ପରିଧାନ କରି ବିଦ୍ୟାଳୟକୁ ଆସିଥିଲା ବେଳେ ବିଭିନ୍ନ ବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କୁ ପୁଷ୍ପଚନ୍ଦନ ଅର୍ପଣ ପୂର୍ବକ ବନ୍ଦାପନା କରି ବିଦ୍ୟାଳୟକୁ ସ୍ୱାଗତ କରିଥିବା ଦେଖିବାକୁ ମିଳିଥିଲା ।


