ଭିଜିଲାନ୍ସ ଜାଲରେ ବନ ରେଞ୍ଜ୍ ଅଧିକାରୀ
କଟକ, (ଓ୍ବାଇଏନଏସ) : ଭିଜିଲାନ୍ସ ଜାଲରେ ରାୟଗଡା ଜିଲ୍ଲା ଗୁଡ଼ାରୀ ବନ ରେଞ୍ଜ୍ର ଅଧିକାରୀ ସୁକୁମାର ଦୁଖୁ ଆଜି ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ) ଜାଲରେ ଛନ୍ଦି ହୋଇଛନ୍ତି। ତାଙ୍କ ନିକଟରେ ସନ୍ଦିଗ୍ଧ ଲାଞ୍ଚରୁ ସଂଗୃହୀତ ୨.୩୩ ଲକ୍ଷ ଟଙ୍କା ଜବତ ହୋଇଛି। ଭିଜିଲାନ୍ସ ବିଭାଗ ପକ୍ଷରୁ ଜାରି ସୂଚନାନୁସାରେ, ଗୁଇନ୍ଦା ସୂତ୍ରରୁ ସୂଚନା ପାଇଁ ପୁଲିସ ନବରଙ୍ଗପୁର ଇନ୍ଦ୍ରାବତୀ ପୋଲ ନିକଟରେ ସୁକୁମାରଙ୍କୁ ଅଟକାଇଥିଲେ। ସୁକୁମାର ନିଜ ସରକାରୀ ଗାଡ଼ିରେ ଗୁଡ଼ାରୀରୁ ନିଜ ଘର ନବରଙ୍ଗପୁର ଯାଉଥିଲେ। ଯାଞ୍ଚ ବେଳେ ସୁକୁମାରଙ୍କ ସରକାରୀ ଗାଡ଼ି (ବୋଲେରୋ)ରୁ ୨ଲକ୍ଷ ୩୩ ହଜାର ଟଙ୍କା ନଗଦ ମିଳିଥିଲା। ଜେରା ସମୟରେ ଏହି ଟଙ୍କା କେଉଁଠାରୁ ଆଣିଲେ ସେନେଇ ସୁକୁମାର କୌଣସି ସ୍ପଷ୍ଟ ସୂଚନା ଦେଇପାରିନଥିଲେ। ଫଳରେ ୨ଲକ୍ଷ ୩୩ ହଜାର ଟଙ୍କା ସହ ବଲୋରୋ (ଓଡ଼ି୧୮କେ ୭୦୪୧)କୁ ଜବତ କରାଯାଇଛି। ଏହା ସହ ବର୍ତ୍ତମାନ କାର୍ଯ୍ୟାଳୟ, ବାସଭବନ ଆଦି ୩ଟି ସ୍ଥାନରେ ଚଢ଼ାଉ କରାଯାଇ ସୁକୁମାରଙ୍କ ଆୟ ବହିର୍ଭୁତ ସମ୍ପତ୍ତିର ଆକଳନ କରାଯାଉଛି।


