ଆଧୁନିକ ଯୁଗରେ ଅଲୋଡା ହେବାକୁ ବସିଛି ସୁରକ୍ଷିତ ଯାନ ରିକ୍ସା

ଆସିକା  (ୱାଇଏନ୍‍ଏସ୍‍): ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ରିକ୍ସାର ପରମ୍ପରା ବହୁ ପ୍ରାଚୀନ ଥିଲା ବେଳେ ଅତୀତରେ ଏହି ସୁରକ୍ଷିତ ରିକ୍ସାରେ ବୁଲିବା ଅଧିକାଂଶ ଲୋକଙ୍କ ପାଇଁ ଏକ ପ୍ରକାର ସୌକ ଥିଲା । ଦିନେ ଏହି ରିକ୍ସାରେ ପିଲାଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ନିଜ ନିଜର ଗନ୍ତବ୍ୟସ୍ଥଳକୁ ସୁରକ୍ଷିତ ଭାବେ ଯାଉଥିଲେ । ଘରୁ ବାହାରିବା ମାତ୍ରେ ଆବଶ୍ୟକତା ସମୟରେ ଜନସାଧାରଣ ରିକ୍ସାକୁ ଖୋଜୁଥିଲେ । ତେବେ ଆଧୁନିକ ଯୁଗରେ ସାଂପ୍ରତିକ ପରିସ୍ଥିତିରେ ଏହି ତିନିଚକିଆ ଯାନ ରିକ୍ସା ଅଲୋଡା ହେବାକୁ ବସିଥିବା ବେଳେ ଏହାର ଯୁଗ ସରିବାକୁ ବସିଲାଣି ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି । ଆସିକା ଅଞ୍ଚଳରେ ତୈଳ ଓ ଇ-ବ୍ୟାଟେରୀ ଚାଳିତ ଅଟୋର ପ୍ରାବଲ୍ୟ ବଢିବା କାରଣରୁ କେତେକ ରିକ୍ସାଚାଳକଙ୍କ ବେପାର ବାଧାପ୍ରାପ୍ତ ହେବାରେ ଲାଗିଛି । ବିଗତ କିଛି ବର୍ଷ ମଧ୍ୟରେ ପରିବାର ପ୍ରତିପୋଷଣ ପାଇଁ ବହୁ ରିକ୍ସାଚାଳକ ରୋଜଗାର ହରାଇ ଅନ୍ୟ ପନ୍ଥା ବାଛିସାରିଲେଣି । ଏସବୁ ଭିତରେ ବି କେତେକ ରିକ୍ସାବାଲା ସଂଗ୍ରାମ ଜାରିରଖି ଖରା ବର୍ଷା ଶୀତକାକରୁ ତିଳେମାତ୍ର ଖାତିର୍‍ ନକରି ରିକ୍ସାଟାଣି ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖିଥିବା ଦେଖିବାକୁ ମିଳୁଛି । ଅତୀତରେ ଦିନତମାମ ରିକ୍ସା ଚଳାଇଲେ ଗୋଟିଏ ରିକ୍ସାବାଲା ପ୍ରାୟ ୫ ଶହରୁ ୬ ଶହ ଟଙ୍କା ରୋଜଗାର କରୁଥିଲା ବେଳେ ସାଂପ୍ରତିକ ପରିସ୍ଥିତିରେ ଶହେ ଟଙ୍କା ରୋଜଗାର କରିବା ମଧ୍ୟ କଷ୍ଟକର ହୋଇପଡିଛି । ଆଧୁନିକତାର ଛାପରେ ନିମିଷକ ମଧ୍ୟରେ ଯାତ୍ରୀବାହୀ ଓ ବ୍ୟାଟେରୀ ଚାଳିତ ଅଟୋରେ ସାଧାରଣ ଜନତା ନିଜ ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରୁଥିବା ଯୋଗୁଁ ରିକ୍ସା ଚଳାଇ ପରିବାର ପ୍ରତିପୋଷଣ କରୁଥିବା ବ୍ୟକ୍ତିବିଶେଷଙ୍କ ବେପାର ବୁଡିବାରେ ଲାଗିଛି । ଅଟୋ ଓ କାର୍‍ ଯୁଗରେ ରିକ୍ସାଟିଏ ରାସ୍ତାରେ ଗଡିବା ଦେଖିଲେ ସତେ ଯେମିତି ଲାଗେ ମାଗୁଣିର ଶଗଡ ଚାଲୁଛି । ଏ ରିକ୍ସା…., ଯିବୁ…. ସମ୍ଭବତଃ ଆଉ କିଛି ବର୍ଷ ପରେ ଶୁଭିବନି ଏ ଶବ୍ଦସମୂହ । ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରୁ ସରିବାକୁ ବସିଛି ରିକ୍ସାର ଯୁଗ । ଆଉ କେତେ ବର୍ଷ ପରେ ହୁଏତ ଇତିହାସ ପାଲଟିଯିବ ରିକ୍ସା । ପରବର୍ତ୍ତୀ ଯୁବପିଢୀ କେବଳ ପାଠ୍ୟପୁସ୍ତକରେ ରିକ୍ସା ବିଷୟରେ ଜ୍ଞାନ ଆହରଣ କରିବେ ବୋଲି ଚର୍ଚ୍ଚା ହେଉଛି । ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ମାଳ ମାଳ ଯାତ୍ରୀବାହୀ ଅଟୋ ଓ ଇ-ଅଟୋର ଭିଡ ଭିତରେ ଭଡାଟେ ପାଇବାକୁ ସଂଘର୍ଷ କରୁଛନ୍ତି ବହୁ ରିକ୍ସାବାଲା । ରାତିପାଇବା ମାତ୍ରେ ନିତ୍ୟକର୍ମ ସାରି ଆସିକା ଏନ୍‍ଏସି ଅଧୀନସ୍ଥ ୧୩ ନମ୍ବର ୱାର୍ଡର କାଳୀମୁଖା ସାହିର ୪୦ ବର୍ଷ ବୟସ୍କ ରିକ୍ସାବାଲା ଦିବାକର ବେହେରା ପରିବାର ପ୍ରତିପୋଷଣ କରିବା ପାଇଁ ଖରା ବର୍ଷ ଶୀତକାକରକୁ ତିଳେମାତ୍ର ଖାତିରି ନକରିି ଝାଳ, ନାଳ, ଲୁହ ସବୁ ଏକାଠି କରି ରିକ୍ସା ଚଳାଇବାକୁ ବାହାରି ପଡୁଥିବା ଦେଖିବାକୁ ମିଳୁଛି । ରିକ୍ସାର ପେଡେଲ୍‍ ମାରି ମାରି ତାଙ୍କର ଗୋଡ ଅତି ଟାଣ ହୋଇଯାଇଥିଲେ ବି ଦିନକୁ ଦିନ ବୟସ ସରିଆସୁଥିବାରୁ ସେ ଏମିତି ଦୁଃଖକଷ୍ଟରେ ରିକ୍ସା ଚଳାଇ ସେଥିରୁ ମିଳୁଥିବା ଅର୍ଥରେ ପରିବାର ପ୍ରତିପୋଷଣ କରିବେ ସିନା ମୁଲ ଖଟିବାକୁ ଯିବେନି ବୋଲି ଅତ୍ୟନ୍ତ କ୍ଷୋଭର ସହ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି ରିକ୍ସାଚାଳକ ଦିବାକର ବେହେରା । ଆସିକା ଅଞ୍ଚଳରେ ରିକ୍ସା ଚଳାଉଥିବା ସମୟରେ ଦର ମାଗିବା ବେଳେ ବହୁ ବ୍ୟକ୍ତି ଯେଉଁ ଭଳି ଭାବେ କେତେକ ସମୟରେ ମୁଲାମୁଲି କରିଥାନ୍ତି ତାହା ମୋତେ ବେଶୀ କଷ୍ଟ ଓ ଯନ୍ତ୍ରଣା ଦେଉଛି ବୋଲି ରିକ୍ସାଚାଳକ ଦିବାକର ବେହେରା ପ୍ରକାଶ କରି କହିଛନ୍ତି ସରକାର ଯଦି ରିକ୍ସା ଚାଳକଙ୍କ ପାଇଁ କୌଣସି ଆର୍ଥିକ ସହାୟତା ରାଶି ନ ଦିଅନ୍ତି ତେବେ ଆଗାମୀ କିଛି ବର୍ଷ ପରେ ଏହି ରିକ୍ସା ଲୋପ ପାଇବା ସହ ଇତିହାସ ପାଲଟି ଯିବ ବୋଲି ସମ୍ଭାବନାକୁ ଏଡାଇ ହେବ ନାହିଁ । ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଅତୀତରେ ପ୍ରାୟ ୫ ଶହରୁ ଉର୍ଦ୍ଧ୍ୱ ରିକ୍ସା ସାହିବସ୍ତିରେ ସୁରୁଜ ଉଇଁବା ଠାରୁ ଆରମ୍ଭ କରି ସଂଜ ପର୍ଯ୍ୟନ୍ତ ଚଳାଚଳ କରୁଥିଲା ବେଳେ ଏବେ କିନ୍ତୁ ରିକ୍ସା ସଂଖ୍ୟା ବହୁମାତ୍ରାରେ କମିଯାଇଛି । ବଦଳୁଛି ସମୟ, ବଦଳୁଛି ମଣିଷର ଆବଶ୍ୟକତା । ଦିନେ ନିହାତି ଆବଶ୍ୟକ ଥିବା ରିକ୍ସା ଆଜି ସଂପୁର୍ଣ୍ଣ ଅଲୋଡା ହେବାକୁ ବସିଛି ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ