ଆର୍ଥିକ ଅନ୍ତର୍ଭୁକ୍ତିକରଣ ଉପରେ ଗୁରୁତ୍ୱ

କଟକ(ଓ୍ବାଇଏନଏସ): କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଯୋଜନାଗୁଡିକର ଲାଭ ସାଧାରଣ ଲୋକଙ୍କ ନିକଟରେ ପହଂଚାଇବା ପାଇଁ ବ୍ୟାଙ୍କଗୁଡିକ ସକ୍ରିୟ ପଦକ୍ଷେପ ନେବାକୁ ଜିଲ୍ଳାପାଳ ଶ୍ରୀ ଦତାତ୍ରୟ ଭାଉସାହେବ ଶିନ୍ଦେ ନିର୍ଦ୍ଦେଶ ଦେଇଛନ୍ତି । କଟକ ଜିଲ୍ଳାରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଉପରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଳାପାଳ ଏହା କହିଛନ୍ତି । ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ଅଟଳ ପେନସନ୍ ଯୋଜନା ଓ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଭଳି ବିଭିନ୍ନ ଜନହିତକାରୀ ଯୋଜନାଗୁଡିକରେ ଅଧିକରୁ ଅଧିକ ଜନସାଧାରଣଙ୍କୁ ଅନ୍ତର୍ଭୁକ୍ତ କରି ଏହିସବୁ ଯୋଜନାଗୁଡିକର ଲାଭ ଯେପରି ସେମାନେ ପାଇପାରିବେ ସେନେଇ ବୈଠକରେ ଆଲୋଚନା କରାଯାଇଥିଲା । ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ବାର୍ଷିକ ମାତ୍ର ୨୦ ଟଙ୍କା ପ୍ରିମିୟମ ଦେବାକୁ ପଡୁଥିବାବେଳେ ଦୁର୍ଘଟଣାଜନିତ ମୃତ୍ୟୁ କିମ୍ବା ଦୁର୍ଘଟଣାରେ ସମ୍ପୁର୍ଣ୍ଣ ଅକ୍ଷମତା କ୍ଷେତ୍ରରେ ୨ ଲକ୍ଷ ଟଙ୍କା ଓ ସାରାଜୀବନ ପାଇଁ ଆଂଶିକ ଅକ୍ଷମତା କ୍ଷେତ୍ରରେ ୧ ଲକ୍ଷ ଟଙ୍କା ସହାୟତା ରାଶି ମିଳିବାର ବ୍ୟବସ୍ଥା ରହିଛି । ସେହିପରି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ୧୮ରୁ ୫୦ ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେକୌଣସି ବ୍ୟାଙ୍କ ସଂଚୟ ଖାତାଧାରୀ ବାର୍ଷିକ ୪୩୬ ଟଙ୍କା ପ୍ରିିମିୟମ ଦେଇ କୌଣସି କାରଣରୁ ମୃତ୍ୟୁ ଘଟିଲେ ୨ ଲକ୍ଷ ଟଙ୍କା ସହାୟତା ରାଶି ପାଇପାରିବାର ବ୍ୟବସ୍ଥା ରହିଛି । ଏହିସବୁ ଯୋଜନାଗୁଡିକ ସମ୍ପର୍କରେ ଜନସାଧାରଣ ଅଧିକରୁ ଅଧିକ ସଚେତନ କରାଇବା ଦିଗରେ ଯତ୍ନବାନ ହେବାକୁ ଜିଲ୍ଲାପାଳ ଜିଲ୍ଲାର ବିଭିନ୍ନ ବ୍ୟାଙ୍କର ପ୍ରତିନିଧିମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହିସବୁ ଯୋଜନାରେ ସର୍ବାଧିକ ଲୋକଙ୍କୁ ସାମିଲ କରିଥିବା ବ୍ୟାଙ୍କକୁ ପ୍ରତିବର୍ଷ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ସମ୍ମାନିତ କରାଯିବ ବୋଲି ସେ କହିଛନ୍ତି । ଆଜିର ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଉନ୍ନୟନ ଡକ୍ଟର ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଅଗ୍ରଣୀ ବ୍ୟାଙ୍କ ଅଧିକାରୀ ଶ୍ରୀ ସତ୍ୟରଞ୍ଜନ ମହାନ୍ତି ଏବଂ ଜିଲ୍ଳାର ବିଭିନ୍ନ ବ୍ୟାଙ୍କର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ