ମାଟ୍ରିକ ପରୀକ୍ଷାରେ ଆସିକାର ୧୦ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସଫଳତା
ଆସିକା (ୱାଇଏନ୍ଏସ୍) : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୫-୨୬ ଶିକ୍ଷାବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇସାରିଛି । ଆସିକା ବ୍ଳକ ଓ ଏନ୍ଏସି ଅଧୀନସ୍ଥ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟାନରତ ଥିବା ୧୦ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷାରେ ସଫଳତା ପାଇଥିବା ଜଣାପଡିଛି । ଆସିକା ବ୍ଳକ ଅଧୀନସ୍ଥ ନିମିନା ସ୍ଥିତା କୃଷ୍ଣଚରଣ ବାଳିକା ହାଇସ୍କୁଲର ଶ୍ରବଣବାଧିତ ବିଦ୍ୟାର୍ଥୀ ଆଲୋକ କୁମାର ଚର୍ଚ୍ଚି, କେ.ରାଇସିଂହପୁର ସ୍ଥିତ ବାଉରିବନ୍ଧୁ ହାଇସ୍କୁଲର ଶ୍ରବଣବାଧିତ ବିଦ୍ୟାର୍ଥୀ ଇଶ୍ୱରୀ ଜେନା, ନଳବଣ୍ଟା ସ୍ଥିତ ପଞ୍ଚାୟତ ହାଇସ୍କୁଲ ଚଳନଶକ୍ତି ବାଧିତ ବିଦ୍ୟାର୍ଥୀ ସୋନମ୍ ରାଣୀ ବିଷୋୟୀ, ମଙ୍ଗଳପୁର ସ୍ଥିତ ସରକାରୀ ହାଇସ୍କୁଲର ଚଳନଶକ୍ତି ବାଧିତ ବିଦ୍ୟାର୍ଥୀ ସୋନାଲୀ ନାୟକ ଓ ଜଗନ୍ନାଥ ପ୍ରଧାନ, ବାବନପୁର ସ୍ଥିତ ଚିନିଶିଳ୍ପ ହାଇସ୍କୁଲର ସ୍ୱଳ୍ପଦୃଷ୍ଟିବାଧିତ ବିଦ୍ୟାର୍ଥୀ ଅନନ୍ତ ବାଡତ୍ୟା, ଆଲିପୁର ସ୍ଥିତ ଶ୍ରୀକ୍ଷେତ୍ର ପଞ୍ଚାୟତ ହାଇସ୍କୁଲର ବୌଦ୍ଧିକ ଅକ୍ଷମତା ବିଦ୍ୟାର୍ଥୀ ଶୁଭମ୍ ଚନ୍ଦନ ବେହେରା, ବାବନପୁର ବାଳିକା ହାଇସ୍କୁଲର ଶ୍ରବଣବାଧିକ ବିଦ୍ୟାର୍ଥୀ ପ୍ରିୟଦର୍ଶିନୀ ଗୌଡ, ପାଣ୍ଡିଆପଥର ସ୍ଥିତ ଖାରି ବାବାଜୀଦୋରା ବିଦ୍ୟାପୀଠର ବୌଦ୍ଧିକ ଅକ୍ଷମତା ବିଦ୍ୟାର୍ଥୀ ଦିବ୍ୟମ୍ ବାଡତ୍ୟା, ଆସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବୌଦ୍ଧିକ ଅକ୍ଷମତା ବିଦ୍ୟାର୍ଥୀ ଶୁଭଶ୍ରୀ ପାଣିଗ୍ରାହୀ ପ୍ରମୁଖ ଚଳିତ ବର୍ଷର ମାଟ୍ରିକ ପରୀକ୍ଷାରେ ସଫଳତା ହାସଲ କରିଥିବା ଜଣାପଡିଛି । ଆସିକା ବ୍ଳକ ଓ ଏନ୍ଏସି ଅଧୀନସ୍ଥ ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନରତ ୧୦ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଏହି ସଫଳତା ପାଇଁ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା ଏବଂ ଭଂଜ ବେହେରା, ଗୋଷ୍ଠୀ ସମ୍ବଳ ଶିକ୍ଷକ ହେମନ୍ତ କୁମାର ନନ୍ଦ ଓ ମନ୍ଦାକିନୀ ରଥ ପ୍ରମୁଖ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିବା ଲକ୍ଷ୍ୟ କରାଯାଇଛି ।


