ଇଡ୍ରା ଗାଡି ବ୍ରେକ ଫେଲ, ଅଳ୍ପକେ ବର୍ତିଲେ ପରିବା ବ୍ୟବସାୟୀ
ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡାର ବ୍ୟସ୍ତ ବହୁଳ ସ୍ଥାନ ସହିଦ ଲଷ୍ମଣ ନାୟକ ଛକ ତଥା ନୂତନ ବସଷ୍ଟାଣ୍ଡ ସମ୍ମୁଖରେ ଶୁକ୍ରବାର ଏକ ହାଇଡ୍ରା ଗାଡି ବ୍ରେକ ଫେଲ ହୋଇଥିବା ବେଳେ ସେଠାରେ ଜଣେ ପରିବା ବ୍ୟବସାୟୀ ଅଳ୍ପକେ ବର୍ତି ଯାଇଥିଲେ ଏବଂ ସେହି ଆଖପାଖରେ ଥିବା ତିନୋଟି ବାଇକ ସହ ଲକ୍ଷାଧିକ ସାମଗ୍ରୀ ନଷ୍ଟ ହୋଇଥିବା ଜଣାପଡିଛି। ସୂଚନା ଯେ ଏହି ହାଇଡ୍ରା ଗାଡି ସହିଦ ଲଷ୍ମଣ ନାୟକ ଛକ ଠାରେ ଥିବା ଉଠାଣି ରାସ୍ତାରେ ଯାଉଥିବା ବେଳେ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହଠାତ ଗାଡିର ବ୍ରେକ ଫେଲ ହୋଇଥିବା ବେଳେ ଗାଡିଟି ପଛକୁ ପଛ ହୋଇ ଗଡି ଯାଇଥିଲା। ଗାଡିଟି ଯାଇ ସେଠାରେ ପରିବା ବିକ୍ରି କରୁଥିବା ଏକ ଦୋକାନ ଉପରେ ଚଡ଼ି ଯିବା ସହ ଏକ ପୂଜା ଭଣ୍ଡାର ଦୋକାନ ଭିତରେ ପସି ଯାଇଥିଲା। ଏଥିସହ ଦୋକାନ ସମ୍ମୁଖରେ ଥିବା ତିନୋଟି ବାଇକ ନଷ୍ଟ ହୋଇଯିବା ସହ ପୂଜା ଭଣ୍ଡାରକୁ ଲାଗିଥିବା ପାତ୍ର ଇଲେକ୍ଟ୍ରୋନିକ ନାମକ ଏକ ଦୋକାନର ଗୋଟିଏ କୁଲରସହ କିଛି ସାମଗ୍ରୀ ନଷ୍ଟ ହେବା ସହ ଦୋକାନର କାନ୍ଥ ଓ ସଟର ଭାଙ୍ଗି ଯାଇଛି। ଏହି ଦୁର୍ଘଟଣାରେ କାହାର କିଛି ହୋଇ ନଥିବା ବେଳେ ସେଠାରେ ଥିବା ପରିବା ଦୋକାନୀ ଓ ଜନସାଧାରଣ ଅଳ୍ପକେ ବର୍ତି ଯାଇଥିଲେ। ଘଟଣା ସ୍ଥଳରେ ପୋଲିସ ଅଧିକାରୀ ମାନେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ହାଇଡ୍ରା ଗାଡିକୁ ହଟାଇବା ସହ ଥାନାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି। ଏହି ହାଇଡ୍ରା ଗାଡି ଝାରସୁଗୁଡାରୁ ଆନ୍ଦ୍ରାପ୍ରଦେଶର ବିଶାଖାପାଟଣା ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଅନ୍ୟପଟେ ଦୁର୍ଘଟଣାରେ ନଷ୍ଟ ହୋଇଥିବା ସମସ୍ତ ସାମଗ୍ରୀ ଓ ତିନୋଟି ବାଇକ ଗୁଡିକର ରକ୍ଷଣ ବ୍ୟକ୍ଷଣ ନିମନ୍ତେ ଗାଡି ମାଲିକକୁ ଦାବି କରାଯାଇଥିବା ଜଣାପଡିଛି।


