ବୟାଳିଶ ଦିନାତ୍ମକ ଯାତ
ଶ୍ରୀଅଙ୍ଗେ ଚନ୍ଦନ ବୋଳି
ମଣିବିମାନେ ବିଜେ ବନମାଳି ଗୋ
ଦେଖ ଆସୁଛନ୍ତି ଢଳି ଡଳି
ସୁଜନେ ଗୋ ।
ବାଜୁଛି ବୀର କାହାଳୀ
ବଡ଼ଦାଣ୍ଡ ପଡୁଅଛି ଉଛୁଳି ଗୋ
ହରିବୋଲ ସଙ୍ଗେ ହୁଳହୁଳି
ସୁଜନେ ଗୋ ।
ସଙ୍ଗତେ ପଞ୍ଚସାଗର
ରାଧିକା ଦୂତିକା ମୂରଲୀଧର ଗୋ
ରାମକୃଷ୍ଣଙ୍କର ପଟୁଆର
ସୁଜନେ ଗୋ ।
ବଇଶାଖ ଗୁଳୁଗୁଳି
ନରେନ୍ଦ୍ର ସରରେ ହୁଅନ୍ତି ମେଳି ଗୋ
ନରେନ୍ଦ୍ର ଜଳ ପଡେ ଉଛୁଳି
ସୁଜନେ ଗୋ ।
ନନ୍ଦା ଭଦ୍ରା ଚାପେ ଚଢି
ଏକୋଇଶ ଦିନ ଚନ୍ଦନ ବଢି ଗୋ
ଚାପ ଖେଳି ଯାଆନ୍ତି ବାହୁଡି
ସୁଜନେ ଗୋ ।
ବାହାରେ ଚନ୍ଦନ ଅନ୍ତ
ଭିତରେ ଆରମ୍ଭ ଚନ୍ଦନ ଯାତ ଗୋ
ମିଶି ବୟାଳିଶ ଦିନେ ଅନ୍ତ
ସୁଜନେ ଗୋ ।

ଗଦାଧର ସାହୁ,
ବ୍ରହ୍ମଗିରି,ପୁରୀ


