ଚୌଦ୍ବାର ଜେଲ୍ରେ କଡ଼ା ସୁରକ୍ଷାରେ ରାଜା ସାହାଣୀ
କଟକ, (ଓ୍ବାଇଏନଏସ): କୁଖ୍ୟାତ ଆନ୍ତଃରାଜ୍ୟ କଏଦୀ ରାଜା ସାହାଣୀ ଗିରଫ ହେବା ପରେ କେମିତି ରାଜାକୁ ପୁଲିସ କାବୁ କରିଥିଲା, ତାହାର ସୂଚନା ମିଳିଛି । ରାଜା ତାର ଗର୍ଲଫ୍ରେଣ୍ଡ ସହ ଋଷିକେଶରେ ଥିବା ପୁଲିସ ଜାଣିବା ପରେ ସେଠାରେ ଡେରା ପକାଇଥିଲା । ରାଜା ତାର ଗାର୍ଲଫ୍ରେଣ୍ଡ ସହ କାରରେ ଆସି ଷ୍ଟେସନରେ ଛିଡ଼ା ହୋଇଥିବାବେଳେ ପ୍ରଥମେ ଠାବ କରିଥିଲା ସ୍ପେଶାଲ ୨୬ ଟିମ୍ ଏବଂ ତାର ପ୍ରଥମ ଫୋଟୋ ଉଠାଇଥିଲେ । ଋଷିକେଶରେ ଥିବା ଏହି ବ୍ୟକ୍ତି ରାଜା ବୋଲି ସ୍ପଷ୍ଟ ହେବା ପରେ ତାକୁ ଧରିବାକୁ ପ୍ରସ୍ତୁତ ଚକ୍ରବ୍ୟୁହ ରଚନା କରାଯାଇଥିଲା । ଆଉ ତା ପରେ ପୁଲିସ କବଜାକୁ ଆସିଥିଲା ରାଜା । ଆଉ ଏବେ ରାଜା ସାହାଣୀ ଙ୍କୁ କଡା ସୁରକ୍ଷା ଭିତରେ ଚୌଦ୍ଵାର ଜେଲରେ ରଖା ଯାଇଛି । ଫେରାର କଏଦୀ ପାଇଁ ଯାହା ଯାହା ନିୟମ ରହିଛି ସେହି ଆଧାରରେ ଜେଲ କର୍ତ୍ତୃପକ୍ଷ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି । କମିସନରେଟ ପୁଲିସ ରାଜାକୁ ସାତ ଦିନ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରିବ । କୋର୍ଟ ଯାହା ନିଷ୍ପତ୍ତି ନେବେ ସେହି ଅନୁଯାୟୀ ପୋଲିସ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ । ରାଜା ନାଁ ରେ ଥିବା ଅନ୍ୟାନ୍ୟ ମାମଲାରେ ମଧ୍ୟ ଅନ୍ୟ ରାଜ୍ୟର ପୁଲିସ ରିମାଣ୍ଡ ପାଇଁ ଆବେଦନ କରି ପାରନ୍ତି । ଆବଶ୍ୟକ ପଡ଼ିବେ ରାଜା ସାହାଣୀ ଏବଂ ମଧୁକାନ୍ତ କୁମାର ରାଣାକୁ ସାମ୍ନାସାମ୍ନି ବସାଇ ଜେରା କରିବ କମିସନରେଟ୍ ପୁଲିସ ।


