ଆସିକାରେ ଜମୁଛି ତାଳସଜ ବେପାର

ଆସିକା (ୱାଇଏନ୍‍ଏସ୍‍) : ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଗତ କିଛି ଦିନ ହେଲା ତାପମାତ୍ରା ଲୁଚକାଳି ଖେଳ ଖେଳୁଛି । କେତେବେଳେ ୪୦ ଡିଗ୍ରୀ ତ ଆଉ କେତେବେଳେ ୪୨ ଡିଗ୍ରୀ ସେଲସିୟସ୍ ପାରଦ ରହୁଛି । ଗତ କିଛିଦିନ ଧରି ଲାଗି ରହିଥିବା ଏଭଳି ପରିବେଶ ସାଧାରଣ ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି । ଅସହ୍ୟ ଗରମ ଓ ଗୁଳୁଗୁଳିରେ ଲୋକେ ଛଟପଟ ହେଉଛନ୍ତି । ଟାଣ ଖରାରୁ ରକ୍ଷା ପାଇବା ପାଇଁ ସହରବାସୀ ନାନା ଉପାୟ ଅବଲମ୍ବନ କରୁଛନ୍ତି । କିଏ ଟୋପି ବ୍ୟବହାର କରୁଛି ତ , ଆଉ କିଏ ଛତା । ପୁଣି ପିଲାଠୁ ବୁଢା ପର୍ଯ୍ୟନ୍ତ ପ୍ରାୟତଃ ସମସ୍ତେ ପ୍ରଚଣ୍ଡ ଖରାରେ ଚଷମା ପିନ୍ଧିବାକୁ ଅଧିକ ପସନ୍ଦ କରୁଛନ୍ତି । ସେହି ଅନୁସାରେ ଅଞ୍ଚଳବାସୀଙ୍କ ଖାଇବା ଚାହିଦାରେ ମଧ୍ୟ କିଛିଟା ପରିବର୍ତ୍ତନ ଘଟିଛି । ଲୋକମାନେ ପେଟ ଥଣ୍ଡା ରଖୁଥିବା ଖାଦ୍ୟ ସାମଗ୍ରୀ ଖାଇବାକୁ ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ଠେଲା ଗାଡି ଓ ହୋଟେଲ ଗୁଡିକରେ ବିକ୍ରି ହେଉଥିବା ଗରମ ଗରମ ବରା ପିଆଜି, ଆଳୁଚପ ଖାଇବାକୁ ପ୍ରାୟତଃ ପସନ୍ଦ କରୁନଥିବା ବେଳେ ରାସ୍ତାକଡରେ ପସରା ମେଲାଇ ବସିଥିବା ତାଳସଜ ବେପାରୀ ମାନଙ୍କ ନିକଟରେ ଭିଡ ଜମାଉଥିବା ଦେଖିବାକୁ ମିଳୁଛି । ପେଟ ଥଣ୍ଡା ରଖିବା ପାଇଁ ସାଧାରଣ ଜନତା ତାଳସଜ ଖାଇବା ପ୍ରତି ଅଧିକ ଆକୃଷ୍ଟ ହେଉଥିବା ପରିଲକ୍ଷିତ ହେଉଛି । ସହରବାସୀଙ୍କ ଏହି ଚାହିଦାକୁ ମେଣ୍ଟାଇବା ପାଇଁ ରାସ୍ତା କଡରେ ତାଳସଜ ବେପାର ଜମୁଛି । ଅସହ୍ୟ ଝାଞ୍ଜି ଓ ଗରମରେ ସିଝି ଯାଉଥିବା ଲୋକଙ୍କ ପେଟକୁ ଥଣ୍ଡା ରଖିବା ପାଇଁ ଆସିକା ସହର ତଥା ଏହାର ଆଖପାଖ ବିଭିନ୍ନ ଅଞ୍ଚଳରେ ଗତ କିଛି ଦିନ ହେଲା ଗଢି ଉଠିଛି ତାଳସଜ ପସରା । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବ୍ୟବସାୟୀ ମାନେ ଆସି ତାଳସଜ ବିକ୍ରୀ କରୁଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ